ନୂଆଦିଲ୍ଲୀ, ୧୫।୧୦: IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ଅଧିନାୟକ ପଦକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ନୂଆ ଅଧିନାୟକଙ୍କୁ ନିଯୁକ୍ତ କରିବା ନେଇ ଆଲୋଚନା ମଧ୍ୟରେ ରୋହିତ ଶର୍ମା ଓ ତିଳକ ବର୍ମା ଦୁଇ ଜଣ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି। ତେବେ ଅଧିନାୟକ ପରିବର୍ତ୍ତନ ନେଇ ଫ୍ରାଞ୍ଚାଇଜ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ।
IPL ୨୦୨୭ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କିଏ ହେବେ? ପାଞ୍ଚ ଥର ଦଳକୁ ଚାମ୍ପିୟନ କରାଇଥିବା ରୋହିତ ଶର୍ମା ପୁଣି ଅଧିନାୟକ ଭାବେ ଫେରିବେ ନା ମୁମ୍ବାଇ ଇଣ୍ଡିଆନ୍ସ ଯୁବ ବ୍ୟାଟର୍ ତିଳକ ବର୍ମାଙ୍କ ଉପରେ ଭରସା କରିବ? IPLର ପରବର୍ତ୍ତୀ ସିଜନ ପୂର୍ବରୁ ଏହି ପ୍ରଶ୍ନଗୁଡ଼ିକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।
ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାନେଜମେଣ୍ଟରେ ଅଧିନାୟକ ପଦକୁ ନେଇ ଦୁଇଟି ଭିନ୍ନ ମତ ରହିଥିବା ଚର୍ଚ୍ଚା ହେଉଛି। ଗୋଟିଏ ପକ୍ଷ ରୋହିତ ଶର୍ମାଙ୍କୁ ପୁଣି ଅଧିନାୟକ କରିବା ସପକ୍ଷରେ ଥିବା କୁହାଯାଉଥିବା ବେଳେ ଅନ୍ୟ ପକ୍ଷ ତିଳକ ବର୍ମାଙ୍କୁ ଭବିଷ୍ୟତର ଅଧିନାୟକ ଭାବେ ଦେଖୁଥିବା ଆଲୋଚନା ହେଉଛି। ତେବେ ମ୍ୟାନେଜମେଣ୍ଟ ମଧ୍ୟରେ ଏଭଳି ମତଭେଦ ଥିବା ନେଇ କୌଣସି ଆଧିକାରିକ ପୁଷ୍ଟି ମିଳିନାହିଁ।
ମୁମ୍ବାଇ ଇଣ୍ଡିଆନ୍ସର ଇତିହାସରେ ରୋହିତ ଶର୍ମା ସବୁଠାରୁ ସଫଳ ଅଧିନାୟକ ରହିଛନ୍ତି। ତାଙ୍କ ନେତୃତ୍ୱରେ ଫ୍ରାଞ୍ଚାଇଜ ପାଞ୍ଚ ଥର IPL ଟ୍ରଫି ଜିତିଛି। ରୋହିତ ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିୟନ କରାଇଥିଲେ।
ତେବେ ୨୦୨୦ ପରେ ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୨୦୨୧, ୨୦୨୨ ଓ ୨୦୨୩ଏହି ତିନୋଟି ସିଜିନରେ ଟ୍ରଫି ଜିତିପାରିନଥିଲା। ଏହାପରେ ଫ୍ରାଞ୍ଚାଇଜ ୨୦୨୪ରେ ଏକ ବଡ଼ ନିଷ୍ପତ୍ତି ନେଇ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା।
ଏବେ ଚର୍ଚ୍ଚା ହେଉଛି ଯେ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ରୋହିତଙ୍କ ଅଭିଜ୍ଞତା ଉପରେ ଭରସା କରିପାରେ। ତାଙ୍କ ସପକ୍ଷରେ ସବୁଠାରୁ ବଡ଼ ଯୁକ୍ତି ହେଉଛି ଅଧିନାୟକତ୍ୱରେ ଦୀର୍ଘ ଅଭିଜ୍ଞତା, ବଡ଼ ମ୍ୟାଚରେ ଚାପକୁ ସମ୍ଭାଳିବାର କ୍ଷମତା ଏବଂ ଫ୍ରାଞ୍ଚାଇଜ ସହ ଦୀର୍ଘଦିନର ସମ୍ପର୍କ।
ଏହି ବିକଳ୍ପକୁ ସମର୍ଥନ କରୁଥିବା ଲୋକଙ୍କ ମତରେ, ରୋହିତଙ୍କୁ ଆଗାମୀ ଏକରୁ ଦୁଇ ବର୍ଷ ପାଇଁ ଅଧିନାୟକ ଦାୟିତ୍ୱ ଦିଆଯାଉ ଏବଂ ତିଳକ ବର୍ମାଙ୍କୁ ଉପଅଧିନାୟକ କରାଯାଉ। ଏହାଦ୍ୱାରା ତିଳକଙ୍କୁ ରୋହିତଙ୍କ ଭଳି ଜଣେ ଅଭିଜ୍ଞ ଅଧିନାୟକଙ୍କଠାରୁ ଶିଖିବାର ସୁଯୋଗ ମିଳିବ ଏବଂ ତାଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଯାଇପାରିବ। କିନ୍ତୁ ଏହି ଯୋଜନା ସାମ୍ନାରେ ଏକ ବଡ଼ ଆହୱାନ ହେଉଛି ରୋହିତଙ୍କ ବୟସ। ୨୦୨୭ ଏପ୍ରିଲରେ ରୋହିତ ୪୦ ବର୍ଷରେ ପଦାର୍ପଣ କରିବେ। ଏପରି ସ୍ଥିତିରେ ପ୍ରାୟ ୪୦ ବର୍ଷ ବୟସର ଜଣେ ଖେଳାଳିଙ୍କୁ ପୁଣି ଅଧିନାୟକ କରି ମୁମ୍ବାଇ ଇଣ୍ଡିଆନ୍ସ ଦୀର୍ଘମିଆଦୀ ଯୋଜନା କରିବାକୁ ଚାହିଁବ କି ନାହିଁ, ତାହା ଏକ ବଡ଼ ପ୍ରଶ୍ନ। ରୋହିତଙ୍କ ନେତୃତ୍ୱରେ ତୁରନ୍ତ ସଫଳତା ମିଳିବାର ଆଶା ରହିପାରେ। କିନ୍ତୁ ଦୀର୍ଘକାଳୀନ ଯୋଜନା ପାଇଁ ଫ୍ରାଞ୍ଚାଇଜକୁ ପୁଣି ଜଣେ ନୂଆ ଅଧିନାୟକ ଖୋଜିବାକୁ ପଡ଼ିପାରେ।
ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ଦ୍ୱିତୀୟ ବଡ଼ ବିକଳ୍ପ ହେଉଛନ୍ତି ତିଳକ ବର୍ମା। ସେ ଗତ କିଛି ସିଜନ ଧରି ମୁମ୍ବାଇ ଇଣ୍ଡିଆନ୍ସର ଅଂଶ ରହିଆସିଛନ୍ତି ଏବଂ ଦଳର ପରିବେଶକୁ ଭଲ ଭାବେ ବୁଝିଛନ୍ତି।
ତିଳକଙ୍କ ସପକ୍ଷରେ ସବୁଠାରୁ ବଡ଼ ଯୁକ୍ତି ହେଉଛି ତାଙ୍କ ବୟସ ଏବଂ ବଡ଼ ମ୍ୟାଚରେ ଚାପ ମଧ୍ୟରେ ବ୍ୟାଟିଂ କରିବାର କ୍ଷମତା। ୨୦୨୬ ନଭେମ୍ବରରେ ତିଳକ ୨୪ ବର୍ଷ ବୟସରେ ପହଞ୍ଚିବେ। ଏପରି ସ୍ଥିତିରେ ଯଦି ମୁମ୍ବାଇ ତାଙ୍କୁ ଅଧିନାୟକ ଦାୟିତ୍ୱ ଦିଏ, ତେବେ ସେ ଆଗାମୀ ପାଞ୍ଚରୁ ଛଅ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇପାରିବେ।
ତିଳକ ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ନିଜ ବ୍ୟାଟିଂ ଦକ୍ଷତାରେ ପ୍ରଭାବିତ କରିଛନ୍ତି। ବିଶେଷକରି ଏସିଆ କପ ଫାଇନାଲ ଭଳି ଚାପପୂର୍ଣ୍ଣ ମ୍ୟାଚରେ ସେ କଠିନ ପରିସ୍ଥିତିରେ ମଧ୍ୟ ଧୈର୍ଯ୍ୟ ବଜାୟ ରଖିପାରୁଥିବା ପ୍ରମାଣ ଦେଇଛନ୍ତି। ଏସିଆନ ଗେମ୍ସର ସ୍ବର୍ଣ୍ଣ ପଦକ ମ୍ୟାଚରେ ତାଙ୍କ ପ୍ରଦର୍ଶନକୁ ମଧ୍ୟ ବଡ଼ ମ୍ୟାଚରେ ତାଙ୍କ ଉପଯୋଗିତାର ଉଦାହରଣ ଭାବେ ଦେଖାଯାଉଛି।

