ପାଣିରେ ଭାସୁଛି ପାଚିଲା ଧାନ, ଗଜା ବାହାରିବା ଦେଖି ଚାଷୀ…

ଗଞ୍ଜାମ,୧୩ା୧୧(ବିଦ୍ୟାଧର ସାହୁ): ବାତ୍ୟା ମୋନ୍ଥା ପ୍ରଭାବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଏବେ ପାଚିଲା ଧାନରେ କେନାଲ ପାଣି ପଶିଛି। ଚାଷୀ ଧାନ ଅମଳ କରି ଘରକୁ ନେବା ସମୟରେ ଜଳସେଚନ ବିଭାଗର ଖାମଖିଆଲ ନୀତି ଯୋଗୁ ପାଚିଲା ଧାନ ଏବେ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ତିନୋଟି ପଞ୍ଚାୟତ ତଥା ହୁମା, ରାମଗଡ଼ ଓ ପାଳିବନ୍ଧ ପଞ୍ଚାୟତର ୮ଟି ଗ୍ରାମର ଚାଷୀଙ୍କ ଶହ ଶହ ଏକର ଧାନଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ହୁମା ଖଟୁଆ କୁଦା ରାସ୍ତାପାର୍ଶ୍ୱରେ ଥିବା ଚାଷଜମିରେ ପାଚିଲା ଧାନରୁ ଗଜା ବାହାରି ଥିବା ଦେଖିବାକୁ ମିଳିଛି। ଫଳରେ ପାଳିବନ୍ଧ ପଞ୍ଚାୟତର ହୁମା, ଖଟୁଆକୁଦା, ମୟୁରପଦା, ନୀଳାଦ୍ରିପୁର କଣ୍ଟିଆଗଡ଼ ଓ ରାମଗଡ଼ ପଞ୍ଚାୟତର ପୋଡ଼ଗଡ଼, ଝାଟି ପଦର ଆଦି ଅଞ୍ଚଳ ଚାଷୀଙ୍କ ଧାନଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ଚାଷୀ ଭିକାରୀ ଛଟେଇ, ଶିଶିର କୁମାର ଛୋଟରାୟ, ଲକ୍ଷ୍ମୀ ପଲାଇ, କୃଷ୍ଣ ସ୍ବାଇଁ, ନାରାୟଣ ସ୍ବାଇଁ, କାଶୀନାଥ ପ୍ରଧାନ, ହାଡ଼ି ସ୍ବାଇଁ, ଚନ୍ଦ୍ର କେତୁ ସ୍ବାଇଁ, ମଙ୍ଗୁଳୁ ସ୍ବାଇଁ, ଶେଷଦେବ ସ୍ବାଇଁଙ୍କର ଏଥିପାଇଁ ଅଧିକ କ୍ଷତି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଜଳସେଚନ ବିଭାଗ ପକ୍ଷରୁ ହୀରାଧାର ବାଟି କେନାଲରୁ ପାଣି ଛାଡ଼ି ଦେବା ଫଳରେ ଧାନଚାଷ କ୍ଷୟକ୍ଷତି ଘଟିଥିବା ଚାଷୀ ଭିକାରୀ ଛଟେଇ ଅଭିଯୋଗ କରିଛନ୍ତି। ଏନେଇ ବିଭାଗୀୟ ଅଧିକାରୀ ଅବଗତ କରାଯିବାରୁ ଆହୁରି ୧୫ରୁ ୨୦ ଦିନ ଏମିତି କେନାଲରୁ ପାଣି ଛଡ଼ାଯିବ ବୋଲି ବିଭାଗୀୟ ଅଧିକାରୀ କହୁଥିବା ଚାଷୀ ସୂର୍ଯ୍ୟ ସ୍ବାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପାଣିର ଦରକାର ବେଳେ ଜଳସେଚନ ବିଭାଗ ମୁହଁ ମୋଡ଼ିଥିବା ବେଳେ ଅଦରକାରୀ ସମୟରେ ପାଚିଲା ଧାନଚାଷ ଜମିକୁ ପାଣି କିଭଳି କେନାଲ ପାଣି ଛାଡ଼ିଲେ ତାହା ଦୁର୍ଭାଗ୍ୟର ବିଷୟ ବୋଲି ଖଟୁଆ କୁଦା ଗ୍ରାମର ଚାଷୀ ବୃନ୍ଦାବନ ପ୍ରଧାନ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଧାନ ସବୁ ଗଜା ହେଇଯିବା ପରେ ମଣ୍ଡି ଚାଷୀଙ୍କଠାରୁ ଧାନ କିଣିବନି। ଅମଳ ସମୟରେ ଚାଷୀ ଧାର ଉଦ୍ଧାର କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। କିଭଳି ଋଣ ଶୁଝିବେ ବୋଲି ପୂର୍ବତନ ସରପଞ୍ଚ ତଥା ଚାଷୀ ମୂଲିଆ ନେତା ଦିଲ୍ଲୀପ କୁମାର ଛୋଟରାୟ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି। ଜିଲା ପ୍ରଶାସନ ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ନତୁବା ବାଧ୍ୟ ହୋଇ ଚାଷୀ ତହସିଲ ଅଫିସ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେବା ସହ ଆନ୍ଦୋଳତ୍ମକପନ୍ଥା ଗ୍ରହଣ କରାଯିବ ବୋଲି କୃଷକ ନେତା ଛୋଟରାଏ ଗଣମାଧ୍ୟମକୁ କହିଛନ୍ତି।

Dharitri – Odisha’s No.1 Trusted Odia Daily

Share