ଛତ୍ରପୁର,୧୧।୮(ଦିଲ୍ଲୀପ ସାମଲ): ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ରାଜସ୍ବ ଅମଲା ସଂଘ। ଦାବି ପୂରଣ ନ ହେବାରୁ ସୋମବାରଠାରୁ ଅନର୍ଦ୍ଧିିଷ୍ଟ କାଳ ଯାଏ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏନେଇ ସଂଘ କର୍ମଚାରୀ ସମୁହ ଛୁଟିରେ ରହିଛନ୍ତି। ଦାବି ପୂରଣ ନେଇ ପୂର୍ବରୁ ବହୁବାର ସରକାରଙ୍କୁ ଅବଗତ କରାଯାଇଥିଲେ ବି କୌଣସି ସୁଫଳ ନ ହେବାରୁ ଗଞ୍ଜାମ ଜିଲାର ସମସ୍ତ ଅମଳା ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ଜିଲାରେ ପ୍ରାୟ ୬ଶହରୁ ଊର୍ଦ୍ଧ୍ୱ ଅମଳା ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ। ଅନ୍ୟପକ୍ଷେ ଆନ୍ଦୋଳନ ଯୋଗୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଖାଁ ଖାଁ ରହିଛି। ଅମଳାମାନେ ଛତ୍ରପୁରରେ ଏକାଠି ହୋଇ ଆନ୍ଦୋଳନ ଜାରି ରଖିଛନ୍ତି। ଓଡ଼ିଶା ରାଜ୍ୟ ରାଜସ୍ବ ଅମଲା ସଂଘର ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲା ରାଜସ୍ବ ଅମଲା ସଂଘ ପକ୍ଷରୁ ଆନ୍ଦୋଳନ କରାଯାଉଛି।
ଦାବି ମୁତାବକ, ମୂଳ ଦରମା ଓଆରଏସପି- ୨୦୧୭ ନିୟମ ଅନୁଯାଇ ଲେବେଲ- ୯କୁ ବୃଦ୍ଧି କରିବା। ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ। ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଲାଗୁ କରିବା, ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିଭିରେ ନିଯୁକ୍ତି ପ୍ରଦାନ। ଓଡ଼ିଶା ରାଜସ୍ବ ସେବା ପଦ୍ଧତିରେ ରାଜସ୍ବ ଅମଲାଙ୍କୁ ଶତ ପ୍ରତିଶତ ପଦୋନ୍ନତି। ନୂତନ ପେନସନ ଯୋଜନାକୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରାଯାଇଛି।


