ନାବାଳିକାଙ୍କୁ ଘରକୁ ଖାଇବାକୁ ଡାକି ବଳାତ୍କାର, ଚିତ୍କାର କରିବାରୁ…

ଲାଞ୍ଜିଗଡ଼,୩ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ବଳ ପୂର୍ବକ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତି ଫେରାର ଥିବା ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, କଳାହାଣ୍ଡି ଜିଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ମୂଷାନାଳ ଗ୍ରାମର କୋଶି ବାଗ(୫୦) ନାମକ ଜଣେ ବ୍ୟକ୍ତି ଗତ ମଙ୍ଗଳବାର ଅପରାହ୍ନରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ କ’ଣ ଖାଇବାକୁ ଦେବା ବାହାନା କରି ନିଜ ଘରକୁ ଡାକିନେଇଥିଲେ। ଝିଅ ଘର ଭିତରକୁ ଆସିବା ପରେ ଅଭିଯୁକ୍ତ କୋଶି କବାଟ ଦେଇ ନାବାଳିକାଙ୍କୁ ବଳ ପୂର୍ବକ ବଳାତ୍କାର ଉଦ୍ୟମ କରୁଥିବା ବେଳେ ନାବାଳିକା ଜଣଙ୍କ ଚିତ୍କାର କରିଥିଲେ। ଝିଅର ଚିତ୍କାର ଶୁଣି ଘର ଆଖପାଖରେ ଥିବା ଲୋକେ ଦଉଡ଼ି ଆସିଥିଲେ। ଝିଅକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ବିଶ୍ୱନାଥପୁର ସିଏଚ୍‌ସିରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ପକ୍ଷରୁ ବିଶ୍ୱନାଥ ପୋଲିସକୁ ଖବର ଦେବା ପରେ ଡାକ୍ତରଖାନା ପୋଲିସ ପହଞ୍ଚି ତଦନ୍ତ କରିଥିଲେ। ଏନେଇ ମଙ୍ଗଳବାର ଅପରାହ୍ନରେ ପୀଡ଼ିତାଙ୍କ ବାପା ବିଶ୍ୱନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ବିଶ୍ୱନାଥପୁର ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ବିଶ୍ୱନାଥପୁର ଥାନା ଅଧିକାରୀ ତୁଳସିରାମ ଶବରଙ୍କ ନେତୃତ୍ୱରେ ପୋଲିସ ମୂଷାନାଳ ଗାଁକୁ ମଙ୍ଗଳବାର ସନ୍ଧ୍ୟାରେ ଯାଇ ତଦନ୍ତ କରିଥିବା ବେଳେ ଅଭିଯୁକ୍ତ କୋଶି ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏନେଇ ବୁଧବାର ପୀଡ଼ିତାଙ୍କ ଡାକ୍ତରୀ ମାଇନା ଭବାନୀପାଟଣାଠାରେ କରାଯାଇଥିଲା।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ବିଶ୍ୱନାଥପୁର ଥାନା କେସ୍‌ ନଂ ୭୬/୨୫ ରେ ଦଫା ୬୪/୬୫ (୨) ବିଏନ୍‌ଏସ୍‌ (୪) ପୋକ୍ସୋ ଧାରା ଅନୁଯାୟୀ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ପୋଲିସ ଘଟଣାଟିକୁ ଗୁରୁତର ଭାବେ ନେଇ ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ କୋଶି ବର୍ତ୍ତମାନ ଫେରାର ଥିବା ବିଶ୍ୱନାଥପୁର ଥାନାଧିକାରୀ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରି ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Dharitri – Odisha’s No.1 Odia Daily

Share