ଦାରିଙ୍ଗବାଡି,୯/୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତରେ ଥିବା ସେବାଶ୍ରାମ ପରିସର ମଧ୍ୟରେ ନିଆରା ଢଙ୍ଗରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରୀ ସେବାଶ୍ରମରେ ଶତାଧିକ ଛାତ୍ରୀଛାତ୍ର ରହି ପାଠପଢୁଛନ୍ତି। ଶନିବାର ପବିତ୍ର ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ରହିଥିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସୁକତା ବଢିଛି। ଏହି ଦିବସରେ ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ମହାନାୟକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଭାଇଭଉଣୀଙ୍କ ସମ୍ପର୍କକୁ କିଭଳି ଆହୁରି ମଜଭୁତ କରାଯିବ ଏବଂ ଛାତ୍ରାବାସର ସମସ୍ତ ଛାତ୍ରମାନେ ଛାତ୍ରୀମାନଙ୍କୁ କିଭଳି ଉଦାରତା ମନୋଭାବ ଓ ଜଣେ ଭଉଣୀର ସମ୍ପର୍କ ଭାବେ ଦାୟିତ୍ୱ ନିର୍ବାହ କରିବେ ସେ ସମ୍ପର୍କରେ କୁହାଯାଇଥିଲା।
କୁନି କୁନି ଛାତ୍ରୀଛାତ୍ରମାନେ ରାଖୀ ବାନ୍ଧିବା ପରେ ଉଭୟ ଉଭୟଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେବା ସହ ମିଠା ଖୁଆଇ ରାଖୀ ବାନ୍ଧିଥିଲେ ଏବଂ ଛାତ୍ରୀଛାତ୍ରମାନେ ବଡ଼ ଭଉଣୀ ଓ ଭାଇଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ଏଭଳି ଏକ ନିଆରା ପରମ୍ପରା ଓ ପାଳନକୁ ନେଇ ବାଡାବାଙ୍ଗା ସେବାଶ୍ରାମରେ ଏକ ଭାବାବେଗ ପରିବେଶ ଓ ଉତ୍ସବ ମୁଖର ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସହକାରୀ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।


