ବଲାଙ୍ଗୀର,୨୯ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ ପ୍ରକଳ୍ପର ବିସ୍ଥାପିତମାନଙ୍କ ମୌଳିକ ଆବଶ୍ୟକତା ଓ ଅଧିକାର ପୂରଣ ନ କରିବା ପ୍ରତିବାଦରେ ବୁଧବାର ଝାଙ୍କରପାଲି ପୁନର୍ବାସ କଲୋନୀ ସମ୍ମୁଖ ବଲାଙ୍ଗୀର-ପାଟଣାଗଡ଼ ୪୨ ନମ୍ବର ରାଜ୍ୟ ରାଜପଥକୁ ସହସ୍ରାଧିକ ବିସ୍ଥାପିତ ଛାତ୍ରୀଛାତ୍ର, ମହିଳା ଓ ପୁରୁଷ ରାସ୍ତାରୋକୋ କରିଥିଲେ। ସକାଳ ୮ଟାରୁ ରାସ୍ତାରୋକୋ ଦୀର୍ଘ ୨ଘଣ୍ଟା ଧରି ଚାଲିଥିଲା। ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀ ସହିତ ଆଲେଚନା ପରେ ରାସ୍ତାରୋକୋକୁ ବନ୍ଦ କରିଥିଲେ ବିସ୍ଥାପିତମାନେ। ଧାରଣାସ୍ଥଳକୁ ବଲାଙ୍ଗୀର ତହସିଲଦାର ଓ ସଦର ଥାନା ଆଇଆଇସି ଆସି ବୁଝାଶୁଝା କରିଥିଲେ। ଆନ୍ଦୋଳନକାରୀଙ୍କ ଦାବି ଖୁବ୍ଶୀଘ୍ର ପୂରଣ ହେବ ବୋଲି କହିବା ପରେ ବିସ୍ଥାପିତମାନେ ଦୀର୍ଘ ୨ଘଣ୍ଟା ଧରି ଅବରୋଧ ରଖିଥିବା ବଲାଙ୍ଗୀର ପାଟଣାଗଡ଼ ରାଜ୍ୟ ରାଜପଥରୁ ହଟିଥିଲେ। ବିସ୍ଥାପିତମାନେ ଆନ୍ଦୋଳନରୁ ଓହରିଲା ପରେ କଲୋନୀ ଏକ ସଭା କରିଥିଲେ। ଆନ୍ଦୋଳନ ପୂରଣ ନ ହେଲେ ଆଗାମୀ ଦିନରେ ଆଗକୁ ଆହୁରି ଜୋରଦାର ଆନ୍ଦୋଳନ କରାଯିବ ବୋଲି ବିସ୍ଥାପିତ ଅଞ୍ଚଳବାସୀ କହିଛନ୍ତି।


