ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି, କେଜିରୁ ପିଜି ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଟପ୍ପରମାନଙ୍କୁ ବନ୍ୟପ୍ରାଣୀ କେନ୍ଦ୍ର ବନ୍ତାରା ପରିଦର୍ଶନ କରିବାର ସୁଯୋଗ ଆଦି ଘୋଷଣା କରାଯାଇଛି। ଅନନ୍ତଙ୍କ ଘୋଷଣା ଅନୁସାରେ ପ୍ରତିବର୍ଷ କିସ୍ର ୩୦ଜଣ ସ୍ନାତକଙ୍କୁ ରିଲାଏନ୍ସ ଗ୍ରୁପ୍ର ବିଭିନ୍ନ କମ୍ପାନୀରେ ଚାକିରି ପ୍ରଦାନ କରାଯିବ। ଏହା ଜନଜାତି ଯୁବତୀଯୁବକଙ୍କ ପାଇଁ ସ୍ଥାୟୀ କ୍ୟାରିୟର ପଥ ଖୋଲିବ। ସେହିପରି ଶିକ୍ଷାଗତ ଜ୍ଞାନକୁ ଆହୁରି ବୃଦ୍ଧିକରିବା ନିମନ୍ତେ କିସ୍ର ସମସ୍ତ ଛାତ୍ରୀଛାତ୍ରଙ୍କୁ ଅନନ୍ତ ଅତିରିକ୍ତ ଅଧ୍ୟୟନ ସାମଗ୍ରୀ ପ୍ରଦାନ କରିଛନ୍ତି। ଅନନ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ, ଖୁସି ଓ ଦୀର୍ଘ ଜୀବନ କାମନାକରି ଶ୍ରୀବାଣୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ କିସ୍ ପିଲାମାନେ ଦୀପ ଜାଳି ପ୍ରାର୍ଥନା କରିଥିଲେ ଓ ଶ୍ରୀବାଣୀକ୍ଷେତ୍ର ବେଦପାଠଶାଳା ଛାତ୍ରୀଛାତ୍ରମାନେ ବେଦପାଠ ଜରିଆରେ ଅନନ୍ତଙ୍କୁ ଶୁଭକାମନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ କିସ୍ ଭୁବନେଶ୍ୱର କ୍ୟାମ୍ପସ ସମେତ ବଲାଙ୍ଗୀର, କଳାହାଣ୍ଡି, ବାରିପଦା ଓ ବାଲେଶ୍ୱର ଆଦି କ୍ୟାମ୍ପସ୍ରେ ଛାତ୍ରୀଛାତ୍ର ସାମିଲ ହୋଇଥିଲେ। ଛାତ୍ରୀଛାତ୍ରମାନେ ବନ୍ତାରା ଲୋଗୋ ଦ୍ୱାରା ଅନୁପ୍ରାଣିତ ମାନବ ଅକ୍ଷର ଗଠନ କରିଥିଲେ। ପରେ ସନ୍ଧ୍ୟାରେ କିସ୍ର ୪୦ ହଜାର ବିଦ୍ୟାର୍ଥୀଙ୍କ ପାଇଁ ଅନନ୍ତଙ୍କ ଦ୍ୱାରା ଏକ ସ୍ବତନ୍ତ୍ର ରାତ୍ରଭୋଜନର ଆୟୋଜନ କରାଯାଇଥିଲା। ଏହି ଅବସରରେ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଥିଲେ, କିସ୍ ପିଲାଙ୍କ ପାଇଁ ଅନନ୍ତ ଯେଉଁ ସବୁ ଘୋଷଣା କରିଛନ୍ତି ତାହା ଦ୍ୱାରା ଛାତ୍ରୀଛାତ୍ରଙ୍କ ଆତ୍ମବିଶ୍ୱାସ ଓ ଭବିଷ୍ୟତ ସମ୍ଭାବନାକୁ ବହୁ ପରିମାଣରେ ମଜଭୁତ କରିବ।