ଯାଜପୁର,୧୩ା୩(ହର୍ଷବର୍ଦ୍ଧନ ବେହେରା): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଆଧାରରେ ଓଡ଼ିଶାରେ ରାଶନକାର୍ଡ ହିତାଧିକାରୀ ଚୟନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହିକ୍ରମରେ ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୧୫ରେ ରାଜ୍ୟରେ ନୂଆ ରାଶନ କାର୍ଡ ବଣ୍ଟନ ହୋଇଥିଲା। ନୂଆ ତାଲିକାରେ ପ୍ରତି ଜିଲାରେ ରାଶନକାର୍ଡ ପାଇବାକୁ ଯୋଗ୍ୟ ହଜାରହଜାର ଗରିବ ପରିବାର ବାଦ ପଡିଥିବାବେଳେ ବହୁ ଥିଲାବାଲା ଲୋକ ସ୍ଥାନ ପାଇଥିଲେ। ଏହାକୁ ନେଇ ସେତେବେଳେ ବିକ୍ଷୋଭ, ଧାରଣା, ପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇବା ଭଳି ଘଟଣାମାନ ଘଟିଥିଲା। ତେବେ ରାଶନକାର୍ଡ ପାଇବାରୁ ବଞ୍ଚିତ ହୋଇଥିବା ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ କାର୍ଡ ପ୍ରଦାନର ବ୍ୟବସ୍ଥା କରାଯିବ ବୋଲି ତକତ୍ାଳୀନ ଯୋଗାଣ ବିଭାଗ ମନ୍ତ୍ରୀ ବିବୃତି ରଖିଥିଲେ। କିନ୍ତୁ ଇତିମଧ୍ୟରେ ୧୦ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ରାଶନକାର୍ଡ ବିଭ୍ରାଟ ସୁଧୁରି ପାରୁନାହିଁ। ନୂଆ ସରକାର ଆସିବା ପରେ ପ୍ରତି ବ୍ଲକ ଅଞ୍ଚଳରେ କେତେକ ଅଯୋଗ୍ୟଙ୍କୁ ତାଲିକାରୁ ବାଦ ଦିଆଯାଇଥିଲା। କିନ୍ତୁ ଜନଶୁଣାଣି ପୋର୍ଟାଲରେ ହୋଇଥିବା କେତେକ ଅଭିଯୋଗଗୁଡିକୁ ଅବଲୋକନ କଲେ ଯାଜପୁର ଜିଲାରେ ଏବେ ବି ବହୁ ଯୋଗ୍ୟ ବ୍ୟକ୍ତି ରାଶନକାର୍ଡ ପାଇ ନ ଥିବାବେଳେ ଅଯୋଗ୍ୟ ଏହାର ଫାଇଦା ନେଉଥିବା ଜଣାପଡିଛି। ଏହିକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଡେପୁଟି ସେକ୍ରେଟାରୀ(ଉପସଚିବ) ଟିମୋ କହଁର ଆବଶ୍ୟକ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହିସବୁ ସମସ୍ୟାର ତୁରନ୍ତ ସମାଧାନ କରା ନ ଗଲେ ଏହା ଆଗାମୀ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ଚର୍ଚ୍ଚା ହେଉଛି।
୨୩ ବର୍ଷ ପରେ ରାଜ୍ୟ ସରକାର ନୂଆ କରି ରାଶନ ରିହାତି ପାଇବାର ଯୋଗ୍ୟ ଲୋକଙ୍କ ତାଲିକା ପ୍ରସ୍ତୁତ କରି କମ୍ପ୍ୟୁଟରୀକରଣ କରିଥିଲେ। ଯେଉଁ ଲୋକମାନେ ସମାଜରେ ଅବହେଳିତ ଓ ଆର୍ଥିକ ଅନଗ୍ରସର ହୋଇ ରହିଛନ୍ତି, ସେମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ଏହି ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିଲା। ରାଜ୍ୟର ମୋଟ ଜନସଂଖ୍ୟାର ୭୮% ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଏହାସତ୍ତ୍ୱେ ଏବେ ବି କାର୍ଡ ପାଇବାକୁ ଯୋଗ୍ୟ ଅନେକ ଗରିବ ଶ୍ରେଣୀର ଲୋକ ହିତାଧିକାରୀ ତାଲିକାରେ ସାମିଲ ହୋଇ ପାରିନାହାନ୍ତି, ଯାହାର ଯାଜପୁର ଜିଲାରେ ଅନେକ ଉଦାହରଣ ରହିଛି। ସେଥିମଧ୍ୟରୁ ଜନଶୁଣାଣି ପୋର୍ଟାଲରେ ହୋଇଥିବା ଅଭିଯୋଗ ଅନୁସାରେ ଦଶରଥପୁର ବ୍ଲକ ଚମ୍ପେଇପାଳ ପଞ୍ଚାୟତର କୁଆଁରପୁର ଗ୍ରାମର ଜୟନ୍ତୀ ସେଠୀ ୨୦୨୪ ମାର୍ଚ୍ଚରୁ ରାଶନକାର୍ଡ ପାଇଁ ଆବେଦନ କରିଛନ୍ତି। ଜୟନ୍ତୀଙ୍କ ସ୍ବାମୀ ଦିନ ମଜୁରିଆ। ସେମାନଙ୍କ ୫ଜଣ ସଦସ୍ୟ ରହିଛନ୍ତି। କିନ୍ତୁ ରାଜନୈତିକ ବିଦ୍ୱେଷ ମନୋଭାବ ରଖି ତାଙ୍କୁ ରାଶନକାର୍ଡ ଏଯାଏ ଦିଆଯାଇ ନାହିଁ ବୋଲି ସେ ତାଙ୍କ ଆବେଦନପତ୍ରରେ ଦର୍ଶାଇଛନ୍ତି। ଧର୍ମଶାଳା ବ୍ଲକ କାଏମା ପଞ୍ଚାୟତ ଅଧୀନ ଅରଖପଡ଼ା ଗ୍ରାମର ବିକାଶ ସେଠୀ ଜଣେ ଥାଲାସେମିଆ ରୋଗୀ। ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର। କିନ୍ତୁ ତାଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯାଇ ଚାଉଳ ଦେବାକୁ ବହୁବାର ଲିଖିତ ଆବଦନ କରିଥିଲେ ବି ଏଯାଏ ସଫଳତା ମିଳି ପାରିନାହିଁ। ସେହିପରି ବରୀ ବ୍ଲକ ରାଉତସାହି ଗ୍ରାମର ତନ୍ମୟ ନାଏକ ରାଶନକାର୍ଡ ପାଇବାକୁ ବିଭିନ୍ନ ସମୟରେ ଅନୁରୋଧ କରିଛନ୍ତି। କିନ୍ତୁ କୌଣସି କାରଣ ନ ଦର୍ଶାଇ ତାଙ୍କୁ ଅନୁରୋଧ ପତ୍ରକୁ ଖାରଜ କରାଯାଇଛି। ତେଣୁ ଉପଯୁକ୍ତ ଭାବେ ତଦନ୍ତ କରି ସେମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ତନ୍ମୟ ଜନଶୁଣାଣି ପୋର୍ଟାଲରେ ଦାବି କରିଛନ୍ତି। ବରୀ ବ୍ଲକ ଭୁରୁଙ୍ଗା ଗ୍ରାମର ଟିକିନା ଜେନା ରାଶନକାର୍ଡ ପାଇବାକୁ ବ୍ଲକ କାର୍ଯ୍ୟାଳୟରେ ସମସ୍ତ ପ୍ରକାର କାଗଜପତ୍ର ଦାଖଲ କରିଛନ୍ତି। କିନ୍ତୁ ଆଜକୁ ପ୍ରାୟ ୧ ବଷର୍ର୍ ହେବ ରାସଶକାର୍ଡ ପାଇବାକୁ ବ୍ଲକ କାର୍ଯ୍ୟାଳୟକୁ ଦୌଡି ଦୌଡି ସେ ନିରାଶ ହୋଇଛନ୍ତି। ସେହିପରି ପ୍ରଥମାଖଣ୍ଡି ଗ୍ରାମର ନମିତା ବାରିକ, ଦଶରଥପୁର ବ୍ଲକ ମନ୍ଦାରଖଣ୍ଡ ଗ୍ରାମର ଶୁଭଶ୍ରୀ ପଣ୍ଡା ଭଳି ବହୁ ଯୋଗ୍ୟ ବ୍ୟକ୍ତି ରାଶନକାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପକ୍ଷେ ବହୁ ଅଯୋଗ୍ୟ ରାଶନକାର୍ଡର ଫାଇଦା ନେଉଛନ୍ତି ବୋଲି ବିଞ୍ଝାରପୁର ବ୍ଲକ ଅଞ୍ଚଳର ରାଜୁ କୁମାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ଏସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ଦିଲୀପ କୁମାର ପାଣିଗ୍ରାହୀଙ୍କୁ ପଚାରିବାରେ ସେ କହିଛନ୍ତି, ଜନଶୁଣାଣି ପୋର୍ଟାଲ ଅଭିଯୋଗର ମାସେ ମଧ୍ୟରେ ସମାଧାନ କରା ନ ଗଲେ ସମ୍ପୃକ୍ତ ଅଧିକାରୀଙ୍କ ଦରମା ବନ୍ଦ କରାଯାଉଛି। ଅଭିଯୋଗ ଉପରେ ଆବଶ୍ୟକ ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯାଇଛି। ଅଯୋଗ୍ୟ ହିତାଧିକାରୀଙ୍କ ସବିଶେଷ ତଥ୍ୟ ସହିତ ଅଭିଯୋଗ କରାଗଲେ ନିଶ୍ଚିତ ଭାବେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

