ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ଡିସିପିଙ୍କୁ ରାଜ୍ୟ ମହିଳା କମିଶନଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୭ା୯(ବ୍ୟୁରୋ): ଇନ୍‌ଫୋସିଟି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ରାଜ୍ୟ ମହିଳା କମିଶନ ନିଜଆଡୁ ହସ୍ତକ୍ଷେପ କରିଛନ୍ତି। ମାମଲାର ଗୁରୁତ୍ୱକୁ ଦେଖି କମିଶନ ଅଧ୍ୟକ୍ଷା ମିନତି ବେହେରା ଭୁବନେଶ୍ୱର ଡିସିପି ଡା. ଉମାଶଙ୍କର ଦାଶଙ୍କୁ ରିପୋର୍ଟ ଦଲବ କରିଛନ୍ତି। କ’ଣ ତଦନ୍ତ ହୋଇଛି ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି ନାହିଁ ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ଡିସିପିଙ୍କୁ ମଧ୍ୟ ମହିଳା କମିଶନ ତାଗିଦ କରିଛନ୍ତି। ମାମଲା ଉପରେ କମିଶନ ନଜର ରଖିଛି ଓ ତଦନ୍ତରେ ଅବହେଳା ଅନୁଭବ ହେଲେ ଡିଜିପିଙ୍କୁ ଅବଗତ କରାଯିବ ବୋଲି ଅଧ୍ୟକ୍ଷା ବେହେରା କହିଛନ୍ତି।
ଅନ୍ୟପକ୍ଷରେ ଏହି ସ୍ପର୍ଶକାତର ମାମଲାରେ ମହିଳା ଥାନା ପୋଲିସର ଭୂମିକା ଏବେ ସନ୍ଦେହ ଘେରକୁ ଆସିଛି। ଅଭିଯୋଗ ପରେ ପୋଲିସ ତୁରନ୍ତ ପଦକ୍ଷେପ ଆରମ୍ଭ ନ କରି ୩ଦିନ ଧରି ଚାପି ରଖିଥିଲା। ଲୁଚାଛପାରେ ମାମଲା ରୁଜୁ କରି ଚୁପ୍‌ ବସିଥିଲା। ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସଂପୃକ୍ତି ରହୁଥିବାରୁ ଥାନାରେ ମାମଲାକୁ ଚପାଇବାକୁ ଉଦ୍ୟମ ହୋଇଥିଲା। ହେଲେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମହିଳା ଥାନା ପୋଲିସର ସବୁ ଯୋଜନା ଫସର ଫାଟିଥିଲା। ଶେଷରେ ଡିସିପି ଖବରଦାତା ସମ୍ମିଳନୀ ଡାକି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ହେଲେ ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଚ ହେବ ନାବାଳିକାଙ୍କ ମେଡିକାଲ ରିପୋର୍ଟ। କାରଣ ୩ମାସ ତଳେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିଲେ ତାହା ମେଡିକାଲ ରିପୋର୍ଟରେ ଆସିବ ନାହିଁ। ତେଣୁ କିଭଳି ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ପୋଲିସ କୋର୍ଟରେ ପ୍ରମାଣ କରିବ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି। ଅନ୍ୟପକ୍ଷରେ ଏଯାଏ ପୋଲିସ ଅଭିଯୁକ୍ତଙ୍କ ଧରୁ ନ ଥିବାରୁ ନାନା ସନ୍ଦେହ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ପୀଡିତା ନାବାଳିକା ଜଣକ ଇନ୍‌ଫୋସିଟି ଥାନା ଅଞ୍ଚଳରେ ପରିବାର ସହ ରହୁଥିବାବେଳେ ନିକଟ ଇଲିଶ ମିଡିୟମ ସ୍କୁଲ୍‌ରେ ପଢ଼ନ୍ତି। ଲକ୍‌ଡାଉନ୍‌ ସମୟରେ ଘରର ସଦସ୍ୟମାନେ ଅନୁପସ୍ଥିତ ଥିବାବେଳେ ୨ଜଣ ପୋଲିସ ଓ ୨ଜଣ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଜବରଦସ୍ତ ଘରେ ପଶି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବଳାତ୍କାର କରିଥିଲେ। ଭୟରେ ପୀଡ଼ିତା ଜଣକ କାହାକୁ ଜଣାଇ ନ ଥିଲେ। ବାରମ୍ବାର ବଳାତ୍କାର କରାଯିବାରୁ ଶେଷରେ ସେ ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ମହିଳା ଥାନାରେ ଅଭିଯୋଗ କରିଥିଲେ।