
ଦିଗପହଣ୍ଡି,୧୭।୪,(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଜକମେରୀପଲ୍ଲୀ ଗ୍ରାମ ରାମନଦୀରେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ୫୯.୯୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଅନ୍ତଃ ନଦୀଜଳ ସଂରକ୍ଷଣ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି। ଚିକିଟି ଜଳସମ୍ପଦ ଡିଭିଜନ କାର୍ଯ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ଉଦଘାଟନୀ ସମାରୋହରେ ଦିଗପହଣ୍ଡି ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପୂର୍ବତନ ବିଧାୟକ ଡ଼. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରଚେଷ୍ଟାରେ ଉକ୍ତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଗତ ୨୦୨୧ ଡିସେମ୍ବର ୧୮ ରୁ ଏହି ପ୍ରକଳ୍ପ ନgର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୭ ଜୁନ ୨୦୨୪ ରେ ଶେଷ ହୋଇଥିଲା । ଗତ ମାର୍ଚ୍ଚ ୮ ରେ ଆଭାସୀ ମାଧ୍ୟମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ପ୍ରକଳ୍ପର ଏହାର ଉଦଘାଟନ କରିଥିଲେ ମଧ୍ୟ ଗୁରୁବାର ପୁଣିଥରେ ବିଧାୟକଙ୍କ ଦ୍ବାରା ଏହା ଉଦଘାଟିତ ହୋଇଥିଲା । ଏହି ପ୍ରକଳ୍ପ ଦ୍ବାରା ଆଖପାଖ ଗ୍ରାମକୁ ପାନୀୟଜଳ ଏବଂ ଚାଷ ଜମିକୁ ଜଳସେଚନର ସୁବିଧା ହୋଇପାରିବ ବୋଲି ଜଣାପଡିଛି । ବ୍ରହ୍ମପୁର ସ୍ଥିତ ଋଷିକୂଲ୍ୟା – ବାହୁଦା ବେସିନ ଜଳ ସମ୍ପଦ ବିଭାଗୀୟ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ. ରାଜୀବ ପଣ୍ଡିତ , ଚିକିଟି ଜଳସମ୍ପଦ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ. ସୁବ୍ରତ ପଟ୍ଟନାୟକ , ଘୋଡାହଡ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଏ.ଗୋପାଳ ରାଓ , ସହକାରୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ , ଇଂ. ଦେବରାଜ ଗୈାଡ , ଇଂ. କ୍ଷୀରୋଦ ବେହେରା , ସ୍ଥାନୀୟ ସରପଞ୍ଚ ଗୈାରୀ ବିଷୋୟୀ , ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ , ବାସୁଦେବପୁର ସରପଞ୍ଚ ପ୍ରତିନିଧି ଏମ. ସନ୍ତୋଷ , ଗୋକର୍ଣ୍ଣପୁର ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରାଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ ।