ବାଲିମାଫିଆଙ୍କ କବ୍‌ଜାରେ ଋଷିକୂଲ୍ୟା: ପୁଣି ରାଇପୁରରେ ବେଆଇନ ବାଲିଘାଟକୁ ଗ୍ରାମବାସୀଙ୍କ ବିରୋଧ

ପୁରୁଷୋତ୍ତମପୁର,୧୯ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବାଲିମାଫିଆମାନେ ଦିନକୁଦିନ ସକ୍ରିୟ ହୋଇଉଠିଛନ୍ତି। ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାରକୁ ରୋକିବା ଲାଗି ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଡ଼ା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ମାଫିଆମାନେ ବିନାଦ୍ବିଧାରେ ଋଷିକୂଲ୍ୟା ନଦୀର ବିଭିନ୍ନ ସ୍ଥାନରୁ ବାଲି ଚୋରାଇ ନେବାରେ ଲାଗିପଡ଼ିଛନ୍ତି। ଏପରିକି ବାଲି ଉଠାଇ ନେବା ଲାଗି ରାଇପୁର ଗ୍ରାମଠାରେ ଋଷିକୂଲ୍ୟାନଦୀକୁ ରାସ୍ତା ନିର୍ମାଣ କରି ରାତିଅଧିଆ ବାଲି ବୋହି ନେବାରେ ଲାଗିଥିବା ବେଳେ ପ୍ରଶାସନ ଆଖି ବୁଜିଦେଇଛି। ଏଥିନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। କାହା ଅନୁମତିରେ ରାସ୍ତା ନିର୍ମାଣ କରାଯାଇଛି ଓ ଏଥିଲାଗି କିଏ ନିର୍ଦ୍ଦେଶ ଦେଇଛି ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ରାଇପୁରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି। ବାଲିଘାଟକୁ ବିରୋଧ କରି ବୁଧବାର ଗ୍ରାମବାସୀ ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟରେ ଫେରାଦ ହୋଇ ରାସ୍ତାନିର୍ମାଣର ପ୍ରତିବାଦ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ନତୁବା ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାର ନେଇ ଚେତାବନୀ ଦେଇଛନ୍ତି। ବାଲିଉଠାଣ ଦ୍ବାରା ଜନବସତି ଓ ଚାଷଜମି, ନଦୀକୂଳ କ୍ଷୟ ଘଟୁଥିବାର କହିଛନ୍ତି। ଏପରିକି ଗତ ୨୦୦୬ରେ ଏଠାରେ ବାଲିଘାଟ କରାଯାଇଥିବାବେଳେ ଏହି କାରଣକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ ଓ ଆନ୍ଦୋଳନକୁ ନେଇ ବାଲି ଉତ୍ତୋଳନ ବନ୍ଦ କରାଯାଇଥିଲା। ମାତ୍ର ପୁଣି ବର୍ତ୍ତମାନ ନଦୀକୁ ରାସ୍ତା ନିର୍ମାଣ କରି ବାଲିଚାଲାଣର ଆରମ୍ଭ ହୋଇଥିବାର ନେଇ ଅଭିଯୋଗ ହୋଇଛି। ଏଣୁ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏଠାରେ ନଦୀକୁ ସଂଯୋଗ ଲାଗି କରାଯାଇଥିବା ରାସ୍ତାକୁ ହଟାଇବା ସହ ବାଲିଚାଲାଣ ବନ୍ଦ ଲାଗି ପଦକ୍ଷେପ ନେବା ଓ ଏପରି କାର୍ଯ୍ୟ କରୁଥୁବା ବାଲିମାଫିଆଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ଦାବି କରିଛନ୍ତି। ଏହାକୁ ବ୍ରହ୍ମପୁର ଖଣି ବିଭାଗୀୟ ଅଧିକାରୀ କୀର୍ତ୍ତିରଞ୍ଜନ ସେଠ୍‌ଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ରାଇପୁରଠାରେ ଋଷିକୂଲ୍ୟା ନଦୀରେ ବାଲିଉଠାଣ ଲାଗି କୌଣସି ଟେଣ୍ଡର ହୋଇନାହିଁ। ଗତ କିଛିଦିନ ତଳେ ନଦୀରେ ରାସ୍ତା ପକାଯାଉଥିବାର ଖବରପାଇ ଘଟଣାସ୍ଥଳକୁ ଯାଇ ବନ୍ଦ କରାଯାଇଥିଲା। ମାତ୍ର ପୁଣି ବାଲି ଉଠାଇବା ସମ୍ପର୍କରେ ସେମିତି କିଛି ଖବର ନାହିଁ। ତୁରନ୍ତ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Trusted Odia Daily

Share