ରିମାଣ୍ଡ ଶେଷ, ଜେଲ ଗଲେ ଗୋପାଳ

ବ୍ରଜରାଜନଗର, ୧୪ା୨(ଡି.ଏନ.ଏ.): ରିମାଣ୍ଡ ଅବଧି ସରିବା ପରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଅଭିଯୁକ୍ତ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ କ୍ରାଇମ୍‌ବ୍ରାଞ୍ଚ ସୋମବାର ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା। ପରେ ତାଙ୍କୁ ଅଦାଲତଙ୍କ ନିର୍ଦ୍ଦେଶରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି।
ବହୁଚର୍ଚ୍ଚିତ ଏହି ହତ୍ୟା ଘଟଣାକୁ ଇତିମଧ୍ୟରେ ୧୬ଦିନ ବିତିଲାଣି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେଇଥିଲା। ଏହା ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ତିନୋଟି ପର୍ଯ୍ୟାୟରେ ୧୩ଦିନ ରିମାଣ୍ଡରେ ନେଇ ଅଭିଯୁକ୍ତ ଗୋପାଳଙ୍କୁ ପଚରାଉଚୁରା କରିଛି। ଏପରି କି ଗୁଜରାଟର ଗାନ୍ଧୀନଗରକୁ ନେଇ ପଲିଗ୍ରାଫ, ନାର୍କୋ ଟେଷ୍ଟ କରିଛି। ତଥାପି ହତ୍ୟାର ରହସ୍ୟ ବିଶେଷ କରି କାହିଁକି ଗୋପାଳ ମନ୍ତ୍ରୀଙ୍କୁ ଗୁଳି ମାରିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ। ତୃତୀୟ ପର୍ଯ୍ୟାୟର ଶେଷଦିନ ଅର୍ଥାତ୍‌ ସୋମବାର ରିମାଣ୍ଡ ଅବଧି ସରିବା ପରେ କ୍ରାଇମ୍‌ବ୍ରାଞ୍ଚ ଗୋପାଳଙ୍କୁ କୋର୍ଟରେ ହାଜର କରି ସମସ୍ତ ତଥ୍ୟ ପ୍ରଦାନ କରିଥିଲା। ପରେ କୋର୍ଟ ତାଙ୍କୁ ଜେଲକୁ ପଠାଇ ଦେଇଛନ୍ତି। ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଆସିବାକୁ ଏକସପ୍ତାହ ଲାଗିବ ବୋଲି କ୍ରାଇମବ୍ରାଞ୍ଚ ତରଫରୁ ସୂଚନା ଦିଆଯାଇଛି।