ଟ୍ରାକ୍ଟରକୁ ଧକ୍କାଦେଲା ପିକ୍‌ନିକ୍‌ ବସ୍, ୨୦ ଆହତ

ଡୁଙ୍ଗୁରିପାଲି ୨୩/୧୨ (ଦୀନବନ୍ଧୁ ସୁନା ): କୁହୁଡି ପାଇଁ ଦୁର୍ଘଟଣା । କୁହୁଡି ପାଇଁ ରାସ୍ତା ନଦେଖାଯିବା କାରଣରୁ ଧାନ ବୋଝେଇ ଟ୍ରାକ୍ଟର୍‌କୁ ଧକ୍କା ଦେଲା ପିକ୍‌ନିକ୍‌ ବସ୍  । ତେବେ ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଥିବା ସୂଚନା ରହିଛି । ତେବେ ଆହତମାନଙ୍କୁ ଉଦ୍ଧାର କରାଯାଇ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ମଙ୍ଗଳବାର ବରଗଡ ଜିଲା ପଦ୍ମପୁର ମେଲଚ୍ଛାମୁଣ୍ଡା ଥାନା ବୁଢାସମର ନିକଟରେ ଥିବା ଜ୍ଞାନ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଞ୍ଚମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ର, ଶିକ୍ଷକ, ଅଭିଭାବକ ଉକ୍ତ ବସରେ ରହିଥିଲେ । ଘରୋଇ ବସ୍ ଗାଡି ନମ୍ବର -OR-୧୭J ୮୯୫୫ ସୁବର୍ଣ୍ଣପୁର ଉଲୁଣ୍ଡା ପାତାଳି ଶ୍ରୀକ୍ଷେତ୍ର ଦର୍ଶନୀୟ ସ୍ଥାନକୁ ପିକନିକ ପାଇଁ ନେଇଯାଉଥିଲା । ବସଟି ଭୁଲ ରାସ୍ତାରେ ଆସି ଡୁଙ୍ଗୁରିପାଲି -ରାମପୁର ରାସ୍ତାର ସାଲେପାଲି ନିକଟରେ ଥିବା ଏକ ରାଇସ ମିଲ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ଧାନ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା ।

ଘନ କୁହୁଡି ଯୋଗୁଁ ଦେଖି ନପାରି ବସଟି ଧକ୍କା ଦେଇଥିବା ନେଇ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଅନ୍ୟପକ୍ଷେ ତୁରନ୍ତ ଖବର ପାଇଁ ଡୁଙ୍ଗୁରିପାଲି ଅଗ୍ନୀଶମ ସେବା କେନ୍ଦ୍ର ବାହିନୀ ଓ ପୋଲିସ ବାହିନୀ ଦୁର୍ଘଟଣା ସ୍ଥାନକୁ ପହଞ୍ଚି ଆହତ ଛାତ୍ରୀଛାତ୍ର ଓ ଶିକ୍ଷକ ମୋଟ ୨୦ ଜଣଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଛାତ୍ର ସୌମ୍ୟରଞ୍ଜନ ଭୋଇଙ୍କ ଛାତିରେ ଗୁରୁତର ଆଘାତ, ସିଆରସିସି ସୁଶୀଲ କୁମାର ଶିକାଙ୍କ ବାମଗୋଡ଼ ଓ ଶିକ୍ଷକ ଲକ୍ଷ୍ମଣ ଗଡତିଆ ବାମ ଗୋଡ଼ ଭାଙ୍ଗିଯାଇଥିବାରୁ ୩ ଜଣଙ୍କୁ ଗୁରୁତର ଅବସ୍ଥା ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବସରେ ମୋଟ ୫୫ ଜଣ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ପାତାଳି ଶ୍ରୀକ୍ଷେତ୍ର ଦର୍ଶନ ଶହ ପିକନିକ ପାଇଁ ଯାଉଥିଲେ । ଦୁର୍ଘଟଣା ସ୍ଥଳକୁ ଡୁଙ୍ଗୁରିପାଲି ଥାନା ଅଧିକାରୀ ରୋଜାଲିନ ପଟେଲ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

 

Dharitri – Odisha’s No.1 Odia Daily