ଓ୍ବାଶିଂଟନ,୭।୩: ଗାଜାରେ ଥିବା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିଦେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହମାସ୍କୁ କଡ଼ା ଚେତାବନୀ ଦେଇଛନ୍ତି। ହମାସ୍ ଆତଙ୍କବାଦୀ ସଂଗଠନ ସହ ସିଧାସଳଖ ଆଲୋଚନା ପାଇଁ ଏକ ପ୍ରତିନିଧି ଦଳ ପଠାଯାଇଥିବା ହ୍ବାଇଟ୍ ହାଉସ୍ ସ୍ପଷ୍ଟ କରିବା ପରେ ଟ୍ରମ୍ପ୍ କଡ଼ା ବାର୍ତ୍ତାରେ ଉପରୋକ୍ତ ଚେତାବନୀ ଦେଇଛନ୍ତି।
ସେ ହ୍ବାଇଟ୍ ହାଉସ୍ରେ ୮ ଜଣ ପୂର୍ବତନ ପଣବନ୍ଦୀଙ୍କୁ ଭେଟିବା ପରେ ନିଜ ଟ୍ରୁଥ୍ ସୋସିଆଲ ପ୍ଲାଟ୍ଫର୍ମରେ ଲେଖିଛନ୍ତି, ପଣବନ୍ଦୀ ମୁକ୍ତି ପାଇଁ ଯାହା ଆବଶ୍ୟକ ହେବ ସେ ଇସ୍ରାଏଲ୍କୁ ପଠାଇବେ। ସମସ୍ତ ପଣବନ୍ଦୀ ଏବଂ ଯୁଦ୍ଧରେ ମରିଥିବା ଲୋକଙ୍କ ମୃତଦେହ ଶୀଘ୍ର ପଠାଅ ନଚେତ୍ ପରିଣତି ଭୋଗିବ ବୋଲି ହମାସ୍କୁ ଟ୍ରମ୍ପ୍ କହିଛନ୍ତି।
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ସମର୍ଥନ କରି ଟ୍ରମ୍ପ୍ ଏଭଳି ଧମକ ଦେବାକୁ ହମାସ୍ ସମାଲୋଚନା କରିଛି। ନେତାନ୍ୟାହୁଙ୍କୁ ଗାଜା ଯୁଦ୍ଧବିରତି ଚୁକ୍ତିନାମାରୁ ବାହାରିଯିବା ପାଇଁ ଟ୍ରମ୍ପ୍ ସମର୍ଥନ କରୁଛନ୍ତି ଏବଂ ଗାଜାବାସୀଙ୍କୁ ଭୋକରେ ରଖିବାକୁ ଚାହୁଁଛନ୍ତି ବୋଲି ହମାସ୍ କହିଛି। ମଧ୍ୟସ୍ଥଙ୍କ ଜରିଆରେ ସ୍ବାକ୍ଷର ହୋଇଥିବା ଯୁଦ୍ଧବିରତି ଚୁକ୍ତିନାମାର ଦ୍ୱିତୀୟ ପର୍ଯ୍ୟାୟ ଅନୁପାଳନ କରାଯାଉ ବୋଲି ହମାସ୍ ମୁଖପାତ୍ର ଅବଦେଲ-ଲତିଫ୍ ଅଲ୍ କନୌଆ ଗଣମାଧ୍ୟମକୁ କହିଛନ୍ତି।


