ରାଇସ୍‌ ମିଲ୍‌ କରୁଛି ପ୍ରଦୂଷଣ: ମିଲ୍‌ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍‌

ବରଗଡ଼ ଅଫିସ୍‌,୩୧।୧: ବରଗଡ଼ ଜିଲାରେ ଛତୁ ଫୁଟିଲା ଭଳି ରାଇସ୍‌ ମିଲ୍‌ ଗଢ଼ି ଉଠୁଛି। କେତେକ ରାଇସ୍‌ ମିଲ୍‌ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଗାଇଡଲାଇନ୍‌ ମାନୁ ନ ଥିବା ଯୋଗୁ ପ୍ରଦୂଷଣ ବଢ଼ି ଚାଲିଛି। ଅନ୍ୟପଟେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଲୋକଦେଖାଣିଆ ଭାବେ କେତେକ ନିର୍ଦ୍ଦିଷ୍ଟ ରାଇସ୍‌ ମିଲ୍‌ ମାଲିକଙ୍କୁ ନୋଟିସ୍‌ ଜାରି କରି ହାତ ବାନ୍ଧି ବସିଛି। ଏହା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି । ଶନିବାର ବରଗଡ଼ ଜିଲା ଭଡ଼ିଗାଁ ନିକଟ ଲୋହିଣିପଦରସ୍ଥିତ ଏକ ରାଇସ୍‌ ମିଲ୍‌ ଉମାଶଙ୍କର ଫୁଡ୍‌ ପ୍ରଡ଼କ୍ଟସ୍‌କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଅନୁରୂପ ଏକ କାରଣ ଦର୍ଶାୟ ନୋଟିସ୍‌ ଜାରି କରାଯାଇଛି । ୧୫ଦିନ ମଧ୍ୟରେ ସ୍ପଷ୍ଟୀକରଣ ନ ମିଳିଲେ ସମ୍ପୃକ୍ତ ରାଇସ୍‌ ମିଲ୍‌ ବିରୋଧରେ ବନ୍ଦ ନୋଟିସ୍‌ ଜାରି କରାଯିବ ବୋଲି କୁହାଯାଇଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ପତ୍ରସଂଖ୍ୟା-୫୦୨ ତା-୨୯।୧।୨୦୨୧ରେ ଉଲ୍ଲେଖ ରହିଛି, ଉକ୍ତ ରାଇସ୍‌ ମିଲ୍‌ ଚଳାଇବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଦିଆଯାଇଥିବା ଅନୁମତିର ଅବଧି ୨୦୨୫ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରହିଛି । ତେବେ ଅନୁମତି ପ୍ରଦାନ ସମୟରେ ଯେଉଁ ସର୍ତ୍ତ ରଖାଯାଇଥିଲା, ସମ୍ପୃକ୍ତ ରାଇସ୍‌ ମିଲରେ ଉଲ୍ଲଂଘନ କରାଯାଇଛି । ଗତ ୨୦ତାରିଖରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଜଣେ ଅଧିକାରୀ ଡଃ ଏସ. ଏନ୍‌ ପଣ୍ଡା ଉକ୍ତ ମିଲ୍‌କୁ ନିରୀକ୍ଷଣରେ ଯାଇଥିଲେ। ସେହି ସମୟରେ ମିଲ୍‌ରେ ଧୂଆଁ ତଥା ବର୍ଜ୍ୟବସ୍ତୁ ନିଷ୍କାସନ ବ୍ୟବସ୍ଥା ଠିକ୍‌ ନ ଥିବା ଜଣାପଡ଼ିଥିଲା। ଏହା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଗାଇଡ୍‌ଲାଇନ୍‌କୁ ଅବମାନନା କରୁଥିବା ଯୋଗୁ ଆସନ୍ତା ୧୫ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମ୍ପର୍କରେ ବରଗଡ଼ ଜିଲାପାଳ ଏବଂ ଜିଲା ଯୋଗାଣ ଅଧିକାରୀଙ୍କୁ ସୂଚୀତ କରାଯାଇଥିବା ନୋଟିସରେ ଉଲ୍ଲେଖ ରହିଛି।