ମ୍ୟୁଟେସନ କରାଇ ଦେବାକୁ ଲାଞ୍ଚ ନେଉଥିଲେ ଆର୍‌ଆଇ, ମାଡ଼ିବସିଲା ଭିଜିଲାନ୍ସ

କଟକ,୨୨ା୧(କାର୍ତ୍ତିକ ସାହୁ): କଟକ ସଦର ତହସିଲ ଅନ୍ତର୍ଗତ କଖଡ଼ି ସର୍କଲ ଆର୍‌ଆଇ ଜାନକୀ ରଞ୍ଜନ ମଲ୍ଲିକ ମ୍ୟୁଟେସନ ମାମଲାରେ ଗୁରୁବାର ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ।
ଜମି ମାଲିକ ଏଥିପାଇଁ ଅନଲାଇନରେ ଆବେଦନ କରିଥିଲେ। କିନ୍ତୁ ଅଭିଯୁକ୍ତ ଆରଆଇ ୨୭.୧.୨୬ରେ ମ୍ୟୁଟେସନ ମାମଲାର ଶୁଣାଣି ପାଇଁ ତାରିଖ ସ୍ଥିର କରିଥିଲେ ଏବଂ ଜମି ମାଲିକଙ୍କୁ ୨୦.୧.୨୬ରେ ଆର୍‌ଆଇ କାର୍ଯ୍ୟାଳୟରେ ହାଜର ହେବାକୁ କହିଥିଲେ। ଯେତେବେଳେ ଜମି ମାଲିକ ୨୦.୧.୨୬ରେ ଆରଆଇଙ୍କୁ ଭେଟିଥିଲେ। ଆର୍‌ଆଇ ମଲ୍ଲିକ ଏହି ମାମଲାରେ ରିପୋର୍ଟ ଦାଖଲ କରିବା ପାଇଁ ତାଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। କିନ୍ତୁ ଜମି ମାଲିକ ଲାଞ୍ଚ ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ। ତଥାପି ଆର୍‌ଆଇ ଜମି ମାଲିକଙ୍କଠାରୁ ଲାଞ୍ଚ ନେବାକୁ ଜିଦ ଧରିଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ଜମି ମାଲିକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍‌ ଆଜି ଆରଆଇଙ୍କୁ ତାଙ୍କ କାର୍ଯ୍ୟାଳୟରେ ଜମି ମାଲିକଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲେ। ଅଭିଯୁକ୍ତ ଆରଆଇଙ୍କଠାରୁ ସମସ୍ତ ଦାଗି ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି।

ଏହା ପରେ ଆର୍‌ଆଇଙ୍କ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଏ ସମ୍ପର୍କରେ କଟକ ଭିଜିଲାନ୍ସ ପିଏସ୍‌ କେସ୍‌ ନମ୍ବର ୩/୨୬ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Dharitri – Odisha’s No.1 Odia Daily

Share