ଦିନ ଦ୍ୱିପହରରେ ମାତିଛନ୍ତି ଲୁଟେରା, କାର୍‌ କାଚ ଭାଙ୍ଗି ଲୁଟିନେଲେ ୨୦ ଲକ୍ଷ ଟଙ୍କା, ଟାଉନ ଥାନାରେ…

ବରଗଡ଼,୨୯।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ବଢ଼ି ଚାଲିଛି ଲୁଟ୍‌ପାଟ୍‌। ଜିଲା ସଦର ମହକୁମା ଏଥିରୁ ବାଦ୍‌ ପଡ଼ି ନାହିଁ। ବୁଧବାର ଦିନ ଦ୍ୱିପ୍ରହରରେ ବରଗଡ଼ ସହର ଗାନ୍ଧିଛକ ନିକଟ ଏକ ହୋଟେଲ ସମ୍ମୁଖରେ ରଖାଯାଇଥିବା ଏକ କାର୍‌(ଓଡ଼ି୧୭ଏବି ୬୨୫୫)ର କାଚ ଭାଙ୍ଗି ୨୦ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଏତଲା ପାଇବା ପରେ ସ୍ଥାନୀୟ ଟାଉନ ଥାନା ପୋଲିସ ଛାନଭିନ୍‌ ଚଲାଇଛି। ତେବେ ଖବର ଲେଖାହେବା ସୁଦ୍ଧା(ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ) ପୋଲିସ ଲୁଟେରାଙ୍କୁ ଠାବ କରିପାରି ନାହିଁ।

ସୂଚନା ଅନୁଯାୟୀ, ବରଗଡ଼ ପୌର ପରିଷଦ ଅଧୀନ ତଳିପଡ଼ା ନିବାସୀ ସୁବୋଧ କୁମାର ଦାଶ ମଙ୍ଗଳବାର ସ୍ଥାନୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାରୁ ୧୫ଲକ୍ଷ ଏବଂ ହସପିଟାଲ ରୋଡ୍‌ ପାର୍ଶ୍ୱରେ ରହିଥିବା ଷ୍ଟେଟ ବ୍ୟାଙ୍କର ଅନ୍ୟ ଏକ ବ୍ରାଞ୍ଚରୁ ୫ଲକ୍ଷ ଟଙ୍କା କାଢ଼ିଥିଲେ। ସମୁଦାୟ ୨୦ଲକ୍ଷ ଟଙ୍କାକୁ କାର୍‌ ଭିତରେ ରଖି ଅପରାହ୍ନ ପ୍ରାୟ ୨ଟା ସମୟରେ ସେ ସ୍ଥାନୀୟ ଗାନ୍ଧିଛକ ନିକଟ ଏକ ହୋଟେଲକୁ ଖାଇବାକୁ ଯାଇଥିଲେ।

ତେବେ ସେ ହୋଟେଲ ଭିତରେ ଥିବାବେଳେ ତାଙ୍କ କାର୍‌ର ଡ୍ରାଇଭର ବସୁଥିବା ପାର୍ଶ୍ୱରେ କାଚ ଭଙ୍ଗା ଯାଇଥିବା ନେଇ ସ୍ଥାନୀୟ କିଛି ଲୋକ ତାଙ୍କୁ ସୂଚନା ଦେଇଥିଲେ। ଏହାପରେ ସେ କାର୍‌କୁ ଆସି ଦେଖିବା ବେଳକୁ କାଚ୍‌ ଭାଙ୍ଗି ଲୁଟେରାମାନେ କାର୍‌ ଭିତରେ ରହିଥିବା ସବୁତକ ଟଙ୍କା ଲୁଟି ନେଇଥିବା ସେ ଜାଣିବାକୁ ପାଇଥିଲେ। ସେ ଏନେଇ ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ।

Share