୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣା: ଦୋଷୀଙ୍କୁ ୨୦ବର୍ଷ ଜେଲ୍‌

କଟକ,୧୬।୪(ପ୍ରଭୁକଲ୍ୟାଣ ପାଲ୍‌): ୮୦ବର୍ଷୀୟ ବୃଦ୍ଧାଙ୍କ ବଳାତ୍କାର ଦୋଷୀଙ୍କୁ ହୋଇଛି ୨୦ବର୍ଷ ଜେଲ । ୨୦୨୨ରେ କଟକରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣାରେ ଆଜି ରାୟ ପ୍ରକାଶ ପାଇଛି । କଟକ ଆଡହକ ଆଡସିନାଲ ସେସନ୍ସ ଜଜ ତଥା ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ-୨, ଏହି ଘଟଣାରେ ଅଭିଯୁକ୍ତ ଚେଲା ସରକାରଙ୍କୁ ୨୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଦୋଷୀଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା କରାଯାଇଛି । ଜରିମାନା ଅନାଦାୟ ଆସାମୀ ଅଧିକ ୬ମାସ ଜେଲଦଣ୍ଡ ଭୋଗିବେ ବୋଲି ଅଦାଲତ ଆଦେଶରେ ସ୍ପଷ୍ଟ କରିଛନ୍ତି।

ମାମଲାରୁ ସ୍ପଷ୍ଟ ଯେ , ୨୦୨୨ ଡିସେମ୍ବର ୧୨ ତାରିଖ ଦିନ ସ୍ଥାନୀୟ ବକ୍ସିବଜାର ପେନଶନ ଲେନ ଅଞ୍ଚଳରେ ରହୁଥିବା ଜଣେ ବୃଦ୍ଧାଙ୍କ ଘରେ ଅଭିଯୁକ୍ତ ଚେଲା ମଦ୍ୟପାନ କରି ପଶି ଯାଇଥିଲା। ବୃଦ୍ଧାଙ୍କୁ ଏକୁଟିଆ ସୁଯୋଗ ପାଇ ଅଭିଯୁକ୍ତ ଚେଲା ସରକାର ତାଙ୍କୁ ବଳାତ୍କାର କରିଥିଲେ। ବୃଦ୍ଧା ଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ଜାଗା ଛାଡ଼ି ପଳାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ କର୍ପୋରେଟର ଏ. ଶ୍ରୀଦେବୀ କଟକ ମହିଳା ଥାନାରେ ଏତଲା ଦେଇଥିଲେ। ଏହି ଏତଲାକୁ ଗ୍ରହଣ କରି ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ମାମଲାର ଶୁଣାଣି କଟକ ଆଡହକ ଆଡସିନାଲ ସେସନ୍ସ ଜଜ ତଥା ଫାଷ୍ଟଟ୍ରକ କୋର୍ଟ-୨ରେ ହୋଇଥିଲା। ମାମଲାର ଶୁଣାଣି ଚାଲିଥିଲାବେଳେ ସାକ୍ଷୀ ପ୍ରଦାନ କରିପାରିନଥିବା ବୃଦ୍ଧଙ୍କର ଦେହାନ୍ତ ହୋଇଯାଇଥିଲା। ୧୩ଜଣ ସାକ୍ଷୀ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟକୁ ଭିଭିକରି ଅଦାଲତ ଅଭିଯୁକ୍ତ ଚେଲା ସରକାରଙ୍କୁ ଏହି ଘଟଣାରେ ବୁଧବାର ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଅତିରିକ୍ତ ପିପି ଏମ.ଏମ. ବେଗ ପରିଚାଳନା କରୁଥିଲେ ।

Share