ସମ୍ବଲପୁର,୧୦ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅଞ୍ଚଳରେ ୨୦୨୩ରେ ଘଟିଥିବା ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସମ୍ବଲପୁର ପୋକ୍ସୋ ଅଦାଲତ ସ୍ବତନ୍ତ୍ର ବିଚାରପତି ଅଭିଳାଷ ସେନାପତି ଏହି ମାମଲାରେ ଅଭିଯୁକ୍ତ ଭୋଇମୁଣ୍ଡା ଖଡ଼ିଆପଡ଼ାର ଆକାଶ ଖଡ଼ିଆ(୧୯)ଙ୍କୁ ଦଫା ୬ ପୋକ୍ସୋ ଆଇନରେ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅର୍ଥ ଅନାଦାୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି।
ଶାସନ ଥାନା ଅନ୍ତର୍ଗତ ଭୋଇମୁଣ୍ଡା ଅଞ୍ଚଳର ୬ ବର୍ଷୀୟା ପୀଡ଼ିତାଙ୍କ ଘରକୁ ନିକଟସ୍ଥ ଖଡ଼ିଆପଡ଼ାର ଆକାଶ ଖଡିଆ ୨୦୨୩ ସେପ୍ଟେମ୍ବର ୨୦ ତାରିଖ ସନ୍ଧ୍ୟାରେ ଆସିଥିଲେ। ସେ ଉକ୍ତ ପରିବାର ସହିତ ପୂର୍ବରୁ ପରିଚିତ ଥିବାରୁ ନାବାଳିକାଙ୍କୁ ନିଜ ସାଇକେଲ୍ରେ ବସାଇ ବୁଲାଇବାକୁ ଗାଁ ଦାଣ୍ଡକୁ ନେଇଥିଲେ। ଗ୍ରାମଠାରୁ କିଛି ଦୂର ଯିବା ପରେ ସେ ନାବାଳିକାଙ୍କୁ ଅସଦାଚରଣ କରିଥିଲେ। ଏହାପରେ ଅଭିଯୁକ୍ତ ନାବାଳିକାଙ୍କୁ ଆଣି ତାଙ୍କ ଘର ପାଖରେ ଛାଡ଼ି ଦେଇଥିଲେ। ପୀଡ଼ିତାଙ୍କ ରକ୍ତସ୍ରାବ ହେଉଥିବା ଦେଖି ତାଙ୍କ ମା’ ପଚାରିବାରୁ ସାଇକେଲରୁ ଖସି ପଡିବାରୁ ଏଭଳି ହେଉଥିବା କହି ଆକାଶ ସେଠାରୁ ଚାଲିଯାଇଥିଲେ। ପରେ ସବୁ କଥା ଜାଣିବା ପରେ ପରିବାର ଲୋକେ ପୀଡ଼ିତାଙ୍କୁ ସାଙ୍ଗରେ ନେଇ ଶାସନ ଥାନାରେ ଏତଲା ଦେଇଥିଲେ।
ଏତଲା ଆଧାରରେ ଏକ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ଆକାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଦାଲତରେ ଏହି ମାମଲାକୁ ସ୍ବତନ୍ତ୍ର ସରକାରୀ ଓକିଲ ସନ୍ତୋଷ କୁମାର ପଣ୍ଡା ପରିଚାଳନା କରିଥିଲେ।