ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା ମଣ୍ଡପରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ବିଧି ମୁତାବକ ରାମ-ସୀତା ବିବାହ ସମ୍ପନ୍ନ ପରେ ଅନ୍ନପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ସେହିଭଳି ପାଡୁଆ ସଦର ମହକୁମାରେ ହନୁମାନ ଚାଳିଶା ପାଠ, ସୀତା ରାମ ବିବାହ ନୀତି ସହ ଅନ୍ନପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ପାନ୍ଥଲୁଙ୍ଗ ପଞ୍ଚାୟତସ୍ଥିତ ବାଲ୍ମିକୀ ଆଶ୍ରମରେ ପୂଜାର୍ଚ୍ଚନା ସହ ନୀତି କାନ୍ତି ପାଳନ କରାଯାଇଛି। ହାଣ୍ଡିପୁଟ ଜଙ୍କସନସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ପୂଜାର୍ଚ୍ଚନା, ସଙ୍କୀର୍ତ୍ତନ ସହ ଭକ୍ତଙ୍କ ସମାଗମ ପରିସରକୁ ଭକ୍ତିମୟ କରିଛି। ଅପରାହ୍ନରେ ନନ୍ଦପୁରରେ ଯୁଗଳ ପ୍ରତିମାଙ୍କ ଶୋଭାଯାତ୍ରା ନଗର ପରିକ୍ରମା କରିବ। ପାଡୁଆ, ଥୁବା, ହାଣ୍ଡିପୁଟରେ ମଧ୍ୟ ଭକ୍ତ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବେ ବୋଲି ସୂଚନା ରହିଛି। ନନ୍ଦପୁର ଓ ପାଡୁଆ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

