ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ ଘର ଓ ଦୋକାନ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି। କେରୋନିରେ ସେମାନେ ପୋଲିସ ଉପରକୁ ବୋମାମାଡ଼ କରିବା ସହ ପଥର ଓ ଧନୁତୀରରେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଆଇପିଏସ୍ ଅଫିସରଙ୍କ ସମେତ ୩୮ ଜଣ ପୋଲିସ ଆହତ ହୋଇଛନ୍ତି।
ସୋମବାର ସନ୍ଧ୍ୟାରୁ କାର୍ବି ଆଙ୍ଗ୍ଲଙ୍ଗ ଏବଂ ଓ୍ବେଷ୍ଟ କାର୍ବି ଆଙ୍ଗଲଙ୍ଗ୍ ଜିଲାରେ ବିଏନ୍ଏସ୍ଏସ୍ର ଧାରା ୧୬୩ ଅଧୀନରେ ନିଷିଦ୍ଧାଦେଶ ଲାଗୁ ହୋଇଥିଲେ ମଧ୍ୟ ସଂଘର୍ଷ ଥମିନାହିଁ। ହିଂସା ଜାରି ରହିଥିବାରୁ ରାଜ୍ୟ ସରକାର ସାମୟିକ ଭାବେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ଡାଟା ସେବା ବନ୍ଦ କରିଦେଇଛନ୍ତି। ଗ୍ରାମ ଚାରଣ ଭୂମିରୁ ବାହାର ଲୋକଙ୍କୁ ବହିଷ୍କାର କରିବା ଦାବିରେ ଆଦିବାସୀ କାର୍ବି ସମ୍ପ୍ରଦାୟର ଲୋକମାନେ ବିକ୍ଷୋଭରେ ସାମିଲ ହୋଇଛନ୍ତି। ଜିଲାରେ ଉତ୍ତେଜନା ଲାଗିରହିଥିବାରୁ ସୋମବାରଠାରୁ ପୋଲିସ ଡିଜି ହର୍ମିତ ସିଂ ସେଠାରେ ରହିଛନ୍ତି। ସେ କହିଛନ୍ତି, ମଙ୍ଗଳବାର ଉଭୟ ପାର୍ଶ୍ୱରୁ ଆକ୍ରମଣ ହେବାରୁ ଜଣେ ଆଇପିଏସ୍ ଅଫିସରଙ୍କ ସମେତ ୩୮ ଜଣ ପୋଲିସ ଆହତ ହୋଇଛନ୍ତି। ତାଙ୍କ କାନ୍ଧରେ ମଧ୍ୟ ଆଘାତ ଲାଗିଥିବା ସିଂ କହିଛନ୍ତି। ଆଉ ହିଂସାରେ ସାମିଲ ହେବେନାହିଁ ବୋଲି ବିକ୍ଷୋଭକାରୀ ସୋମବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ମଙ୍ଗଳବାର କେତେକ ଦୋକାନ ଉପରେ ଆକ୍ରମଣ କରିବା ସହ ଗ୍ୟାସ୍ ସିଲିଷ୍ଟର ବିସ୍ଫୋରଣ କରାଇଥିଲେ। ପୋଲିସ ଉପରକୁ ସେମାନେ ବୋମା ଫିଙ୍ଗିଥିଲେ। ଜଣେ ପୋଲିସ କର୍ମଚାରୀଙ୍କୁ ତୀର ମାଡ଼ ହୋଇଛି। ପୋଲିସ କେବଳ ଲୁହବୁହା ବାଷ୍ପ ଓ ରବର ବୁଲେଟ୍ ମାଡ଼ କରିଥିଲା। ଶାନ୍ତି ପାଇଁ ଡିଜିପି ନିବେଦନ କରିଥିବାବେଳେ ହିଂସା ଜାରି ରହିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ଖେରୋନିରେ ଅନଶନରେ ସାମିଲ ଥିବା ୯ ଜଣଙ୍କୁ ରବିବାର ରାତିରେ ପୋଲିସ ଗିରଫ କରିଥିବା ଖବର ପ୍ରଚାରିତ ହେବା ପରେ ସୋମବାର ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ କାର୍ବି ଆଙ୍ଗ୍ଲଙ୍ଗ ସ୍ବୟଂଶାସତ ପରିଷଦ (କେଏଏସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ଟୁଲିରାମ ରୋଙ୍ଗ୍ହାଙ୍ଗ୍ଙ୍କ ପୁରୁଣା ଘରକୁ ଜାଳିଦେଇଥିଲେ।
Dharitri – The Largest & Most Trusted Odia Daily


