ପାଟଣା, ୨୧/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାବଣପୋଡ଼ି କମିଟି ପକ୍ଷରୁ ମଙ୍ଗଳବାର ରାତିରେ ପାଟଣା ଷ୍ଟାଡିୟମ ନିକଟସ୍ଥ ପଡ଼ିଆରେ ରାବଣପୋଡ଼ି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ୨୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ସମାଗମ ହୋଇଥିଲା।
ରାବଣପୋଡ଼ି ପୂର୍ବରୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ କଟକର ସଙ୍ଗମ ମେଲୋଡି ପକ୍ଷରୁ ସଙ୍ଗୀତ କାର୍ଯ୍ୟକ୍ରମ ସହ ନୃସିଂହ ଅବତାର ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିସହ ବିଭିନ୍ନ ରଙ୍ଗବେରଙ୍ଗର ଆତସବାଜି ଦର୍ଶକଙ୍କ ମନ ମୋହିଥିଲା। ପରେ ପାଟଣା ମୁଖ୍ୟାଳୟସ୍ଥିତ ରାମ ମନ୍ଦିରରୁ ରାମ, ଲକ୍ଷ୍ମଣ ଓ ହନୁମାନ ବେଶଧାରୀ ବାଳକମାନେ ଏକ ସୁସଜ୍ଜିତ ରଥରେ ଆସି ସଭାସ୍ଥଳରେ ପହଞ୍ଚିଥିଲେ।
ରାବଣପୋଡ଼ି କମିଟି ସଭାପତି ଅୟଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପାଟଣାର ଅତିରିକ୍ତ ତହସିଲଦାର ରବିଶଙ୍କର ହେମ୍ବ୍ରମ ମୁଖ୍ୟ ଅତିଥି ଏବଂ ଘଟଗାଁ ଏସ୍ଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ପାଟଣା ଥାନାଧିକାରୀ କିରଣ ପ୍ରସାଦ ସାହୁ ଓ କମିଟି ସମ୍ପାଦକ ପ୍ରକାଶ ସେଠୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଅତିଥିମାନେ ରାବଣ ଦହନର ମହତ୍ତ୍ୱ ବର୍ଣ୍ଣନା କରିବା ସହ ଦୁରାଚାର ଉପରେ ସଦାଚାର ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଭାବେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ସ୍ମରଣ କରିଥିଲେ। ଏଥିସହ ପ୍ରତ୍ୟେକ ବ୍ୟକ୍ତି ନିଜ ଭିତରେ ଥିବା ରାବଣତ୍ୱକୁ ଦୂର କରିବା ଉଚିତ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମକୁ ଭାଷ୍ୟକାର ପାର୍ଥସାରଥୀ ବେଜ ସଂଯୋଜନା କରିଥିଲେ। ରାବଣପୋଡ଼ି କମିଟିର ବିକାଶ ସେଠୀ, ଯୁଧିଷ୍ଠିର ମହାନ୍ତ, ବ୍ରଜ ସେଠୀ, ସୁଜିତ ରାମ, ତାପସ ମିଶ୍ର, ପ୍ରୀତମ ପାଣ୍ଡା, ଅଭିଷେକ ଦାଶ, ଚତୁର୍ଭୁଜ ମହାନ୍ତ, ପ୍ରମୋଦ ମହାନ୍ତ, ସଞ୍ଜୟ ପଲେଇ, ଏମ୍.ଡି. ମନସୁର ଆଲମ, ଦୁର୍ଲଭ ଦାସ, ଭୂତ ମହାନ୍ତ, ମଧୁସୂଦନ ମହାନ୍ତଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ। ପୋଲିସ କର୍ମଚାରୀଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମରେ ଶୃଙ୍ଖଳା ରକ୍ଷା କରାଯାଇଥିଲା।

