Categories: Uncategorized

କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୮।୩: ନିକଟରେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ତିରଥ ସିଂ ରାୱତ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ମନ୍ତବ୍ୟ ଯୋଗୁ ଚାରିଆଡ଼େ ସେ ସମାଲୋଚନାର ଶିକାର ହେଉଛନ୍ତି। ମହିଳାମାନେ ଚିରା ଓ ଫଟା ଜିନ୍ସ ପିନ୍ଧି ସମାଜକୁ କି ପ୍ରକାରର ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ରାୱତ ପ୍ରଶ୍ନ କରିଥିଲେ। ଏହା ଉପରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ମହିଳା ଏହାକୁ ନେଇ ଆପତ୍ତି ଉଠାଛନ୍ତି। ବିବାଦ ବଢୁଥିବା ଦେଖି ମୁଖ୍ୟମନ୍ତ୍ରୀ କ୍ଷମା ମାଗିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ମୁଁ ସାମାନ୍ୟ ଏକ ଗ୍ରାମୀଣ ପରିବାରରୁ ଆସିଛି। ସ୍କୁଲ ଯାଉଥିବାବେଳେ ଯଦି କେବେ ପ୍ୟାଣ୍ଟ୍‌ ଫାଟିଯାଏ ତେବେ ଗୁରୁଜୀଙ୍କ ଡରରେ ତା’ ଉପରେ ପ୍ୟାଚ୍‌ ପକାଇ ଯାଉଥିଲୁ। ଏବେ କିନ୍ତୁ ଫଟା ଜିନ୍ସ ମାର୍କେଟରେ ମିଳୁଛି, ଯଦି ତାହା ନ ଫାଟିଥାଏ ତେବେ ପିଲାମାନେ ଘରେ ଆଣି କଇଁଚିରେ କାଟିଦେଉଛନ୍ତି। ସଂସ୍କାର ଏବଂ ଅନୁୁଶାସନ ପିଲାମାନେ ଘରୁ ଶିଖିଥାନ୍ତି। ମୋର ବି ଗୋଟିଏ ଝିଅ ଅଛି, ମୁଁ ସମସ୍ତଙ୍କ ପାଇଁ କହିଛି ବୋଲି ତିରଥ କହିଛି। ଯଦି ମୋ କଥାରେ କାହା ହୃଦୟକୁ ଆଘାତ ଲାଗିଛି ତେବେ ମୁଁ କ୍ଷମା ଚାହୁଁଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଶିଶୁ ସୁରକ୍ଷା ଆୟୋଗର ଏକ କର୍ମଶାଳାର ଉଦଘାଟନ ସମୟରେ ତିରଥ ସିଂ ରାୱତ ମହିଳା ପୋଷାକକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଆଜିକାଲି ମହିଳାମାନେ ଚିରା ଜିନ୍ସ ପିନ୍ଧୁଛନ୍ତି, ଏସବୁ ଠିକ କି … ଏହା କି ପ୍ରକାର ସଂସ୍କାର? ପିଲାମାନଙ୍କ ମଧ୍ୟରେ କେମିତି ସଂସ୍କାର ଆସେ। ଏହା ଅଭିଭାବକଙ୍କ ଉପରେ ନିର୍ଭର କରେ। କିଛି ମହିଳା ପାଶ୍ଚାତ୍ୟ ସଂସ୍କୃତି ଦ୍ୱାରା ପ୍ରଭାବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା।