ରାମଚନ୍ଦ୍ର, ସକ୍ରେଟିସ୍‌ ଓ ଗଣତନ୍ତ୍ର

ରାମାୟଣରେ ବର୍ଣ୍ଣିତ ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ରଙ୍କୁ ଆମେ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିନିଧି ଭାବରେ ବ୍ୟାଖ୍ୟା କରୁ। ଉତ୍ତରାକାଣ୍ଡର ବର୍ଣ୍ଣନା ଅନୁସାରେ ନଗର ଭ୍ରମଣ କରିସାରି ଗୁପ୍ତଚର ଭଦ୍ର ରାମଙ୍କୁ କହିଛି, ”ହେ ରାଜନ, ପୁରବାସୀ ଆପଣଙ୍କ ବିଷୟରେ ରାସ୍ତାରେ, ବଜାରରେ, ବନ ଉପବନରେ କିପରି ଉଭୟ ଭଲ ଓ ମନ୍ଦ କଥା କହୁଛନ୍ତି ଶୁଣନ୍ତୁ। ଭଲ କଥାରେ ଅଛି ରାଜା ରାମ କିପରି ସେତୁବନ୍ଧ ବାନ୍ଧି ଲଙ୍କାରେ ପ୍ରବେଶ କରି କୁମତି ରାବଣକୁ ହତ୍ୟା କଲେ ଓ ସୀତାଙ୍କୁ ଉଦ୍ଧାର କଲେ। ମନ୍ଦ କଥାରେ ଅଛି ସୀତାଙ୍କୁ ରାବଣ ବଳପ୍ରୟୋଗ କରି ଅପହରଣ କଲା ଓ ଲଙ୍କା ନେଇ ଅଶୋକ ବନରେ ରଖିଲା। ତା’ସତ୍ତ୍ୱେ ରାଜା ତାଙ୍କୁ ଗ୍ରହଣ କଲେ। ପ୍ରଜାମାନଙ୍କ ସ୍ତ୍ରୀ କ୍ଷେତ୍ରରେ ଏପରି ଘଟଣା ଘଟିଲେ ସେମାନେ ତାକୁ ସହିନେବେ। କାରଣ ରାଜା ଯାହା କରନ୍ତି, ପ୍ରଜାମାନେ ତାକୁ ଅନୁସରଣ କରନ୍ତି। ପୁରବାସୀ ଏଭଳି ଭାବରେ ନଗର ଜନପଦ ସର୍ବତ୍ର କଥୋପକଥନ କରୁଛନ୍ତି (୧୩-୨୦ ଉତ୍ତରାକାଣ୍ଡ, ତ୍ରିତ୍ୱାରିଂଶ ସର୍ଗ)। ଏହା ଶୁଣି ରାମ ସୀତା ନିଷ୍ପାପ ଜାଣିଥିବା ସତ୍ତ୍ୱେ ଜନମତକୁ ସମ୍ମାନ ଦେବା ପାଇଁ ସୀତାଙ୍କୁ ନିର୍ବାସନ କରିଛନ୍ତି। ମାତ୍ର ମହର୍ଷି ବାଲ୍ମୀକି ରାମଚନ୍ଦ୍ରଙ୍କୁ ଜନମତ ସମର୍ଥକ ଭାବରେ ଚିତ୍ରଣ କରିନାହାନ୍ତି। ତାଙ୍କ ରାମାୟଣ ସୀତାଙ୍କ ଉଦ୍ଧାର ଓ ରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଓ ସିଂହାସନ ଆରୋହଣରେ ସମାପ୍ତ ହୋଇଛି। ଉତ୍ତରାକାଣ୍ଡ ବାଲ୍ମୀକିଙ୍କ ଦ୍ୱାରା ରଚିତ ନୁହେଁ। ପରବର୍ତ୍ତୀ ସମୟରେ କେହିଜଣେ କବି ଏହି ଅଂଶକୁ ଯୋଡ଼ିଛନ୍ତି। ଜନମତ ସବୁବେଳେ ଠିକ୍‌ ହୋଇ ନ ପାରେ। ଏଣୁ ସେ ଜନମତ ଅପେକ୍ଷା ସତ୍ୟନିଷ୍ଠା ଧର୍ମ ଓ ନୀତିକୁ ପାଳନ କରିଛନ୍ତି। ରାମ ଲକ୍ଷ୍ମଣ ଓ ସୀତାଙ୍କୁ ସାଙ୍ଗରେ ନେଇ ବନବାସ ଗଲାପରେ ଭରତ, ରାଜପରିବାର ଓ ପ୍ରଜାକୁଳ ସମସ୍ତେ ରାମଙ୍କୁ ଫେରାଇ ଆଣିବା ପାଇଁ ଅରଣ୍ୟକୁ ଯାଇଛନ୍ତି। ସେତେବେଳେ ରାମ ଥାନ୍ତି ଚିତ୍ରକୁଟ ଆଶ୍ରମରେ। ପ୍ରକୃତରେ ଜନମତ ଥିଲା ରାମ ଅଯୋଧ୍ୟା ଫେରି ରାଜ୍ୟ ଶାସନ କରନ୍ତୁ। ମାତ୍ର ରାମ ଜନମତକୁ ଗ୍ରହଣ ନ କରି ସତ୍ୟ ଓ ଧର୍ମ ରକ୍ଷା କରିବା ପାଇଁ ବନବାସକୁ ଗ୍ରହଣ କରି ନେଇଛନ୍ତି। ଜନମତକୁ ସମ୍ମାନ ଦେଇ ଅନ୍ତଃସତ୍ତ୍ୱା ସୀତାଙ୍କୁ ନିର୍ବାସନ କରିବା ବାଲ୍ମୀକିଙ୍କ ରାମଙ୍କ ବ୍ୟକ୍ତିତ୍ୱର ପରିଚାୟକ ନୁହେଁ। ବାଲ୍ମୀକିଙ୍କ ମର୍ଯ୍ୟାଦାପୁରୁଷ ରାମ ଜନମତକୁ ସମ୍ମାନ ଦେଇ କେବେ ନୀତିଭ୍ରଷ୍ଟ ହୋଇନାହାନ୍ତି।
ସାମ୍ପ୍ରତିକ ଗଣତନ୍ତ୍ର ହେଉଛି ସଂଖ୍ୟାର ଖେଳ। ବହୁ ମତକୁ ଅନ୍ଧଭାବରେ ଗ୍ରହଣ କରିନେବା ହିଁ ଗଣତନ୍ତ୍ର। ମାତ୍ର ଯଦି ଗଣଅଶିକ୍ଷିତ ଓ ଅବିବେକି, ସେମାନଙ୍କ ସଂଖ୍ୟାଗରିଷ୍ଠ ମତ ବି ଭୁଲ ହୋଇପାରେ ଓ ଏକକ ବିବେକି ମତ ମଧ୍ୟ ଠିକ୍‌ ହୋଇପାରେ। ଗ୍ରୀସ୍‌ ଦେଶରେ ଗଣତନ୍ତ୍ର ଶାସନ ଥିବାବେଳେ ସକ୍ରେଟିସ ରାଷ୍ଟ୍ର ଦ୍ୱାରା ପୃଷ୍ଠପୋଷକତା ଲାଭ କରିଥିବା ଦେବତାଙ୍କୁ ବିରୋଧ କରି ଏକ ନୂଆ ବିଶ୍ୱାସର କଥା କହୁଥିଲେ। ତାଙ୍କୁ କୁହାଗଲା ସଂଖ୍ୟାଧିକ ବ୍ୟକ୍ତିଙ୍କ ମତକୁ ସମ୍ମାନ ଦେବା ହିଁ ଗଣତନ୍ତ୍ର। ତା’ର ବିରୁଦ୍ଧାଚରଣ କରିବା ହେଉଛି ଦେଶଦ୍ରୋହ। ମାତ୍ର ସକ୍ରେଟିସ୍‌ଙ୍କ ଉତ୍ତର ଥିଲା ସଂଖ୍ୟାଧିକ ମନୁଷ୍ୟଙ୍କ ମତ ଯେପରି ମହାର୍ଘ; ଯେ କୌଣସି ଏକକ ବ୍ୟକ୍ତିର ନିଜସ୍ବ ମତ ବ୍ୟକ୍ତ କରିବାର ସ୍ବାଧୀନତା ମଧ୍ୟ ସେପରି ମହାର୍ଘ। ଜଣେ ମଣିଷର ସୁଚିନ୍ତିତ ମତ ଅଗଣିତ ମଣିଷର ଅଚିନ୍ତିତ ମତଠାରୁ ମୂଲ୍ୟବାନ ହୋଇପାରେ। ସଂଖ୍ୟାର ଦ୍ୱାହି ଦେଇ ବ୍ୟକ୍ତିତ୍ୱ ବିନାଶ ଚେଷ୍ଟା ନ ହେଉ। ମାତ୍ର ସକ୍ରେଟିସଙ୍କ ମତକୁ ସେଦିନ ଗ୍ରହଣ କରାଯାଇ ନ ଥିଲା ଓ ତାଙ୍କୁ ଦେଶଦ୍ରୋହୀ ଅପରାଧରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ମାତ୍ର ଏବେ ଆମେ ସ୍ବୀକାର କରୁଛୁ ଯେ ସେ ଦିନର ସଂଖ୍ୟାଗରିଷ୍ଠ ମତ ହିଁ ଭୁଲ ଥିଲା, ସକ୍ରେଟିସ ହିଁ ଠିକ୍‌ କଥା କହିଥିଲେ। ଏଣୁ ଗଣତନ୍ତ୍ର ନାମରେ ସଂଖ୍ୟାଗରିଷ୍ଠ ମତ ଅନୁଯାୟୀ ଚାଲିଥିବା ଶାସନକୁ ସର୍ବୋତ୍କୃଷ୍ଠ ଶାସନ ବୋଲି କୁହାଯାଇ ନ ପାରେ। ଯଦି ଗଣ ଶିକ୍ଷିତ ଓ ବିବେକି ନୁହନ୍ତି ସେମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନଙ୍କ ଶାସନ ନିକୃଷ୍ଟ ହେବା ଅସମ୍ଭବ ନୁହେଁ। ଏହି ଗହନ କଥା ରାମଚନ୍ଦ୍ର ଉପଲବ୍ଧି କରିଥିଲେ ବୋଲି ସକ୍ରେଟିସ୍‌ଙ୍କ ବହୁ ପୂର୍ବରୁ ସେ ନିଜର କାର୍ଯ୍ୟଦ୍ୱାରା ସୂଚାଇ ଦେଇଥିଲେ ଯେ ଜନମତ ଅପେକ୍ଷା ସତ୍ୟନିଷ୍ଠା ବଡ଼। ଯେଉଁଠି ଗଣ ବିବେକି ଓ ଶିକ୍ଷିତ କେବଳ ସେଠି ଗଣତନ୍ତ୍ର ସଫଳ ହେବ।
ମହାମତ୍ା ଗାନ୍ଧୀ ଗଣତନ୍ତ୍ରରେ ବିଶ୍ୱାସ କରୁଥିଲେ ମଧ୍ୟ ତାଙ୍କର ଆଦର୍ଶ ଥିଲା ରାମରାଜ୍ୟ। ସେ ରାମ ରାଜ୍ୟର କଥା କହୁଥିବା ବେଳେ ଜନମତ ଉପରେ ଗୁରୁତ୍ୱ ଦେଇ ନାହାନ୍ତି। ସେ କହିଛନ୍ତି ମୁଁ ରାମରାଜ୍ୟ କହିଲେ ହିନ୍ଦୁରାଜ୍ୟ ବୁଝେ ନାହିଁ। ରାମରାଜ୍ୟ କହିଲେ ମୁଁ ଈଶ୍ୱରଙ୍କ ରାଜ୍ୟ ବୁଝେ ଅର୍ଥାତ୍‌ ସର୍ବୋତ୍କୃଷ୍ଠ ଶାସନକୁ ବୁଝେ। ମୋ ଚିନ୍ତାକଳ୍ପରେ ରାମ ଏହି ପୃଥିବୀରେ ବାସ କରୁଥିଲେ କି ନାହିଁ ସେଥିରେ ଯାଏ ଆସେ ନାହିଁ, କିନ୍ତୁ ରାମ ରାଜ୍ୟର ପ୍ରାଚୀନ ଆଦର୍ଶ ପ୍ରକୃତ ଗଣତନ୍ତ୍ରର ଅନ୍ୟତମ ଉଦାହରଣ। ପୁଣି ସେ କହିଥିଲେ ”ମୋ ସ୍ପପ୍ନର ରାମରାଜ୍ୟରେ ଜଣେ ରାଜକୁମାର ଓ ନିଃସ୍ବ ଗରିବ ଲୋକ ସମାନ ଅଧିକାର ଉପଭୋଗ କରିବେ।“ ଗାନ୍ଧୀଙ୍କ ପରିକଳ୍ପିତ ରାମରାଜ୍ୟର ଏକ ସ୍ପଷ୍ଟ ଛବି ଦେଖିବାକୁ ମିଳେ ଗୋସ୍ବାମୀ ତୁଳସୀ ଦାସଙ୍କ ରଚିତ ରାମଚରିତ ମାନସରେ। ରାମରାଜ୍ୟରେ ଥାଏ ନାହିଁ ଦୈହିକ, ଦୈବିକ ଓ ଭୌତିକ କ୍ଳେଶ। ସେଠାରେ ପ୍ରଜାକୁଳ ପରସ୍ପରକୁ ପ୍ରେମ କରନ୍ତି ଓ ସ୍ବଧର୍ମ ପାଳନ କରନ୍ତି, ସେଠି କେହି ଦୀନ ଦରିଦ୍ର, ଅଜ୍ଞାନ କିମ୍ବା ଦୁର୍ଗୁଣ ସ୍ବଭାବର ନ ଥାନ୍ତି।
ଆଜି ଭାରତରେ ସଂଖ୍ୟାଧିକ ଜନପ୍ରତିନିଧିଙ୍କ ମତକୁ ନେଇ ଶାସନ ଚାଲିଛି। କୌଣସି ସ୍ବାଧୀନ ବିଧାୟକ/ସାଂସଦ ବୀରୋଧୀଦଳର ସଭ୍ୟଙ୍କ ମତକୁ ଗୁରୁତ୍ୱ ଦିଆଯାଉନାହିଁ। ସଂଖ୍ୟାର ଦ୍ୱାହି ଆଗରେ ସଂଖ୍ୟାଲଘୁ ଦଳର ମତକୁ ଉପେକ୍ଷା କରାଯାଉଛି। ମାତ୍ର ଆମେ ଭୁଲିଯାଉଛୁ ଯେ ସଂଖ୍ୟାଗରିଷ୍ଠ ଦଳର ମତ ଭୁଲ ହୋଇପାରେ ଓ ଜଣକର ସୁଚିନ୍ତିତ ମତ ଠିକ ହୋଇପାରେ। ଏକଥା ସକ୍ରେଟିସଙ୍କ ସମ୍ପର୍କରେ ପ୍ରମାଣିତ ହୋଇସାରିଛି। ଏବେ ମଧ୍ୟ ଲୋକେ ଅଜ୍ଞାନତା ଭିତରେ ବୁଡ଼ି ରହିଛନ୍ତି। ସକ୍ରେଟିସ୍‌ଙ୍କ ମତରେ ଅଜ୍ଞତା ହେଉଛି ଅନ୍ଧକାର। ଅନ୍ଧକାର ଭିତରେ ରାଷ୍ଟ୍ରର ଉନ୍ନତି ଅସମ୍ଭବ। ଯଦି ରାଷ୍ଟ୍ରର ଶାସକମାନେ ଅଜ୍ଞ ହେବେ ସେମାନେ ଜନ ସମର୍ଥନ ପାଇଲେ ମଧ୍ୟ ନ୍ୟାୟ ଅନ୍ୟାୟ ମଧ୍ୟରେ କିମ୍ବା ସତ୍ୟ ଅସତ୍ୟ ମଧ୍ୟରେ ପ୍ରଭେଦ ପାଇବେ ନାହିଁ। ଯଦି ନାଗରିକମାନେ ଅଜ୍ଞ ରହିବେ, ସେମାନେ ଅନ୍ୟାୟ ସହିଯିବେ ଓ ଅସହାୟ ଅବସ୍ଥାରେ ସବୁ ମାନିଯିବେ। ଏଣୁ ସକ୍ରେଟିସ ଲୋକଙ୍କୁ ମୁକ୍ତ ଓ ବିଚାରବନ୍ତ ହେବାକୁ ଆହ୍ବାନ ଦେଉଥିଲେ। ମାତ୍ର ଅଢ଼େଇ ହଜାରରୁ ଅଧିକ ବର୍ଷ ଅତିକ୍ରାନ୍ତ ହେଲାପରେ ବିଶେଷ ପରିବର୍ତ୍ତନ ଘଟିନାହିଁ। ଯେଉଁ ଦେଶର ନିର୍ବାଚନରେ ଭାଗ ନେଉଥିବା ଜନତା ଅଶିକ୍ଷିତ ଓ ଅବିବେକି ଏବଂ ପ୍ରଲୋଭନର ବଶବର୍ତ୍ତୀ, ସେଠାରେ ଗଣତନ୍ତ୍ର ନିର୍ବୋଧଙ୍କ ଶାସନ, ନିର୍ବୋଧଙ୍କ ଦ୍ୱାରା ଶାସନ ଓ ନିର୍ବୋଧଙ୍କ ପାଇଁ ଶାସନ ଭାବରେ ପରିଗଣିତ ହେଉଛି। ସେହି ଦୃଷ୍ଟିରୁ ଗଣତନ୍ତ୍ରରେ ସର୍ବଦା ସଂଖ୍ୟାଧିକ ଜନମତକୁ ଅନ୍ଧଭାବରେ ଗ୍ରହଣ ନ କରି ଏକକ ମତ ଗୁରୁତ୍ୱପୂର୍ଣ୍ଣ ଓ ମୂଲ୍ୟବାନ ହୋଇଥିଲେ ତାକୁ ମଧ୍ୟ ଗ୍ରହଣ କଲେ ତାହା ହିତକର ହେବ। ଥରେ ଆଇନ୍‌ଷ୍ଟାଇନ୍‌ଙ୍କୁ ଜଣେ ଖବର ଦେଲେ, ”ଆପଣଙ୍କ ତତ୍ତ୍ୱ ଭୁଲ ବୋଲି ୧୦୦ ଜଣ ଅଧ୍ୟାପକଙ୍କ ଦସ୍ତଖତରେ ଗୋଟିଏ ବିବୃତି ବାହାରିଛି“। ଆଇନ୍‌ଷ୍ଟାଇନ୍‌ ଉତ୍ତର ଦେଲେ ”ମୋ ତତ୍ତ୍ୱ ଯଦି ଭୁଲ ହୋଇଥିବ ତେବେ ଗୋଟାଏ ଦସ୍ତଖତ ହିଁ ଯଥେଷ୍ଟ“। ସତ୍ୟମିଥ୍ୟା ସଂଖ୍ୟା ଦ୍ୱାରା, କୋଳାହଳ ଦ୍ୱାରା ନିରୂପିତ ହୋଇପାରେ ନାହିଁ। ମାତ୍ର ସେ ଉପଲବ୍ଧି ଦ୍ୱାରା ପରିଚାଳିତ ହେବା ଲୋକ ରାଜନୀତିରେ ନାହାନ୍ତି। ରାଜନୀତି କୋଳାହଳ ସାପେକ୍ଷ । ଏହା ହିଁ ବିଡ଼ମ୍ବନା ।

ଡ.ଛାୟାକାନ୍ତ ଷଡ଼ଙ୍ଗୀ
ପ୍ରାକ୍ତନ ଅଧ୍ୟକ୍ଷ, ଡି.ଏ.ଭି. ସ୍ବୟଂଶାସିତ କଲେଜ, ଟିଟିଲାଗଡ଼
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?