ଜମନକିରା,୧୩।୮(ରବୀନ୍ଦ୍ର ପ୍ରସାଦ ଦାନୀ): ଆଧୁନିକ ସମାଜରେ ଉତ୍ତମ ସଡ଼କ ଯୋଗାଯୋଗ ବିକାଶର ଏକ ପ୍ରମୁଖ ମାପକାଠି । କିନ୍ତୁ ଆଜି ବି ଅନେକ ଗ୍ରାମାଞ୍ଚଳ ଏହି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶା ଭୋଗୁଛନ୍ତି । ଦେଶ ସ୍ୱାଧୀନତା କୁ ଆଉ ଗୋଟିଏ ଦିନ ପାରେ ୮୦ ବର୍ଷରେ ପଦାର୍ପଣ କରିବାକୁ ଥିବା ବେଳେ ଗ୍ରାମାଞ୍ଚଳର ଲୋକେ ବିକାଶ ଠାରୁ ବହୁ ଦୂରରେ ଅଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁଦବଲଣ୍ଡା କଲୋନୀପଡ଼ା ଠାରୁ ଜାମୁମାଳ ଗ୍ରାମ ଦେଇ ଜଟିଆ ଖୋଲାଡ଼ିହି ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ । ଏହି ରାସ୍ତାଟି ବର୍ତ୍ତମାନ ଅତି ଶୋଚନୀୟ ଅବସ୍ଥାରେ ଥିବାବେଳେ ପ୍ରତିଦିନ ଶହ ଶହ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି।
ଖାଲଖମାରେ ଭର୍ତ୍ତି ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ରାସ୍ତାଟି ସମ୍ପୂର୍ଣ୍ଣ ମାଟି ଓ ଗୋଡ଼ିରେ ନିର୍ମିତ, କୌଣସି ପକ୍କା କାର୍ଯ୍ୟ ହୋଇନାହିଁ । ଏହି କଚ୍ଚା ରାସ୍ତାର ଅବସ୍ଥା ବର୍ଷା ଦିନେ ଅତି ଶୋଚନୀୟ ହୋଇପଡ଼ିଛି । ରାସ୍ତାରେ ଅନେକ ବଡ଼ ବଡ଼ ଖାଲ ହୋଇଛି, ଯେଉଁଥିରେ ବର୍ଷା ପାଣି ଜମି ରହି ପଚପଚ କାଦୁଅ ସୃଷ୍ଟି କରୁଛି । ଗାଡ଼ି ମୋଟର ଯାତାୟାତ ଦୂରର କଥା, ପାଦରେ ଚାଲିକି ଯିବା ମଧ୍ୟ କଷ୍ଟକର ହୋଇପଡ଼ିଛି । କାଦୁଅରେ ଗାଡ଼ିର ଚକ ଦାଗରୁ ଜଣାପଡ଼ୁଛି ଯେ, ଗ୍ରାମବାସୀମାନେ କେତେ କଷ୍ଟରେ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ବା ଅଗ୍ନିଶମ ଗାଡ଼ି ଏଠାକୁ ଯିବା ଆସିବା ଅସମ୍ଭବ।
ସ୍କୁଲରେ ପଢୁଥିବା ପ୍ରାୟ ୨୬୦ ଜଣ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇ ପଡିଛି । ଏହି ରାସ୍ତା ଶୋଚନୀୟ ହେବା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି କୋମଳମତି ଛାତ୍ରୀଛାତ୍ରମାନେ । ଜାମୁମାଳ ଆଶ୍ରମ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରମାନେ ପ୍ରତିଦିନ ଏହି ବିପଜ୍ଜନକ ରାସ୍ତା ଦେଇ ଯିବାକୁ ବାଧ୍ୟ ହେଉଛନ୍ତି। କାଦୁଅ ରାସ୍ତାରେ ଯିବା ବେଳେ ଅନେକ ସମୟରେ ପିଲାମାନେ ଖସିପଡ଼ି ଆହତ ହେଉଛନ୍ତି। ସେମାନଙ୍କ ପୋଷାକ, ବହି ବସ୍ତାନୀ କାଦୁଅରେ ନଷ୍ଟ ହୋଇଯାଉଛି। ବଡ଼ ବର୍ଷା ହେଲେ ପିଲାମାନେ ସ୍କୁଲ୍ ଯାଇପାରନ୍ତି ନାହିଁ, ଯାହା ସେମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରୁଛି। ଅଭିଭାବକମାନେ ନିଜ ପିଲାମାନଙ୍କୁ ନେଇ ଚିନ୍ତାରେ ଅଛନ୍ତି। ଏହି ସମସ୍ୟା ଦୀର୍ଘ ଦିନର ହୋଇଥିଲେ ମଧ୍ୟ ସ୍ଥାନୀୟ ଜନପ୍ରତିନିଧି ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସୁଦବଲଣ୍ଡା, ଜାମୁମାଳ ଓ ଜଟିଆଖୋଲଡିହି ଆଦି ୩ଟି ଗ୍ରାମର ଲୋକଙ୍କ ପାଇଁ ଏହା ଏକମାତ୍ର ସଂଯୋଗୀକରଣ ରାସ୍ତା। ସ୍ଥାନୀୟ ଲୋକେ କାଦୁଅ ରାସ୍ତାରୁ ମୁକ୍ତି ମିଳିବା, ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପାଠପଢ଼ା ପାଇଁ ରାସ୍ତା ତୁରନ୍ତ ମରାମତି କରିବା ପାଇଁ ସ୍ଥାନୀୟ ପ୍ରଶାସନ ଏହି ଗୁରୁତର ସମସ୍ୟା ପ୍ରତି ତୁରନ୍ତ ଧ୍ୟାନ ଦେବା ପାଇଁ ଦାବି ହେଉଛି। ତୁରନ୍ତ ଏହି ରାସ୍ତାକୁ ପକ୍କା କରିବା ପାଇଁ ଏବଂ ଛାତ୍ରୀଛାତ୍ରମାନଙ୍କୁ ଏକ ସୁରକ୍ଷିତ ଯାତାୟାତର ବ୍ୟବସ୍ଥା କରିବା ପାଇଁ ସରକାର ଓ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଯଦି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନ ନିଆଯାଏ, ତେବେ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।