ଭୁବନେଶ୍ୱର,୧୬।୧: ପାଟକୁରା ବିଧାୟକ ତଥା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଉଭୟ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତଥିବା ଦର୍ଶାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ୨ ନେତା ବିଜେଡିରୁ ବିଦା ହେବା ପରେ ଚର୍ଚ୍ଚା ଜୋର ଧରିଛି। ଅରବିନ୍ଦ ମହାପାତ୍ର ଦଳରୁ ବହିଷ୍କାର ନେଇ ବେଶି ଆଲୋଚନା ହେଉଛି। ଏସବୁ ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ନେତା ରବି ପାଣି।
ରବି ପାଣି କହିଛନ୍ତି, ଓଡ଼ିଶା ରାଜନୀତିରେ ନବୀନ ବାବୁ ଜିରୋ। ସେ ହାତ ହଲେଇଦେଲେ ଭୋଟ ହେଉଥିଲା, କିନ୍ତୁ ଆଉ ହେବନି । ନୂଆପଡ଼ାରେ ଦଳର ଅବସ୍ଥା କଣ ହେଲା ତାହା ଦେଖନ୍ତୁ। ନବୀନ ବିଜୟଙ୍କ ପୁଅକୁ ଡାକି ଆଣି ଦଳରେ ସାମିଲ କରାଇଲେ। ସେତେବେଳେ ବିଜୟଙ୍କୁ ପଚାରି ନ ଥିଲେ। ଖାଲି ଗୋଟିଏ ମେସେଜ୍ କରିଥିଲେ। ଏବେ ଦଳରୁ ବାହାର କରିଦେଲେ। ସେତେବେଳେ ଦୁର୍ନୀତି ଗସ୍ତ କହି ବିଜୟ ଆଉ ନଳିନୀଙ୍କୁ ବାହାର କରି କହିଥିଲେ ଏବେ ବି ସେୟା। ନବୀନଙ୍କ ପାଖରେ ଘେରିକି ଅଛନ୍ତି ଅନେକ ବିଶ୍ୱାସଘାତକ। ଆମେ ୫୦ରୁ ୬୦ ସବୁବେଳେ ବସୁଛୁ, ଓଡିଶା ବୁଲୁଛୁ ନୂଆ ସମୀକରଣ କଥା ଚିନ୍ତା କରାଯାଉଛି । ବିଜୁ ବାବୁ ଟିକେ ଭୁଲ ପାଇଁ ୪୫କୁ ଖସି ଆସିଥିଲେ ଆଉ ନବୀନ ଏବେ ଜିରୋ।
ଯେଉଁମାନେ ଗତକାଲି ବିଶ୍ୱାସଘାତକ ଓ ଦୁର୍ନୀତିଗସ୍ତ କହୁଥିଲେ ସେମାନେ ମେ ୨୯ରେ କଣ କରିଥିଲେ ବୋଲି କହି ଅତନୁ ସବ୍ୟସାଚୀଙ୍କୁ ଟାର୍ଗେଟ୍ କରିଛନ୍ତି ରବି ପାଣି। ସେ କହିଛନ୍ତି, ବିଜୁ ପଟ୍ଟନାୟକ ଚାହୁଁଥିଲେ, ଯେଉଁମାନେ ଲୋକଙ୍କ ସହ ରହିବେ ସେମାନଙ୍କୁ ପ୍ରାର୍ଥୀ କରାଯିବ। ଆଜି ନବୀନ ବାବୁ ଦେଖୁଛନ୍ତି ତାଙ୍କ ଗୋଡ ଯିଏ ଧରିବେ ସେମାନଙ୍କୁ ପ୍ରାର୍ଥୀ କରାଯିବ। ସେମାନେ ଦୁର୍ନୀତି କରିବେ, ସେଇ ଦୁର୍ନୀତିର ଭାଗ ତାଙ୍କୁ ଦେବେ। ସେମାନେ କହିବେ ଆମେ ନିର୍ମଳ।
ସୂଚନାଯୋଗ୍ୟ ଅରବିନ୍ଦଙ୍କୁ ନିଲମ୍ବନ ପରେ ଶୁକ୍ରବାର ବିଜୟଙ୍କ ଘରକୁ ଯାଇଥିଲେ ରବି ପାଣି। ଭୁବନେଶ୍ବର ସ୍ଥିତ ବିଜୟଙ୍କ ବାସଭବନକୁ ଯାଇ ଆଲୋଚନା କରିଥିଲେ। ତେବେ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ତାହା ଜଣାପଡ଼ିନାହିଁ।