‘ଧରିତ୍ରୀ’ ଖବରଦାତା ସଞ୍ଜୀବ ଯୋଷୀଙ୍କ ପରଲୋକ

ଭବାନୀପାଟଣା,୩୧।୧(ସ୍ବ.ପ୍ର.): ‘ଧରିତ୍ରୀ’ର କଳାହାଣ୍ଡି ଜିଲା ପ୍ରତିନିଧି ସଞ୍ଜୀବ କୁମାର ଯୋଷୀଙ୍କ ରବିବାର ସନ୍ଧ୍ୟା ୭ଟା ୪୦ ମିନିଟ୍‌ରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି। ତାଙ୍କୁ ୫୬ ବର୍ଷ ହୋଇଥିଲା। ତାଙ୍କ ପରଲୋକରେ ଜିଲାରେ ଶୋକର ଛାୟା ଖେଳିଯାଇଛି। ଯୋଷୀ ‘ଧରିତ୍ରୀ’ରେ ଦୀର୍ଘ ୩ ଦଶନ୍ଧି ଧରି ଜିଲା ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ। ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ଜିଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ସେ ବହୁବାର ସମ୍ମାନିତ ହୋଇଥିଲେ। ଖବରଦାତା ଜୀବନକାଳରେ ସେ ଚାଷୀ ସମସ୍ୟାଠାରୁ ଆରମ୍ଭ କରି ପଞ୍ଚାୟତସ୍ତରରୁ ଜିଲା ପର୍ଯ୍ୟନ୍ତ ବିଭିନ୍ନ ମୌଳିକ ସମସ୍ୟାକୁ ନିଜର କଲମ ମାଧ୍ୟମରେ ପ୍ରଶାସନ ତଥା ସରକାରଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ସେଥିପାଇଁ ସେ ଜିଲାର କୋଣ ଅନୂକୋଣରେ ଜଣେ ଦକ୍ଷ ଖବରଦାତା ଭାବେ ପରିଚିତ ଥିଲେ। ସଞ୍ଜୀବଙ୍କ ବିୟୋଗରେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀଙ୍କ ସମେତ ଧରିତ୍ରୀ ପରିବାର ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ତାଙ୍କ ପରଲୋକରେ କଳାହାଣ୍ଡି ଜିଲା ଧରିତ୍ରୀ ସ୍ବତନ୍ତ୍ର ପ୍ରତିନିଧି ଉତ୍ତମ କୁମାର ଦାଶ, ଖବରଦାତା ଅଂଶୁମାନ ପାତ୍ର, ଦେବେନ୍ଦ୍ର କୁମାର ବିଶି, ସତ୍ୟ ନାରାୟଣ ମହାପାତ୍ର, ଉମାଶଙ୍କର କର, ରାଜକୁମାର ସିଂଦେଓ, ଲଳିତ କାନୁନଗୋ, ରଜନୀ ମିଶ୍ର, ଶାନ୍ତନୁ ବେହେରା, ହୃଷୀକେଶ ମିଶ୍ରଙ୍କ ସମେତ କଳାହାଣ୍ଡି ସାମ୍ବାଦିକ ୟୁନିୟନ ଓ ପେସାଦାର ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ ପାଇଛି।