ଗଛକୁ ଧକ୍କା ଦେଇ ବିଲକୁ ପଶିଗଲା କାର୍, ଏକାଥରେ ଚାଲିଗଲା ମା’ପୁଅଙ୍କ ଜୀବନ

ବୁଗୁଡ଼ା,୧୫।୩(କାଳିଚରଣଦାଶ ): ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।କାର ଦୁର୍ଘଟଣାରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଥିବା  ବେଳେ ବାପା ଓ ଝିଅ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି । ମୃତକ ମାନେ ହେଲେ ନୟାଗଡ ଜିଲା ଓଡଗାଁ ଛାମୁସାହିର ମାଆ କୁନମୁନ ଚୌଧୁରୀ(୩୪)ଓ ପୁଅ ଦେବାଶିଷ ଚୌଧୁରୀ(୯) । ଏ ନେଇ ବୁଗୁଡ଼ା ଥାନାରେ କେଶ ନଂ ୧୧୮/୨୬ ରେ ଏକ ମାମଲା ରୁଜୁ ହୋଇ ଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଓଡଗାଁର ବିଶିଷ୍ଟ ସିମେଣ୍ଟ ବ୍ୟବସାୟୀ ଦେବ ପ୍ରସାଦ ଚୌଧୁରୀ, ପତ୍ନୀ କୁନମୁନ ଚୌଧୁରୀ ପୁଅ ଦେବାଶିଷ ଓ ଦେଢବର୍ଷର ଝିଅ ଦିବ୍ୟାଂଶୀକୁ ସାଙ୍ଗରେ ଧରି ରବିବାର ଦିନ ବ୍ରହ୍ମପୁରରୁ କାରରେ ଫେରୁଥିବା ବେଳେ ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ତାକରଡ଼ା ଗ୍ରାମ ପୂର୍ବରୁ ରାସ୍ତା କଡ଼ ଡାହାଣ ପାର୍ଶ୍ଵରେ ଏକ ବିରାଟ ଗଛକୁ ଧକ୍କା ଦେଇ ବିଲ ଭିତରକୁ ପଶି ଯାଇଥିଲେ । ଘଟଣାସ୍ଥଳରେ ହିଁ ସ୍ତ୍ରୀ କୁନମୁନ ଚୌଧୁରୀ(୩୩)ଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଦେବାଶିଷ  ଚୌଧୁରୀ( ୯) ଗୁରୁତର ଆହତ ହୋଇଥିଲେ । କାର ଚାଳକ ତଥା ସିମେଣ୍ଟ ବ୍ୟବସାୟୀ ଦେବ ପ୍ରସାଦ ଚୌଧୁରୀ ଓ ଝିଅ ଦିବ୍ୟାଂଶୀ ସାମାନ୍ୟ ଆହତ ହୋଇଥିଲେ ।

ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର କୁନମୁନଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ଦେବାଶିଷଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ତେବେ
ବାଟରେ ତାଙ୍କର ଅବସ୍ଥା ଗୁରୁତର ହେବା ଯୋଗୁଁ ଦେବାଶିଷଙ୍କୁ ଖୋର୍ଦ୍ଧା ଜିଲା ହସ୍ପିଟାଲରେ  ନିଆ ଯାଇଥିଲା। କିନ୍ତୁ ଡାକ୍ତର ସେଠାରେ  ଦେବାଶିଷଙ୍କୁ ମୃତ ଘୋଷଣା କରିଥିଲେ ।  ଚାଳକଙ୍କ ଆଖି ଲାଗିଯିବା ଫଳରେ କାରଟି ଗଛକୁ ପିଟି ହୋଇଯାଇଥିବା କୁହାଯାଉଛି । ଘଟଣା ସ୍ଥଳରେ ବୁଗୁଡା ପୋଲିସ୍ ପହଞ୍ଚି ଗାଡିକୁ ଜବତ କରିବା ସହ ମୃତଦେହକୁ ଜବତ କରି ଏଏସଆଇ ସୁମନ୍ତ କୁମାର ବେହେରା ତଦନ୍ତ କରୁଥିବା ଜଣାଯାଇଛି ।

 

Dharitri – Odisha’s No.1 Odia Daily

Share