ଭୁବନେଶ୍ୱର,୨୫ା୧୦: ବଙ୍ଗୋପସାଗରରେ ଆସୁଛି ବାତ୍ୟା। ଏହାର ନାମ ଥାଇ ଭାଷାରେ ‘ମୋନ୍ଥା’। ଇତିମଧ୍ୟରେ ଶୁକ୍ରବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ୩ କି.ମି. ବେଗରେ ଗତି କରୁଛି। ଶନିବାର ସୁଦ୍ଧା ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ପାଖାପାଖି କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତରେ ପରିଣତ ହେବ। ୨୬ ତାରିଖ ସୁଦ୍ଧା ଅବପାତଟି କ୍ରମଶଃ ଗଭୀର ଅବପାତରେ ପରିଣତ ହୋଇ ୨୭ ତାରିଖ ସକାଳେ ବାତ୍ୟାର ରୂପ ନେଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଉକ୍ତ ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଜିଲାପାଳମାନେ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ଲଘୁଚାପ, ଅବପାତ ଓ ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ଉପରେ ବାରଣ କରାଯାଇଛି। ୨୬ ତାରିଖରୁ ପବନ ଆରମ୍ଭ ହେବା ସହ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ୩୫-୪୫ କି.ମି.ରୁ ୫୫ କି.ମି. ବେଗରେ ପବନ ବହିବ। ସେହିପରି ୨୭ ତାରିଖରେ ୪୫-୫୫ କି.ମି.ରୁ ୬୫ କି.ମି. ଏବଂ ୨୮ ଓ ୨୯ ତାରିଖରେ ୫୦-୬୦ କି.ମିରୁ ୭୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ସ୍ଥିତି ମଧ୍ୟମ ଧରଣର ଅଶାନ୍ତ ରହିବ। ୨୭ ତାରିଖରେ ଏହା ଅଶାନ୍ତରୁ ଅତି ଅଶାନ୍ତ ଏବଂ ୨୮ରୁ ୨୯ ପର୍ଯ୍ୟନ୍ତ ଅତ୍ୟନ୍ତ ଅଶାନ୍ତରୁ ଉଚ୍ଚ ହେବାର ସମ୍ଭାବନା ରହିଛି। ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ନେଇ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ରବିବାର ଏହିସବୁ ଜିଲା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ବୌଦ୍ଧ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ତେବେ ସୋମବାର ୨୭ତାରିଖରେ ରାଜ୍ୟର ସମସ୍ତ ଜିଲାକୁ ୟୋଲେ ୱାର୍ନିଂ ଏବଂ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି ହୋଇଛି। ଏହି ସମୟରେ ବିଜୁଳି ଘଡଘଡି ସହିତ ଝଡ ପବନ ବହିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।