ପୁରୀ,୨।୧(ଅଜିତ୍ ମହାନ୍ତି): ପୁରୀ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମେଡିକାଲ ଛକରେ ମୃତଦେହ ରଖି ସ୍ଥାନୀୟ ଲୋକ ଧାରଣାରେ ବସିଛନ୍ତି। ନ୍ୟାୟ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଏସ୍ପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।ଶୁକ୍ରବାର ପୂର୍ବାହ୍ନରେ ପୁରୀ ବଡ଼ଦାଣ୍ଡରେବଳଗଣ୍ଡି ଛକରେ ବୋଲେରୋ ଓ ସ୍କଟି ମଧ୍ୟରେ ଧକ୍କା ହେବାରୁ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମେଡ଼ିକାଲ ଛକ ଆଡୁ ଶ୍ରୀମନ୍ଦିର ଆଡ଼କୁ ବୋଲେରୋ ଗାଡ଼ି ଆସୁଥିବା ବେଳେ ଅନ୍ୟପଟେ ଏକ ସ୍କୁଟିରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ନାବାଳକ ନାତି ଓ ଅନ୍ୟ ଜଣେ ନାବାଳକ ଆସୁଥିଲେ । ଏହି ସମୟରେ ବାଲଗଣ୍ଡି ଛକ ନିକଟରେ ସ୍କୁଟିକୁ ପଛଆଡ଼ୁ ବୋଲେରୋ ଧକ୍କା ଦେଇଥିଲା । ଯାହା ଫଳରେ ସ୍କୁଟିରେ ଯାଉଥିବା ତିନି ଜଣ କିଛି ବାଟ ଘୋଷାଡି ହୋଇ ଯିବା ସହ ଆହତ ହୋଇଥିଲେ । ଲୋକ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ବୋଲେରୋ ଚାଳକଙ୍କୁ କାବୁ କରିଛନ୍ତି । ତେବେ ଡାକ୍ତର ନାବାଳକଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇଜଣଙ୍କ ଚିକିତ୍ସା ଜାରିରହିଛି । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଗାଡ଼ି ଚାଳକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।