ଫୁଲବାଣୀ, ୪ା୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ବାଇକ ମୁହାଁମୁହିଁ ଧକା ହେବା ଫଳରେ ଜଣେ ୩ ବର୍ଷର ଶିଶୁ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ, ଫିରିଙ୍ଗିଆ ଥାନା ପାଙ୍ଗା ପଞ୍ଚାୟତ ପଟିଲିପିଡିଆ ଗ୍ରାମର ବାବୁଲା କହଁର(୩୮), ବାମନ କହଁର(୩୫), କାର୍ତ୍ତିକ କହଁର(୩) ଓ ସଲାଗୁଡା ପଞ୍ଚାୟତ ଟକେରୀଗୁଡା ଗ୍ରାମର ଟିଲୁ ଦିଗାଲ(୩୦)। ଅନ୍ୟପଟେ ବନିତା କହଁର ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ବାବୁଲା,ବାମନ, ବନିତା ଓ କାର୍ତ୍ତିକ ଏକ ବାଇକରେ ଗୋଚ୍ଛାପଡା ଅଞ୍ଚଳରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ଅପରାହ୍ନ ପ୍ରାୟ ୩ଟା ବେଳେ ବନ୍ଦୁଲି ଛକ ନିକଟରେ ଅନ୍ୟ ଏକ ବାଇକରେ ବାଲନ୍ଦାପଡା ଆଡକୁ ଯାଉଥିବା ଟିଲୁ ଦିଗାଲଙ୍କ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସମସ୍ତେ ରାସ୍ତାରେ ଛିଟିକି ହୋଇ ପଡିଥିଲେ । ସ୍ଥାନୀୟ ବିଜେପି ନେତା ବାବୁଲା କହଁର ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ନିଜ ଗାଡିରେ ଗୋଚ୍ଛାପଡା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।
ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ବାବୁଲା, ବାମନ, କାର୍ତ୍ତିକ ଓ ଟିଲୁଙ୍କୁ ମୃତ ଘୋଷଣା କରିଥିଲେ। ବନିତା ଏବେ ଏଠାରେ ଚିକିତ୍ସାଧୀନ ଅଛନ୍ତି। ଗୋଚ୍ଛାପଡା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।