ଭୁବନେଶ୍ୱର, ୨୪।୨(ସୁନିତ ମିଶ୍ର):ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯେଉଁଥିପାଇଁ ରାଜ୍ୟର ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି। ତେଣୁ ଚାଷୀଙ୍କ ସ୍ବାର୍ଥ ପାଇଁ ବିଜେଡି ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଲୋୟର ପିଏମ୍ଜିଠାରେ ଏକ ବିଶାଳ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।
ଶଙ୍ଖ ଭବନଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସହିତ ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ମହିଳା ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଚଳିତ ବର୍ଷ ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ପ୍ରଥମ ଦିନରୁ ଅବ୍ୟବସ୍ଥା ଲାଗି ରହିଛି। ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ, ଟୋକନ ବିତରଣ, ମଣ୍ଡିରେ ଧାନ ସଂଗ୍ରହ ବ୍ୟବସ୍ଥା, କଟ୍ନି ଛଟ୍ନି ଇତ୍ୟାଦି ରାଜ୍ୟର ଚାଷୀମାନଙ୍କୁ ନାହିଁ ନ ଥିବା ଅସୁବିଧାରେ ପକାଇଛି। ରାଜ୍ୟର ପ୍ରତି ବ୍ଲକରେ ଓ ଜିଲାରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି। କିନ୍ତୁ ରାଜ୍ୟ ସରକାର ଚାଷୀମାନଙ୍କ ସମସ୍ୟାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନାହାନ୍ତି।
ରାଜ୍ୟର ଚାଷୀ ସମୁଦାୟକୁ ପ୍ରତିଶ୍ରୁତିରେ ପୋତି ପକାଇ ଭୋଟ ହାତେଇବା ପରେ ଏବେ ଚାଷୀମାରଣ ନୀତି ଆପଣେଇଛନ୍ତି। ତେଣୁ ଏହି ନୀତି ବିରୋଧରେ ବିଜେଡି ପକ୍ଷରୁ ଏକ ବିଶାଳ ବିକ୍ଷୋଭ ଆୟୋଜନ କରାଯିବ।
ବିଜେଡି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଗତ ୨ ତାରିଖରୁ ରାଜ୍ୟର ବିଭିନ୍ନ ଜିଲାରେ ଚାଷୀଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହି ଅବସରରେ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ସଞ୍ଜୟ ଦାସବର୍ମା ଉପସ୍ଥିତ ଥିଲେ।