ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର, ବୁଲେଟିନ୍ ଜାରି କଲା ଏମ୍ସ

ଭୁବନେଶ୍ୱର,୧୬ା୧୧: ଅସୁସ୍ଥତା ଯୋଗୁଁ ଏମ୍ସରେ ଚିକିତ୍ସାଧୀନ ଥିବା ଲୋକପ୍ରିୟ ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି। ଏମ୍ସ ପକ୍ଷରୁ ଜାରି ହୋଇଥିବା ସଦ୍ୟ ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ, ତାଙ୍କର ‘ସେନ୍ସୋରିୟମ୍’ (ସମ୍ବେଦନଶୀଳତା)ରେ ଉନ୍ନତି ଘଟିଛି ଏବଂ ସେ ଦିଆଯାଉଥିବା ସରଳ ନିର୍ଦ୍ଦେଶଗୁଡ଼ିକୁ ଉତ୍ତର ଦେବା ଆରମ୍ଭ କରିଛନ୍ତି।

ହସ୍ପିଟାଲ୍ ଦ୍ୱାରା ପ୍ରକାଶିତ ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ହ୍ୟୁମାନ ସାଗରଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ତାଙ୍କୁ ‘ମଲ୍ଟି ଅର୍ଗାନ୍ ଡିସଫଙ୍କସନ୍ ସିଣ୍ଡ୍ରୋମ’ (MODS) ସହ ଏନସେଫାଲୋପାଥି (ମସ୍ତିଷ୍କ ସମସ୍ୟା), ଶକ୍, ଶ୍ୱାସକ୍ରିୟାରେ ବିଫଳତା, ତୀବ୍ର ବୃକକ୍ ଆଘାତ, ଯକୃତ ରୋଗ, ଦ୍ୱିପାକ୍ଷିକ ନିମୋନିଆ ଏବଂ ଗୁରୁତର ହୃଦ୍‌ଘାତ ସମସ୍ୟା ରହିଛି।

ସେ ଗୁରୁତର ଶ୍ୱାସକ୍ରିୟା ବିଫଳତା ଯୋଗୁଁ ଉଚ୍ଚ ଭେଣ୍ଟିଲେଟର୍ ସମର୍ଥନରେ ଅଛନ୍ତି। ଏହା ସହ ତାଙ୍କର ‘ଅନୁରିକ୍ ରେନାଲ୍ ଫେଲ୍ୟୁର୍’ ପାଇଁ କଣ୍ଟିନିୟସ୍ ରେନାଲ୍ ରିପ୍ଲେସମେଣ୍ଟ ଥେରାପି (CRRT ଡାୟାଲିସିସ୍) ଚାଲିଛି।

ଏମ୍ସର ମେଡିକାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ଟିମ୍ ଦ୍ୱାରା ତାଙ୍କୁ ନିରନ୍ତର ତଦାରଖ କରାଯାଉଛି ଏବଂ ବହୁ ବିଶେଷଜ୍ଞ ଡାକ୍ତର ତାଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି।

Share
Tags: Humane Sagar