ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଅଭିଯୁକ୍ତ ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଞ୍ଚଳର ମାଧବ ସ୍ବାଇଁ(୬୨)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟେ ଅଧିକ ୬ମାସ ସଶ୍ରମ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରାଯାଇଛି। ଜରିମାନା ଟଙ୍କା ପୀଡ଼ିତାଙ୍କୁ ଦିଆଯିବ। ସେହିପରି ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ହୋଇଛି।

ଗାଙ୍ଗପୁର ଥାନା ଅଞ୍ଚଳରେ ରହୁଥିବା ୬ ବର୍ଷର ନାବାଳିକା ୨୦୨୪ ମେ ୨୨ ତାରିଖ ଅପରାହ୍ନରେ ଏକ ଦୋକାନକୁ ଯାଇଥିବା ବେଳେ ସେଠାରେ ଛିଡା ହୋଇଥିବା ମାଧବ ତାଙ୍କୁ ଚକୋଲେଟ ଖାଇବାକୁ ଦେଇଥିଲେ। ପରେ ଆଉ ଅଧିକ ଚକୋଲେଟ ଦେବେ ବୋଲି ଲୋଭ ଦେଖାଇ ନାବାଳିକାଙ୍କୁ ଗାଁ ମୁଣ୍ଡ ଏକ ଖଳାକୁ ନେଇ ବଳାତ୍କାର କରିଥିଲେ। ସେଠାରୁ ନାବାଳିକା କାନ୍ଦି କାନ୍ଦି ଘରକୁ ଆସି ମା’ଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୀଡ଼ିତାଙ୍କ ମା’ ଘଟଣା ସମ୍ପର୍କରେ ପଚାରିବାକୁ ମାଧବଙ୍କ ଘରକୁ ଯାଇଥିବା ବେଳେ ସେ ଧମକାଇ ତଡ଼ି ଦେଇଥିଲେ। ଦୁଇଦିନ ପରେ ଘଟଣା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏକ ମାମଲା(ନଂ.୩୦୬/୨୪) ରୁଜୁ କରି ମାଧବଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ବେଳେ ୬ ଜଣଙ୍କ ବୟାନ ରେକର୍ଡ କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମାମଲା ପରିଚାଳନା କରିଥିଲେ।