ସମ୍ଭାବ୍ୟ ରୌଦ୍ରତାପଜନିତ ଅଂଶୁଘାତ ଆଶଙ୍କା: ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଶ୍ରମିକଙ୍କ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର,୧୯ା୨(ସୁଚିସ୍ମିତା ସାହୁ): ଚଳିତ ବର୍ଷ ଖରାର ଉତ୍ତାପ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଫେବୃଆରୀ ମାସରୁ ଖରାର ତାପମାତ୍ରା ବୃଦ୍ଧି ପାଉଥିବାରୁ ଅପ୍ରେଲ ମାସରେ ରୌଦ୍ରତାପ ବୃଦ୍ଧି ଯୋଗୁଁ ଅଂଶୁଘାତ ଆଶଙ୍କା ବଢ଼ିଯାଇଛି। ଏଣୁ ସମ୍ପୂର୍ଣ୍ଣ ଖରାରେ କାର୍ଯ୍ୟରତ ଶ୍ରମିକଙ୍କୁ ଚଳିତ ଅପ୍ରେଲ ୧ ତାରିଖରୁ ଜୁନ ୧୫ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପ୍ରଚଣ୍ଡ ଖରାରେ କାର୍ଯ୍ୟ କରିବାକୁ ବାରଣ କରାଯାଇଛି। ଶ୍ରମିକମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ନିମନ୍ତେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ସମସ୍ତ ରାଜସ୍ବ କମିଶନର, ସମସ୍ତ ଜିଲାର ଜିଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଯଦ୍ୱାରା ସରକାରଙ୍କ ସମସ୍ତ ବିଭାଗ ତଥା ଓଡିଶାରେ ଥିବା ଭାରତ ସରକାରଙ୍କର ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଏବଂ ଠିକାଦାରଙ୍କ ଅଧୀନରେ କାର୍ଯ୍ୟରତ ଶ୍ରମିକଙ୍କୁ ଚଳିତ ଅପ୍ରେଲ ମାସ ୧ରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାର୍ଯ୍ୟରେ ନ ଲଗାଇବାକୁ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରିବେ।

ସକାଳ ସମୟ କିମ୍ବା ୩ଟା ପରେ କାର୍ଯ୍ୟରେ ନିୟୋଜିତ କରିବାକୁ କୁହାଯାଇଛି। ଯଦି କୌଣସି କାର୍ଯ୍ୟ ଅତ୍ୟନ୍ତ ଜରୁରୀ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡିତ ତାହେଲେ ସେହି ସମୟରେ ଶ୍ରମିକମାନେ କାର୍ଯ୍ୟ କରିପାରିବେ। କିନ୍ତୁ ନିଯୁକ୍ତିଦାତାମାନେ ଶ୍ରମିକଙ୍କୁ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ଶୀତଳ ପାନୀୟ ଜଳର ସୁବ୍ୟବସ୍ଥା, ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା, ପ୍ରତ୍ୟେକ ଶ୍ରମିକ ପାଇଁ ଓଆର୍‌ଏସ ପ୍ୟାକେଟ ପ୍ରଦାନ ଭଳି ସୁବିଧା କରିବାକୁ ପଡିବ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଚିକିତ୍ସାଧିକାରୀ (ଏସିଡିଏମଓ), ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ପିଏଚସି), କମ୍ୟୁନିଟି ହେଲଥ ସେଣ୍ଟର (ସିଏଚସି) ଚିକିତ୍ସାଳୟ ଗୁଡିକର ଚିକିତ୍ସାଧିକାରୀ ତଥା କର୍ମଚାରୀ ରାଜ୍ୟବୀମା ଯୋଜନା ଅଧୀନରେ ଥିବା ଚିକିତ୍ସାଳୟର ଚିକିତ୍ସାଧିକାରୀଙ୍କୁ ପ୍ରଚଣ୍ଡ ରୌଦ୍ରତାପଜନିତ ପରିସ୍ଥିତିର ସମ୍ଭାବ୍ୟ ମୁକାବିଲା ସହ ରୋଗର ଚିକିତ୍ସା ପାଇଁ ସତର୍କ ରହିବାକୁ ଅନୁରୋଧ କରାଯାଉଛି ।