ନୂଆଦିଲ୍ଲୀ,୧୫ା୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ଦ୍ରୁତ ବୋଲର ୟଶ ଦୟାଲ୍ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଯୌନ ନିର୍ଯାତନା ଭଳି ଗମ୍ଭୀର ଅଭିଯୋଗରେ ଛନ୍ଦି ହୋଇଥିବା ୟଶ, ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଅତି ଗୁପ୍ତ ଭାବେ ବିବାହ କରିଥିବା ସୂଚନା ମିଳିଛି।
ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଗତ ଫେବୃଆରୀ ୪ ତାରିଖରେ ୟଶ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ବିବାହକୁ ଏତେ ଗୋପନୀୟ ରଖାଯାଇଥିଲା ଯେ ପ୍ରାୟ ଏକ ମାସ ପରେ ଏହି ଖବର ସାମ୍ନାକୁ ଆସିଛି। ଏପରିକି ଏହି ଉତ୍ସବରେ କୌଣସି ସାଙ୍ଗସାଥୀ କିମ୍ବା କ୍ରିକେଟରଙ୍କୁ ନିମନ୍ତ୍ରଣ କରାଯାଇନଥିଲା, କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଥିଲା।
ୟଶ ଦୟାଲ୍ଙ୍କ ପତ୍ନୀଙ୍କ ନାମ ହେଉଛି ଶ୍ୱେତା ପୁଣ୍ଡିର। ଶ୍ୱେତା ପେଶାରେ ଜଣେ ଜଣାଶୁଣା କଣ୍ଟେଣ୍ଟ କ୍ରିଏଟର। ନିକଟରେ ଶ୍ୱେତା ସୋସିଆଲ ମିଡିଆରେ ୟଶଙ୍କ ସହ ଏକ ଭିଡିଓ ସେୟାର କରିଥିଲେ, ଯାହା ପରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ଯୌନ ନିର୍ଯାତନା ଅଭିଯୋଗ ଯୋଗୁଁ ୟଶ ଦୟାଲ୍ ବିଗତ କିଛି ସମୟ ଧରି କ୍ରିକେଟ୍ ପଡ଼ିଆରୁ ଦୂରେଇ ଅଛନ୍ତି। ଏହି କାରଣରୁ ସେ ୟୁପି ଟି-୨୦ ଲିଗ୍ ୨୦୨୫ ମଧ୍ୟ ଖେଳିପାରିନଥିଲେ। ବର୍ତ୍ତମାନ ବଡ଼ ପ୍ରଶ୍ନ ଉଠୁଛି କି, ଆସନ୍ତା IPL 2026 ସିଜନରେ ସେ ପୁଣି ପଡ଼ିଆକୁ ଫେରିବେ କି ନାହିଁ?

