ଜାତିସଂଘରେ ସଂସ୍କାର ଅନିବାର୍ଯ୍ୟ

ଇଂ. ଶକ୍ତି ପ୍ରସାଦ ଦାସ

 

ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ, ୧୯୪୫ ଅକ୍ଟୋବର ୨୪ରେ ଆଉ ଏକ ବିଶ୍ୱଯୁଦ୍ଧର ସମ୍ଭାବନାକୁ ଏଡ଼ାଇବା ପାଇଁ ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ତଥା ମାନବାଧିକାରକୁ ପ୍ରୋତ୍ସାହିତ କରିବାକୁ ୫୧ଟି ରାଷ୍ଟ୍ର ଆଧିକାରିକ ଭାବରେ ମିଳିତ ଜାତିସଂଘ ଗଠନ କରିଥିଲେ। ଏହି ଦିନଟିକୁ ସ୍ମରଣୀୟ ରଖିବା ପାଇଁ ପ୍ରତି ବର୍ଷ ଅକ୍ଟୋବର ୨୪କୁ ‘ମିଳିତ ଜାତିସଂଘ ଦିବସ’ ଭାବରେ ପାଳନ କରାଯାଇଆସୁଛି। ଗତ ୭୬ବର୍ଷ ମଧ୍ୟରେ, ୧୯୬୦ର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲ୍ୟୁଏଫ୍‌ପି)ଠାରୁ ଆରମ୍ଭ କରି, ୧୯୮୦ର ଇରାନ-ଇରାକ ଯୁଦ୍ଧର ଅବସାନ, ୧୯୮୯ରେ ଜର୍ମାନୀର ଏକୀକରଣ ଏବଂ ନୋବେଲ ଶାନ୍ତି ପୁରସ୍କାର ବିଜୟୀ ଶାନ୍ତି ସେନା ଦ୍ୱାରା ବିଶ୍ୱର ଅନେକ ଅସ୍ଥିର ଅଞ୍ଚଳରେ ଅସ୍ତ୍ରବିରତି ଉପରେ ନଜର ରଖିବା ପର୍ଯ୍ୟନ୍ତ, ଅନେକ ଭୂ-ରାଜନୈତିକ ଦ୍ୱନ୍ଦ୍ୱକୁ ପ୍ରଶମିତ କରିବାରେ ମିଳିତ ଜାତିସଂଘ ତା’ର ପଦଚିହ୍ନ ଛାଡ଼ିଛି। ଏତଦ୍‌ବ୍ୟତୀତ, ୧୯୪୮ର ସାର୍ବଜନୀନ ମାନବାଧିକାର ଘୋଷଣାନାମା, ୧୯୫୧ର ଶରଣାର୍ଥୀଙ୍କ ପାଇଁ ବହୁପକ୍ଷୀୟ ଚୁକ୍ତିନାମା, ୧୯୬୮ର ଆଣବିକ ଅସ୍ତ୍ର ଅପ୍ରସାର ଚୁକ୍ତିନାମା, ୧୯୯୮ର କ୍ୟୋଟୋ ଜଳବାୟୁ ପରିବର୍ତ୍ତନ ଘୋଷଣାନାମା ଏବଂ ୧୯୬୯ର ଭିଏନା ଚୁକ୍ତିନାମା ଆଇନ ଭଳି ଅନେକ ଘୋଷଣାନାମା ବା ଚୁକ୍ତିନାମାର ଶ୍ରେୟ ଜାତିସଂଘକୁ ଯାଉଛି।
ଅନ୍ୟପକ୍ଷରେ, ଆରବ-ଇସ୍ରାଏଲ ଏବଂ ଇସ୍ରାଏଲ-ପାଲେଷ୍ଟିନୀୟଙ୍କ ମଧ୍ୟରେ ଶାନ୍ତି ବୁଝାମଣା; ନବେ ଦଶକରେ ସୋମାଲିଆ, ରୁୱାଣ୍ଡା ଓ ବୋସନିଆରେ ଶାନ୍ତିରକ୍ଷା; ସିରୀୟା, ୨୦୧୦-୧୧ରୁ ‘ଆରବ ସ୍ପ୍ରିଙ୍ଗ’ ବିରୋଧ ପ୍ରଦର୍ଶନ ମଧ୍ୟରେ ୟେମେନ ଓ ଲିବୀୟା ଭଳି ରାଜନୈତିକ ଇତ୍ୟାଦି ସଙ୍କଟସବୁକୁ ସମ୍ଭାଳିବା ଦିଗରେ ମିଳିତ ଜାତିସଂଘ ବିଫଳତାର ସ୍ବାଦ ଚାଖିଛି। କୋଭିଡ୍‌ ସଙ୍କଟ ଆରମ୍ଭରେ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ପ୍ରତିକ୍ରିୟା ସେପରି ପ୍ରେରଣାଦାୟୀ ନ ଥିଲା। ଗତ କିଛି ଦଶନ୍ଧି ଧରି ଜାତିସଂଘ ଆନୁଷ୍ଠାନିକ, ରାଜନୈତିକ ଓ ବହୁ ଅନ୍ତର୍ନିହିତ ସମସ୍ୟା ଦେଇ ଗତି କରୁଛି। ସାଧାରଣ ସଭା, ଅନ୍ତର୍ଜାତୀୟ ନ୍ୟାୟାଳୟ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପରିଷଦରେ ନିଷ୍କ୍ରିୟତା ଦେଖାଇଛି। ଦକ୍ଷିଣ ଚାଇନା ସାଗରକୁ ନେଇ ଚାଇନା ଏବଂ ଆସିଆନ ରାଷ୍ଟ୍ରସମୂହ ମୁହାଁମୁହିଁ ଅବସ୍ଥାରେ ଥିବାବେଳେ, ଜାତିସଂଘ ନୀରବଦ୍ରଷ୍ଟା ସାଜିଛି।
ବିଶ୍ୱରେ, ଶାନ୍ତି ଫେରାଇ ଆଣିବା ଏବଂ ଦ୍ୱନ୍ଦ୍ୱକୁ ପ୍ରଶମିତ କରିବାରେ ମିଳିତ ଜାତିସଂଘକୁ ଦାୟୀ କରାଯିବା ଅର୍ଥ ବାସ୍ତବତାକୁ ଅଣଦେଖା କରିବା। ମିଳିତ ଜାତିସଂଘ କେବଳ ଏକ ବାହକ ମାତ୍ର। ଏହା ମାଧ୍ୟମରେ ରାଷ୍ଟ୍ରମାନେ ପରସ୍ପର ସହ କୂଟନୈତିକ ସମ୍ପର୍କକୁ ସଜାଡ଼ିଥା’ନ୍ତି। ନିଷ୍କ୍ରିୟତା ସର୍ବୋପରି ରାଷ୍ଟ୍ରସମୂହଙ୍କ ସହିତ ଜଡ଼ିତ। ବାସ୍ତବରେ, ଆମର ସମସ୍ୟାଗୁଡ଼ିକ ବୈଶ୍ୱିକ ସ୍ବଭାବର ହୋଇଥିବାବେଳେ, ସେଗୁଡ଼ିକର ସମାଧାନ ଖୋଜିବାକୁ ଗଲାବେଳେ, ଉପାୟଗୁଡ଼ିକର ସଂରଚନା ମୁଖ୍ୟତଃ ଜାତୀୟତାକୁ ଆଖିରେ ରଖି କରାଯାଉଛି। ଜାତୀୟ ସାର୍ବଭୌମତ୍ୱ ପାଇଁ ମାନବିକ ସୁରକ୍ଷାକୁ ମୂଲ୍ୟ ଦେବାକୁ ପଡୁଛି। ପାରସ୍ପରିକ ନିର୍ଭରଶୀଳତାର ସ୍ବୀକୃତି ଉପରେ ଆଧାରିତ ଏକ ସୁସଙ୍ଗତ ବୈଶ୍ୱିକ ଚେତନାର ବିକାଶ କରିବାରେ ଆମେ ସକ୍ଷମ ହୋଇପାରି ନାହୁଁ। ଯେପର୍ଯ୍ୟନ୍ତ ଆମେ ଏହି ମୌଳିକ ବିସଙ୍ଗତିର ସମାଧାନ କରିନାହୁଁ, ଏହିସବୁ ଗୁରୁତର ଓ କ୍ରମବର୍ଦ୍ଧମାନ ବିପଦ ଭିତରେ ସନ୍ତୁଳି ହେଉଥିବା। ଆମର ଜାତୀୟ ତଥା ଅନ୍ତର୍ଜାତୀୟ ନେତୃବୃନ୍ଦ ଏ ବାବଦରେ ଆମକୁ ବିଫଳ କରିଛନ୍ତି। ତେଣୁ ସାଧାରଣ ଲୋକଙ୍କୁ ଏକ ସୁରକ୍ଷିତ ଭବିଷ୍ୟତ ଗଢ଼ିବାର ଦାୟିତ୍ୱ ନିଜ କାନ୍ଧକୁ ନେବାର ଅଛି। ଅନ୍ୟଥା, ନାମକୁ ମାତ୍ର ଅନ୍ତଃରାଷ୍ଟ୍ରୀୟ ସଂଗଠନର ସୂକ୍ଷ୍ମ ଆବରଣ ତଳେ ସାର୍ବଭୌମ ରାଷ୍ଟ୍ରସମୂହଙ୍କୁ ଏକାଠି କରିବା ପାଇଁ ଆମର ଅହରହ ଅକ୍ଳାନ୍ତ ପରିଶ୍ରମ ବୃଥା ଯାଉଥିବ।
ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ-ରାଷ୍ଟ୍ରଗୁଡ଼ିକ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ କ୍ରମବର୍ଦ୍ଧିଷ୍ଣୁ ଛାୟା ଯୁଦ୍ଧରେ ନିୟୋଜିତ ହୋଇ ସେମାନଙ୍କ ପସନ୍ଦ-ପକ୍ଷ ସପକ୍ଷରେ ରଣନୈତିକ ଫଳାଫଳକୁ ପ୍ରଭାବିତ କରିବାକୁ ପ୍ରୟାସ କରୁଛନ୍ତି। ତେଣୁ, ଏପରି ବହୁମୁଖୀ ଦ୍ୱନ୍ଦ୍ୱରେ ହସ୍ତକ୍ଷେପ କରିବାକୁ ସୁରକ୍ଷା ପରିଷଦର ସାମର୍ଥ୍ୟ ରହୁନାହିଁ। ଅଧିକନ୍ତୁ, ଉପଯୁକ୍ତ କ୍ଷମତା, ଦକ୍ଷତା ତଥା ଅନ୍ତର୍ଜାତୀୟ ତନ୍ତ୍ରର ଅଭାବ କାରଣରୁ ଅଣ-ରାଜ୍ୟ ଆକ୍ଟର ତଥା ଏକଚ୍ଛତ୍ରବାଦୀ ଶାସକମାନଙ୍କୁ ଉତ୍ତରଦାୟୀ କରିବା ଏବଂ ସେମାନଙ୍କର ଆଚରଣରେ ପରିବର୍ତ୍ତନ ଆଣିବାକୁ ମିଳିତ ଜାତିସଂଘ ସଙ୍ଘର୍ଷ କରୁଛି। ରାଷ୍ଟ୍ରୀୟ ସାର୍ଭଭୌମତାକୁ ସ୍ବୀକୃତିପ୍ରାପ୍ତ ଅନ୍ତଃରାଷ୍ଟ୍ରୀୟ ମାନବାଧିକାର ଆଇନ ଆଧାରିତ ବ୍ୟକ୍ତିଗତ ସାର୍ବଭୌମତା ବିରୋଧରେ ତଉଲା ଯାଉଛି ଏବଂ ସନ୍ତୁଳିତ କରାଯାଉଛି।
ପରିବର୍ତ୍ତିତ ପରିସ୍ଥିତିରେ, ସୁରକ୍ଷା ପରିଷଦ ଅତି କମ୍‌ରେ ଅନୁମାନ କରୁଛି ଯେ, ଅଣ-ରାଜ୍ୟ ଆକ୍ଟରମାନେ ମାନବିକ ଅଧିକାର ଆଇନର କିଛି ନିୟମକୁ ସମ୍ମାନ ଦେବେ କିମ୍ବା ପାଳନ କରିବେ। ମିଳିତ ଜାତିସଂଘର ସାମ୍ପ୍ରତିକ କାର୍ଯ୍ୟଧାରାରୁ ଜଣାଯାଉଛି କି, ମାନବାଧିକାରର ଅପବ୍ୟବହାରକୁ ରୋକିବାରେ ଅଣ-ରାଜ୍ୟ ଆକ୍ଟରମାନଙ୍କର ଭୂମିକା ରହିଛି ବୋଲି ସୁରକ୍ଷା ପରିଷଦ ଅନୁଭବ କରୁଛି। ତେବେ, ବର୍ତ୍ତମାନ ଏହା କହିବା ସମ୍ଭବ ନୁହେଁ ଯେ, ସୁରକ୍ଷା ପରିଷଦ ମାନବାଧିକାରର ଉତ୍ତରୋତ୍ତର ବିକାଶକୁ ଆଗକୁ ବଢ଼ାଇବା ପାଇଁ ଅଣ-ରାଜ୍ୟ ଆକ୍ଟରମାନଙ୍କୁ ଅନ୍ତଃରାଷ୍ଟ୍ରୀୟ ଆଇନର ଗଣ୍ଡି ଭିତରେ ମାନବାଧିକାରର ଦାୟିତ୍ୱ ଦେଇ ପାରିବ। ସେ ଯାହାହେଉ, ମାନବିକ ଅଧିକାରକୁ ଅନୁପାଳନ କରୁ ନ ଥିବା ଅଣ-ରାଜ୍ୟ ଆକ୍ଟରମାନଙ୍କ ବିରୋଧରେ ଚାପ ସୃଷ୍ଟି କରିବାର କ୍ଷମତା ଜାତିସଂଘର ସଦସ୍ୟ ରାଷ୍ଟ୍ରମାନଙ୍କ ନିକଟରେ ରହିଛି ବୋଲି ହୃଦ୍‌ବୋଧ ହେଉଛି। ଏଭଳି ଦ୍ୱନ୍ଦ୍ୱ ଘଟିବା ପୂର୍ବରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ, ପୂର୍ବନିବାରକ ତନ୍ତ୍ରର ବିକାଶ କରିବାର ଅଛି।
ଏହା ବ୍ୟତୀତ, ସୁରକ୍ଷା ପରିଷଦରେ ପାଞ୍ଚ ସ୍ଥାୟୀ ସଦସ୍ୟ-ରାଷ୍ଟ୍ର, ଆଞ୍ଚଳିକତା ଦୃଷ୍ଟିରୁ ସମଗ୍ର ବିଶ୍ୱକୁ ପ୍ରତିନିଧିତ୍ୱ କରୁନାହାନ୍ତି। ସାତ ଦଶନ୍ଧି ପୂର୍ବେ ବିଧ୍ୱଂସକାରୀ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଥକି ପଡ଼ିଥିବା ବିଶ୍ୱର ତତ୍କାଳୀନ ଭୂ-ରାଜନୈତିକ ଓ ଜନସାଂଖି୍ୟକୀୟ ପରିସ୍ଥିତିରେ ପାଞ୍ଚଟି ବିଜୟୀ ଦେଶର ସ୍ଥାୟୀ ସଦସ୍ୟତାକୁ ନେଇ ଗଢ଼ାଯାଇଥିବା ସୁରକ୍ଷା ପରିଷଦ, ଏକ ପୁରୁଣାକାଳିଆ ଢାଞ୍ଚାରେ ପରିଣତ ହୋଇଛି। ଜର୍ମାନୀ ଓ ଜାପାନ ପରି ଉଦୀୟମାନ ଶକ୍ତି ଯୁଦ୍ଧରେ ପରାସ୍ତ ହୋଇଥିବା କାରଣରୁ ପରିଷଦରେ ସ୍ଥାନ ପାଇ ନାହାନ୍ତି। ପରିଷଦର ଢାଞ୍ଚା ଅନୌପଚାରିକ ଭାବରେ ପାଞ୍ଚଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କ ସ୍ଥିତିକୁ ସମର୍ଥନ କରୁଛି। ଏହା ସୁରକ୍ଷା ପରିଷଦର ଉଦ୍ଦେଶ୍ୟ, ବିଶ୍ୱସନୀୟତା ଓ ପ୍ରଭାବଶାଳୀତା ଉପରେ ପ୍ରଭାବ ପକାଉଛି। ବର୍ତ୍ତମାନ ବ୍ରାଜିଲ, ଭାରତ, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକା ପରି ଆଞ୍ଚଳିକ ଶକ୍ତିଗୁଡ଼ିକ ମଧ୍ୟ ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ ପାଇଁ ଦାବି କଲେଣି।
ବିଶ୍ୱସ୍ତରୀୟ ସହଯୋଗ ପାଇବାକୁ ହେଲେ, ସୁରକ୍ଷା ପରିଷଦକୁ ଏକ ସମାବେଶୀ ମଞ୍ଚ ଭାବରେ ଗଢ଼ିବାକୁ ହେବ। ୨୦୦୪ରେ ‘ବିପଦ, ଆହ୍ବାନ ଓ ପରିବର୍ତ୍ତନ’ ଉପରେ ସେକ୍ରେଟାରୀ ଜେନେରାଲଙ୍କ ଉଚ୍ଚସ୍ତରୀୟ ପ୍ୟାନେଲ ସୁରକ୍ଷା ପରିଷଦର ସଂସ୍କାର ପାଇଁ ପ୍ରୟାସ କରିଥିଲା। ବିନା ଭେଟୋ କ୍ଷମତା ସହ ଛଅଟି ନୂତନ ସ୍ଥାୟୀ-ଆସନ ସହିତ ତିନିଟି ଦୁଇ ବର୍ଷିଆ ନିର୍ବାଚିତ-ଆସନ କିମ୍ବା ପ୍ରତି ଚାରି ବର୍ଷରେ ନବୀକରଣଯୋଗ୍ୟ ଆଠଟି ନୂତନ ବର୍ଗର ଆସନ ଏବଂ ଗୋଟିଏ ଦୁଇ ବର୍ଷର ଅଣ-ନବୀକରଣ ଯୋଗ୍ୟ ନୂତନ ଆସନ ଯୋଡ଼ିବାର ଦୁଇଟି ବିକଳ୍ପ ଦିଆଯାଇଥିଲା। କିନ୍ତୁ, ପରିଷଦର ପାଞ୍ଚ ଶକ୍ତିଶାଳୀ ସଦସ୍ୟ ରାଷ୍ଟ୍ରଙ୍କ ଆନ୍ତରିକତା ଅଭାବରୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ।
ଶାନ୍ତି ପ୍ରତିଷ୍ଠା ବାବଦରେ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ପରିଷଦ ଆଗକୁ ଅଣାଯାଉଥିବା ଗୁରୁତ୍ୱପୂର୍ଣ୍ଣ ସଂକଳ୍ପସବୁକୁ ସ୍ବାର୍ଥାନ୍ବେଷୀ ପାଞ୍ଚ ଶକ୍ତିଶାଳୀ ରାଷ୍ଟ୍ର, ସେମାନଙ୍କର ଭେଟୋ କ୍ଷମତା ବଳରେ ବାରମ୍ବାର ଭଣ୍ଡୁର କରୁଛନ୍ତି। ଉଦାହରଣ ସ୍ବରୂପ, ସିରିଆ ଗୃହଯୁଦ୍ଧକୁ ଉଭୟ ରୁଷିଆ ଓ ଆମେରିକା ସେମାନଙ୍କ ନିଜ ନିଜର ନୀତି ସହିତ ପ୍ରାଥମିକତା ଆଧାରରେ ଭେଟୋ କ୍ଷମତା ବଳରେ ଯୁଝୁଛନ୍ତି। ଫଳରେ, ଦ୍ୱନ୍ଦ୍ୱ ଶେଷ ହେବାର ନାମ ନେଉନାହିଁ। ବହୁମୁଖୀ ଦ୍ୱନ୍ଦ୍ୱର ଜଟିଳତାକୁ ମୁକାବିଲା କରିବାରେ ମିଳିତ ଜାତିସଂଘର ବର୍ତ୍ତମାନର ସଂରଚନା କିପରି ଅସମର୍ଥ, ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ ମାତ୍ର।
ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକର ଭେଟୋ ଅଧିକାରକୁ ସଂଶୋଧନ କରିବା ଏକ ଆହ୍ବାନ ହୋଇପାରେ। କିନ୍ତୁ, ଏହା ସିରିଆ ପରି ଗୃହଯୁଦ୍ଧରେ ମାନବିକ ଅଧିକାରର ଉଲ୍ଲଂଘନ ବିରୋଧରେ ଦ୍ରୁତ ଓ ତୁରନ୍ତ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଏହା ସମାନତାକୁ ନିଶ୍ଚିତ କରିପାରିବ। ସୁରକ୍ଷା ପରିଷଦର ପ୍ରଭାବକୁ ବୃଦ୍ଧି କରିବା ପାଇଁ ୨୦୧୩ରେ ୨୭ଟି କ୍ଷୁଦ୍ର ଓ ମଧ୍ୟମ ରାଷ୍ଟ୍ରସମୂହ, ‘ଉତ୍ତରଦାୟିତ୍ୱ, ସମନ୍ବୟ ଓ ସ୍ବଚ୍ଛତା’ ନାମରେ ଏକ ଆଚାର ସଂହିତା ଆଣିଥିଲେ। ଏଥିରେ, ନରସଂହାର ଓ ବ୍ୟାପକ ମାନବାଧିକାର ଉଲ୍ଲଂଘନ ମାମଲାରେ, ସ୍ଥାୟୀ ସଦସ୍ୟ ରାଷ୍ଟ୍ରମାନଙ୍କୁ ସ୍ବେଚ୍ଛାକୃତ ଭାବରେ ଭେଟୋ ବ୍ୟବହାରରୁ ନିବୃତ୍ତ ରହିବାକୁ ପ୍ରତିଶ୍ରୁତି ଦେବା ପାଇଁ ଆହ୍ବାନ କରାଯାଇଥିଲା। ୨୦୨୦ରେ, ପରିଷଦର ଦୁଇ ସ୍ଥାୟୀ ସଦସ୍ୟ (ଫ୍ରାନ୍ସ ଓ ବ୍ରିଟେନ) ଏବଂ ଆଠ ନିର୍ବାଚିତ ସଦସ୍ୟ ରାଷ୍ଟ୍ରଙ୍କ ସମେତ ସାଧାରଣ ସଭାର ୧୨୦ଟି ରାଷ୍ଟ୍ର ଏହି ଆଚରଣ ସଂହିତାକୁ ସମର୍ଥନ କରିଛନ୍ତି। ବର୍ତ୍ତମାନ, ସୁରକ୍ଷା ପରିଷଦର ପ୍ରତିକ୍ରିୟା ଦେଖିବାକୁ ବାକି ରହିଲା। ମାନବ ସୁରକ୍ଷା ପ୍ରତି ପ୍ରତିବଦ୍ଧତା ଏବଂ ଜାତିସଂଘରେ ସମାବେଶୀ ପ୍ରତିନିଧିତ୍ୱର ଆବଶ୍ୟକତାକୁ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆବଶ୍ୟକ ସଂସ୍କାର ପାଇଁ ସବୁଠାରୁ ବାସ୍ତବବାଦୀ ପ୍ରୟାସ ସାଧାରଣ ସଭା(ୟୁଏନ୍‌ଜିଏ)ରୁ ଆରମ୍ଭ ହେବାର ଅଛି। ବିଶ୍ୱ ସମୁଦାୟର ଚାପ ନିଶ୍ଚିତ ଭାବରେ ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକୁ ପ୍ରଭାବିତ କରିପାରିବ।
ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା, ଭୁବନେଶ୍ୱର
ମୋ: ୯୪୩୭୧୬୪୬୧୧
Email: saktiprasadd@yahoo.in