Posted inଜାତୀୟ

କାଳ କୋଠରିରେ ବିପ୍ଳବୀ ବାରବରା

ନୂଆଦିଲ୍ଲୀ,୨୨ା୭: ବିପ୍ଳବୀ କବି ପି. ବାରବରା ରାଓ ଜଣେ ରାଜନୈତିକ ବନ୍ଦୀ, ଯାହାଙ୍କୁ ଏଲ୍‌ଗାର ପରିଷଦ ମାମଲାରେ ୨ ବର୍ଷ ହେଲା ଜେଲରେ ରଖାଯାଇଛି। ଏହି ୮୦ ବର୍ଷୀୟ ବହୁମୁଖୀ ପ୍ରତିଭା ଗୁରୁବାର କୋଭିଡ୍‌-୧୯ ଚିହ୍ନଟ ହେବା ପରେ ତାଙ୍କୁ ନବି ମୁମ୍ବାଇସ୍ଥିତ ତଲୋଜା ସେଣ୍ଟ୍ରାଲ ଜେଲ୍‌ରୁ ପ୍ରଥମେ ମୁମ୍ବାଇର ସାର୍‌ ଜେଜେ ହସ୍ପିଟାଲ ଓ ପରେ ସେଣ୍ଟ ଜର୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରବିବାର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଶୁକ୍ରବାର ମହାରାଷ୍ଟ୍ର ସରକାରଙ୍କୁ ଦୁଇ ସପ୍ତାହ ମଧ୍ୟରେ ବାରବରା ରାଓଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି। ପ୍ରଖ୍ୟାତ କବି ବାରବରା ରାଓଙ୍କ ଗିରଫଦାରି ପରଠାରୁ ତାଙ୍କର ମୁକ୍ତି ପାଇଁ ଅନେକ ମାନବାଧିକାର ସଙ୍ଗଠନ ଦାବି କରିଆସୁଛନ୍ତି। ଇତିମଧ୍ୟରେ ତାଙ୍କ ଓକିଲ ଜାମିନ ପାଇଁ ବହୁବାର ଆବେଦନ କରିଥିଲେ ସୁଦ୍ଧା ଅଦାଲତ ପକ୍ଷରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ। ବର୍ତ୍ତମାନ ସେ କରେନାରେ ଆକ୍ରାନ୍ତ ହେବା ପରେ ତାଙ୍କ ମୁକ୍ତି ପାଇଁ ଦାବି ଜୋର୍‌ ଧରିବାରେ ଲାଗିଛି। ବିଶ୍ୱର ୧୪୫ ଜଣ ବିଶିଷ୍ଟ ଶିକ୍ଷାବିତ୍‌ ଓ ଗବେଷକ ବିପ୍ଳବୀ ବାରବରାଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ଦାବି କରିଛନ୍ତି।
ବାରବରା ରାଓ କିଏ
୧୯୪୦ ମସିହାରେ ତତ୍କାଳୀନ ଆନ୍ଧ୍ରପ୍ରଦେଶ(ଅଧୁନା ତେଲଙ୍ଗାନା)ସ୍ଥିତ ଓ୍ବରଙ୍ଗଲର ଏକ ବ୍ରାହ୍ମଣ ପରିବାରରେ ବିଶିଷ୍ଟ ତେଲୁଗୁ କବି, ଲେଖକ ତଥା ସମାଲୋଚକ ବାରବରା ରାଓଙ୍କ ଜନ୍ମ। ସେ ମାତ୍ର ୧୭ ବର୍ଷ ବୟସରୁ ସାହିତ୍ୟ ସାଧନା ଆରମ୍ଭ କରିଥିଲେ। ହାଇଦ୍ରାବାଦର ଓସ୍‌ମାନିଆ ୟୁନିଭର୍ସିଟିରୁ ତେଲୁଗୁ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ସେ ଏକ ଘରୋଇ କଲେଜରେ ଅଧ୍ୟାପନା କରିଥିଲେ। କାଲ୍‌ ମାର୍କ୍ସଙ୍କ ଦର୍ଶନରେ ଗଭୀର ଭାବେ ପ୍ରଭାବିତ ବାରବରା ରାଓ ଅନେକ ଜନବାଦୀ ସାହିତ୍ୟର ସଫଳ ରଚୟିତା। ନବଉଦାରବାଦ ବିରୋଧୀ ତଥା ଖଟିଖିଆ ଲୋକଙ୍କ ସପକ୍ଷରେ ଲେଖନୀ ଚାଳନା କରି ସେ ଚର୍ଚ୍ଚାକୁ ଆସିଥିଲେ।
ରାଜନୀତି
୧୯୬୭ରେ ପଶ୍ଚିମବଙ୍ଗର ନକ୍ସଲବାରି ଆନ୍ଦୋଳନ ବାରବରା ରାଓଙ୍କୁ ଅନେକ ମାତ୍ରାରେ ପ୍ରଭାବିତ କରିଥିଲା। ଆନ୍ଧ୍ରରେ ଶ୍ରୀକାକୁଲମ୍‌ ଆର୍ମଡ୍‌ ପିଜେଣ୍ଟସ୍‌ ଷ୍ଟ୍ରଗଲ(୧୯୬୭-୭୦) ବ୍ୟାନରରେ ମୁଣ୍ଡ ଟେକିଥିବା କୃଷକ ଅଧିକାର ଆନ୍ଦୋଳନରେ ସାମିଲ ହୋଇଥିଲେ। ସେତେବେଳେ ଏହି ଯୁବ ସାହିତି୍ୟକ ଅଭ୍ୟୁଦୟ ରଚିୟିତାଲା ସଂଘମ୍‌ ପ୍ଲାଟ୍‌ଫର୍ମ ଜରିଆରେ ଜନ ସଚେତନତା ସୃଷ୍ଟି କରିଥିଲେ। ୧୯୭୩ରେ ବାରବରା ରାଓ ପ୍ରଥମଥର ପାଇଁ ଗିରଫ ହୋଇଥିଲେ। ନିଜ ଲେଖା ମାଧ୍ୟମରେ ହିଂସା ଉସୁକାଉଥିବା ଅଭିଯୋଗରେ ଆନ୍ଧ୍ରପ୍ରଦେଶ ସରକାର ଆଭ୍ୟନ୍ତରୀଣ ନିରାପତ୍ତା ରକ୍ଷଣାବେକ୍ଷଣ ଆଇନ (ଏମ୍‌ଆଇଏସ୍‌ଏ) ବଳରେ ତାଙ୍କୁ ଗିରଫ କରିଥିଲେ। ପରେ ୧୯୭୫ରେ ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି ହୋଇଥିବାେଳେ ବାରବରା ରାଓଙ୍କୁ ଗିରଫ କରାଯାଇଥିଲା। ୧୯୭୭ରେ ଜନତା ପାର୍ଟି ଦ୍ୱାରା ଇନ୍ଦିରା ଗାନ୍ଧୀ ସରକାରର ପତନ ଘଟିବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ୨୦୦୫ରେ ବରବରା ମାଓବାଦୀ ସଙ୍ଗଠନ ପିପୁଲ୍ସ ଓ୍ବାର ଗ୍ରୁପ୍‌ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମଧ୍ୟସ୍ଥ ସାଜି ଶାନ୍ତି ପାଇଁ ଆଲୋଚନା କରିଥିଲେ। ବୁଝାମଣା ବିଫଳ ହେବା ପରେ ତାଙ୍କୁ ସାଧାରଣ ନିରାପତ୍ତା ଆଇନ (ପିଏସ୍‌ଏ) ବଳରେ ଗିରଫ କରାଯାଇଥିଲା।
ସାହିତ୍ୟ କୃତି
ଅଦ୍ୟାବଧି ବାରବରା ରାଓଙ୍କ ୧୫ଟି କବିତା ସଙ୍କଳନ ପ୍ରକାଶ ପାଇସାରିଛି। ସେଗୁଡ଼ିକ ଅନେକ ଆଞ୍ଚଳିକ ଭାଷାରେ ଅନୂଦିତ ହୋଇ ପାଠକୀୟ ଆଦୃତି ଲାଭ କରିଛି। ୧୯୬୬ରେ ସେ ‘ସୃଜନ’ ନାମକ ଏକ ତ୍ରୈମାସିକ ତେଲୁଗୁ ସାହିତ୍ୟ ପତ୍ରିକା ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ଲୋକପ୍ରିୟତା ବୃଦ୍ଧି ପାଇବାରୁ ଏହା ମାସିକ ପତ୍ରିକା ଭାବେ ଆମତ୍ପ୍ରକାଶ କରିଥିଲା। ବାରବରା ରାଓ ଜେଲରେ ଥିବାବେଳେ ମଧ୍ୟ ଅନେକ ରଚନା କରିଥିଲେ। ତାଙ୍କ ବନ୍ଦୀ ସମୟର ଡାଏରି ୧୯୯୦ରେ ‘ସହଚରୁଲୁ’ ନାମରେ ପ୍ରକାଶିତ ହୋଇଥିଲା। ଏହା ବ୍ୟତୀତ ବାରବରା ରାଓ ଅନେକ ସାମ୍ୟବାଦୀ ପୁସ୍ତକକୁ ଅନୁବାଦ ମଧ୍ୟ କରିଥିଲେ।
ଏଲ୍‌ଗାର ପରିଷଦ ମାମଲା
ଭୀମା-କୋରେଗାଓଁ ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ଅବ୍ୟବହିତ ପୂର୍ବରୁ ୨୦୧୭ ଡିସେମ୍ବର ୩୧ ରାତିରେ ଏକ କାର୍ଯ୍ୟକ୍ରମ ଚାଲିଥିବାବେଳେ ହିଂସା ଘଟିଥିଲା। ମହାରାଷ୍ଟ୍ରର ଭୀମା-କେରେଗାଓଁଠାରେ ଏଲ୍‌ଗାର ପରିଷଦ ପକ୍ଷରୁ ଅୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବାମପନ୍ଥୀ କର୍ମୀ ଓ ମାଓବାଦୀ ସମର୍ଥକମାନେ ଯୋଗଦେଇଥିବା ପୁଣେର ଏକ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୨୦୧୮ ଅଗଷ୍ଟ ୧ରେ ବାରବରା ରାଓଙ୍କୁ ଗିରଫ କରାଯାଇଥିଲା। ପୋଲିସର କହିବା ହେଉଛି ରାତିରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦିଆଯିବା ପରେ ପରଦିନ ଏହି ହିଂସା ଘଟିଥିଲା। ସେତେବେଳେ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ବଳରେ ବାରବରାଙ୍କ ସମେତ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ରୋନା ଓ୍ବିଲ୍‌ସନ, ଅରୁଣ ଫେରିରା, ସୁଧା ଭରଦ୍ୱାଜ, ଗୌତମ ନଭଲଖା ଓ ଆନନ୍ଦ ତେଲତୁମ୍ବେଡେ। ବାରବରାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ଜାମିନ ଦିଆଯାଉ ବୋଲି ୨୨ ମାସରେ ଅନେକ ଥର ଆବେଦନ କରାଯାଇଛି। କିନ୍ତୁ ପ୍ରତିଥର ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏହି ମାମଲାର ତଦନ୍ତ ମୁମ୍ବାଇ ପୋଲିସ କରୁଥିବାବେଳେ ପରବର୍ତ୍ତୀ ସମୟରେ ତଦନ୍ତ ଭାରତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଦିଆଯାଇଥିଲା।

ତୁରନ୍ତ ମୁକ୍ତି ପାଇଁ ଜୋର୍‌ ଧରିଲା ଦାବି
ଭୀମା କୋରେଗାଓଁ ହିଂସା ଓ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଜେଲରେ ଥିବା ବାରବରା ରାଓଙ୍କ ମୁକ୍ତି ପାଇଁ ପରିବାର ଲେକେ ଦାବି କରିଛନ୍ତି। ତାଙ୍କ ସ୍ବାସ୍ଥ୍ୟ ପୂର୍ବରୁ ଖରାପ ଥିବାବେଳେ କୋଭିଡ୍‌-୧୯ ପିଜିଟିଭ ଚିହ୍ନଟ ହେବା ପରେ ଅବସ୍ଥା ଆହୁରି ଖରାପ ହୋଇଯାଇଛି। ତେଣୁ ତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ସ୍ତ୍ରୀ ହେମଲତା ଦାବି କରିଛନ୍ତି। ହସ୍ପିଟାଲରେ ଚିକିତ୍ସାଧୀନ ବାରବରାଙ୍କ ସହ ସ୍ବାସ୍ଥ୍ୟ ସମ୍ପର୍କିତ ରେକର୍ଡ ପରିବାର ସଦସ୍ୟମାନଙ୍କୁ ଦେଖିବାକୁ ଏବଂ ତାଙ୍କ ସହ କଥା ହେବା ପାଇଁ ସୁଯୋଗ ଦିଆଯାଉ ବୋଲି ବାରବରାଙ୍କ ଝିଅ ପବନା ରାଓ ଦାବି କରିଛନ୍ତି। ସେହିପରି ବାରବରା ରାଓଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ସାରା ବିଶ୍ୱର ୧୪୫ ଜଣ ବିଶିଷ୍ଟ ଶିକ୍ଷାବିତ୍‌ ଓ ଗବେଷକ ମଧ୍ୟ ଦାବି କରିଛନ୍ତି। ବାରବରା ରାଓଙ୍କୁ ବର୍ତ୍ତମାନ ଜେଲରେ ରଖିବା ଅତ୍ୟନ୍ତ ଅମାନବୀୟ ଓ ଦୁର୍ଭାଗ୍ୟଜନକ ବୋଲି ସେମାନେ ଏକ ମିଳିତ ବିବୃତିରେ ଅଭିହିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri