ବର୍ଷାରେ ବେହାଲ ରାସ୍ତା, ସାମାନ୍ୟ ବର୍ଷିଲେ ସୃଷ୍ଟି ହେଉଛି ବନ୍ୟାର ଭ୍ରମ

ଦାରିଙ୍ଗବାଡ଼ି,୯ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଗତ କିଛି ମାସ ହେଲା ବର୍ଷା ହେଉଥିବା ବେଳେ ୩ ତାରିଖଠାରୁ ନିୟମିତ ବର୍ଷା ହେଉଛି। ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେଉଥିବା ବେଳେ ଦାରିଙ୍ଗବାଡ଼ି ଅଞ୍ଚଳରେ ଏହି ବର୍ଷା ଲୋକଙ୍କୁ ଦୁଃଖ ଆଣିଦେଇଛି। ଟିକିଏ ବର୍ଷା ହେବା କ୍ଷଣି ୫୯ ନଂ ଜାତୀୟ ରାଜପଥଠାରୁ ବିଦ୍ୟୁତ୍‌ କାର୍ଯ୍ୟାଳୟ ଏବଂ କୋର୍ଟ ଦେଇ ଯାଇଥିବା ରାସ୍ତାରେ ପାଣି ଜମୁଛି। ଫଳରେ ଉକ୍ତ ରାସ୍ତାରେ ଯାତାୟାତରେ ସମସ୍ୟା ଦେଖାଯାଇଛି।

ପ୍ରକାଶ ଯେ, ଉକ୍ତ ରାସ୍ତା ରାଜପଥଠାରୁ ନୀଳକନ୍ଦର ସାହିକୁ ସଂଯୋଗ କରୁଛି। ଏହା ପଞ୍ଚାୟତ ଅଧୀନରେ ରହିଥିବା ବେଳେ ସେହି ରାସ୍ତାକୁ ଦୀର୍ଘବର୍ଷ ଧରି ମରାମତି କିମ୍ବା ସମ୍ପ୍ରସାରଣ କରାଯାଉନାହିଁ। ଉକ୍ତ ରାସ୍ତାରେ ପ୍ରଥମଶ୍ରେଣୀ ବିଚାର ବିଭାଗ ରହିଥିବା ବେଳେ ବିଦ୍ୟୁତ୍‌ କାର୍ଯ୍ୟାଳୟ ରହିଛି। ଦାରିଙ୍ଗବାଡ଼ି ପଞ୍ଚାୟତ ଅଧୀନରେ ରହିଥିବା ଏହି ରାସ୍ତା ଅଞ୍ଚଳର ଲାଇଫ୍‌ଲାଇନ୍‌ ହୋଇଥିବା ବେଳେ କୋର୍ଟକୁ ଦୈନିକ ଓକିଲ, ସାଧାରଣ ଲୋକ, କଏଦୀ, ପୋଲିସ ସମସ୍ତେ ଯାଇଥାନ୍ତି।

ସେହିପରି ବିଦ୍ୟୁତ କାର୍ଯ୍ୟାଳୟକୁ ମଧ୍ୟ ଲୋକ ଯାତାୟାତ କରିଥାନ୍ତି କିନ୍ତୁ ଲୋକଙ୍କ ସୁବିଧା ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି। ଉକ୍ତ ରାସ୍ତାକୁ ସମ୍ପ୍ରସାରଣ କରାଯିବା ସହ ୨ ପାର୍ଶ୍ୱରେ ଡ୍ରେନ୍‌ ବ୍ୟବସ୍ଥା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଏନେଇ ଦାରିଙ୍ଗବାଡ଼ି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏଥିପାଇଁ କୌଣସି ଅନୁଦାନ ନାହିଁ ବାରମ୍ବାର ଜଣାଇଲେ ମଧ୍ୟ ଅନୁଦାନ ନ ମିଳିବାରୁ ଉକ୍ତ ରାସ୍ତାର ମରାମତି ହୋଇପାରୁନାହିଁ ବୋଲି କହିଛନ୍ତି। ତଥାପି ପଞ୍ଚାୟତ ପାଣି ନ ଜମିବା ପାଇଁ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

Dharitri – Odisha’s No.1, Most Trusted Odia Daily

Share