ବଲାଙ୍ଗୀର,୯ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଶାନ୍ତିପଡ଼ାର ନିଖୋଜ ପ୍ରବୀଣ ମହାଲିଙ୍ଗ (ମୁଟୁ)ଙ୍କ ମୃତଦେହ ଶୁକ୍ରବାର ସଦରଥାନା ପଥରଚେପା ପୋଖରୀରୁ ୫ ଦିନ ପରେ ଉଦ୍ଧାର କରାଯାଇଥିଲା। ମୃତଦେହକୁ ୫୭ନଂ ରାଜ୍ୟ ରାଜପଥ ଶାନ୍ତିପଡ଼ା ଛକ ରାସ୍ତା ରଖି ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତଦେହ ବ୍ୟବଚ୍ଛେଦ ସରିବl ପରେ ପରିବାର ଲୋକ ଓ ପଡ଼ା ବାସିନ୍ଦା ଶାନ୍ତିପଡ଼ା ଛକରେ ରାସ୍ତାରୋକୋ କରିଛନ୍ତି। ଟାୟାର ଜାଳି ରାସ୍ତାରୋକୋ କରାଯାଇଛି। ନ୍ୟାୟ ମିଳିବା ଓ କ୍ଷତିପୂରଣ ଦାବି ନେଇ ସହ ସହ ଲୋକ ରାସ୍ତା ଉପରକୁ ଚାଲି ଆସିଛନ୍ତି। ବଲାଙ୍ଗୀର-ପାଟଣାଗଡ଼ ରାସ୍ତାରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଦାବି କରୁଛନ୍ତି ଆନ୍ଦୋଳନକାରୀ।
ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ପଥରଚେପା ଗାଁ ପୋଖରୀରେ ଶୁକ୍ରବାର ସକାଳୁ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ମୃତଦେହଟି ବଲାଙ୍ଗୀର ସହର ଶାନ୍ତିପଡା ନିବାସୀ ପ୍ରବୀଣ ମହାଲିଙ୍ଗ ଓରଫ ମୁଟୁଙ୍କ ବୋଲି ଜଣାପଡିଛି । ଗତ ୫ ତାରିଖରୁ ସେ ନିଖୋଜ ଥିବା ତାଙ୍କ ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଥିଲେ।
ପଥରଚେପା ଗାଁ ନିକଟରୁ ତାଙ୍କ ବାଇକ୍ ମିଳିଥିଲେ ସୁଦ୍ଧା ତାଙ୍କର ପତ୍ତା ମିଳି ନ ଥିଲା। ତେବେ ଆଜି ତାଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ପୋଖରୀରେ ମୃତଦେହ ଭାସୁଥିବା ଖବର ପ୍ରସାରିତ ହେବା ପରେ ଲୋକେ ଦେଖିବା ପାଇଁ ନାହିଁ ନ ଥିବା ଭିଡ ଜମିଥିଲା । ତେବେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ଅଗ୍ନିଶମ ବିଭାଗ ପହଞ୍ଚି ପୋଖରୀ ଭିତରେ ଭାସୁଥିବା ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ମୃତଦେହ ମିଳିବା ପରେ କିଏ ହତ୍ୟା କଲା ସେନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।