
ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ରୁଦ୍ର ସେଠୀ(୨୪) ଆନ୍ଧ୍ର ପ୍ରଦେଶ ସୋମପେଣ୍ଠା ସହର ନିକଟ ଜାତୀୟ ରାଜପଥରେ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ବାଇକ (ନଂ. ଓଡ଼ି ୦୭ ଇ -୭୮୧୭)ପଛରେ ବସିଥିବା ତାଙ୍କ ଭାଇ ବବୁଲ ସେଠୀ(୨୭) ଗୁରୁତର ଆହାତ ହୋଇ ଚିକିତ୍ସିତ ହେଉଛନ୍ତି। ଆନ୍ଧ୍ର ପ୍ରଦେଶ ଅଙ୍ଗୁଲୁର ଏକ ଘରୋଇ ଗ୍ରାନାଇଟ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୨ ଓଡ଼ିଆ ଶ୍ରମିକ ଛୁଟି ନେଇ ଖୁସିମନରେ ତାଙ୍କ ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗଦେବା ପାଇଁ ବାଇକ ଯୋଗେ ଗାଁକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଚମ୍ପଟ ମାରିଥିଲା।
ଆହାତ ଦୁଇ ଭାଇଙ୍କୁ ଅଗ୍ନିଶମ ବାହିନୀ ସେଠାକାର ସରକାରୀ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରୁଦ୍ରଙ୍କୁ ମୃତ ଘୋଷଣା କରିଥଲେ। ଆହାତ ବବୁଲଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଚିକିତ୍ସାଧୀନ ଥିବା ଜଣାପଡିଛି। ଖବର ପାଇ ପରିବାର ଲୋକେ ସୋମପେଣ୍ଠା ହସ୍ପିଟାଲ ରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ। ମୃତଦେହ ଗାଁରେ ପହଞ୍ଚିବାପରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।