Posted inଫୁରସତ

ସମାଜ ପାଇଁ ଉଦାହରଣ ସାଜିଛନ୍ତି ଏସବୁ ଭାଇଭଉଣୀ: ତ୍ୟାଗ କରି ସାନଙ୍କ ମନରେ ଫୁଟାଇଛନ୍ତି ହସ..

ଭାଇ ଭଉଣୀ! ଏ ସମ୍ପର୍କ ରକ୍ତର। ଜଣେ ଜଣଙ୍କ ସୁଖଦୁଃଖର ସାଥୀ। ଛୋଟବେଳୁ ସାଥୀ ହୋଇ ବଢ଼ିଥାନ୍ତି। ପରସ୍ପରକୁ ଖୁବ୍‌ ଭଲଭାବେ ବୁଝିଥାନ୍ତି। କଳିଝଗଡ଼ା, ମାର୍‌ପିଟ୍‌ ତ ହୁଏ। ହେଲେ ତା’ରି ଭିତରେ ଥାଏ ସେମାନଙ୍କର ଭଲ ପାଇବା। ଆଉ ବଡ଼ ଭାଇଭଉଣୀ ତ ହୋଇଥାନ୍ତି ବାପାମା’ଙ୍କର ଦ୍ୱିତୀୟ ରୂପ। ଭଲ ପାଇବା ଓ ତ୍ୟାଗର ଜୀବନ୍ତ ପ୍ରତିମା ସେମାନେ। ସବୁ ବିପଦ ଓ କଷ୍ଟକୁ ସେମାନେ ନିଜେ ମୁଣ୍ଡ ପାତି ସହନ୍ତି। ଛୋଟ ଭାଇଭଉଣୀଙ୍କ ମୁହଁରେ ହସ ଫୁଟାନ୍ତି। କେତେଜଣ ବଡ଼ ଭାଇଭଉଣୀ ତ ସାନ ଭାଇଭଉଣୀଙ୍କ ପାଇଁ କରନ୍ତି ଏଭଳି ତ୍ୟାଗ ଯେ, ସମାଜରେ ପାଲଟିଯାଆନ୍ତି ଉଦାହରଣ…

ଛୋଟ ଭାଇଭଉଣୀଙ୍କ ପାଇଁ ଚାଷୀ ପାଲଟିଲେ ବଡ଼ ଭଉଣୀ: ବାପା ମା’ ଦୁହେଁ ଡକାଡକି ହୋଇ ଚାଲିଗଲେ ଆରପାରିକୁ। ଏକା ହୋଇଗଲେ ଚାରି ଭାଇଭଉଣୀ। କିଏ ବା ନେବ ସେମାନଙ୍କ ଦାୟିତ୍ୱ। ଶେଷରେ ବଡ଼ ଭଉଣୀ ମନକୁ ଦୃଢ଼ କଲେ। ଭାଇ ଭଉଣୀଙ୍କୁ ମଣିଷ କରିବା ସହ ନିଜେ କେମିତି ପାଠପଢ଼ିବେ ସେଥିପାଇଁ ହାତରେ ଧରିଲେ କୋଡ଼ି କୋଦାଳ। ଆଉ ବିଲକୁ ଯାଇ ଚାଷ କରିବା ଆରମ୍ଭ କଲେ। ମୁଣ୍ଡଝାଳ ତୁଣ୍ଡେ ମାରି ଅକ୍ଲାନ୍ତ ପରିଶ୍ରମ କରି ପାଲଟିଗଲେ ଚାଷୀ। ଏଇ ଘଟଣାଟି ମାଲକାନଗିରି ଜିଲା, ଏମ୍‌ଭି ୧୧ ଗ୍ରାମରେ ଦେଖିବାକୁ ମିଳିଛି। ଏଠାରେ ୧୯ ବର୍ଷୀୟା ମନଖୁସି ସରକାର ନିଜର ଛୋଟ ଭାଇ ଭଉଣୀଙ୍କୁ ମଣିଷ କରିବା ପାଇଁ ନିଜର ସବୁ ଖୁସିକୁ ତ୍ୟାଗ କରି କଠିନ ପରିଶ୍ରମ କରି ଚାଷ କରୁଛନ୍ତି । ବିଲରେ ମାଟି ସହ ମାଟି ହୋଇ ଖଟୁଛନ୍ତି। ୪ ବର୍ଷ ପୂର୍ବେ ମନଖୁସିଙ୍କ ମା କ୍ୟାନ୍‌ସରରେ ପୀଡ଼ିତ ଥାଇ ମୃତ୍ୟୁବରଣ କରିଥିଲେ। ଏହାପରେ ବାପା ମଧ୍ୟ ରୋଗଗ୍ରସ୍ତ ହୋଇ ଆରପାରିକି ଚାଲି ଗଲେ। ବାପା ଓ ମା’ ଦୁହେଁ ମୃତ୍ୟୁବରଣ କରିବା ପରେ ଦୁଇ ସାନ ଭାଇ ଓ ଭଉଣୀଙ୍କ ଦାୟିତ୍ୱ ଖୁସି ଉପରକୁ ଚାଲି ଆସିଥିଲା। କେବଳ ସେତିକି ନୁହେଁ ଦୁଇ ଭାଇଙ୍କ ମଧ୍ୟରେ ଗୋଟିଏ ଭାଇ ମାନସିକ ବିକୃତ। ଯାହା ଫଳରେ ତା’ର ଚିକିତ୍ସା ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେବ ତାହା ମଧ୍ୟ ଯୋଗାଡ଼ କରୁଛନ୍ତି ମନଖୁସି । ତା’ସହ ତା’ର ସେବା ଯତ୍ନ ବି କରୁଛନ୍ତି। ଘରେ ରୋଷେଇ କରିବା ସହ ଭାଇଭଉଣୀଙ୍କୁ ପାଠପଢାରେ ସାହାଯ୍ୟ କରନ୍ତି। ତା’ସହ ନିଜେ ବି ପଢନ୍ତି। ଖୁସି ମାଲକାନଗିରି ମହାବିଦ୍ୟାଳୟର ଯୁକ୍ତ ୩ କଳାର ଛାତ୍ରୀ ଅଟନ୍ତି । ଘରର ଟିକିନିଖି ଦାୟିତ୍ୱ ତାଙ୍କ ଉପରେ। ସଉଦା କେମିତି ଆସିବ, ରୋଷେଇ କେମିତି ହେବ। ଭାଇଭଉଣୀ କ’ଣ ପିନ୍ଧିବେ, କ’ଣ ଖାଇବେ। ଏଇ ଚିନ୍ତା ତାଙ୍କୁ ଚାଷୀ ସଜେଇ ଦେଇଛି। ସେ ଅନ୍ୟ ଚାଷୀଙ୍କ ଭଳି ଜମିରେ ଧାନ ବୁଣିବା, ଧାନ ରୋପିବା ସହ ଜମି ମରାମତି ଭଳି କାମ ବି କରିଥାଆନ୍ତି। ଏବେ ତାଙ୍କ ପାଖରେ ସମୟ ନାହିଁ ନିଜ ପାଇଁ ସ୍ବପ୍ନ ଦେଖିବାକୁ। ଭାଇ ଭଉଣୀଙ୍କ ମୁହଁରେ ଦାନା ଦେବା ସହ ବଡ଼ ମଣିଷ କରି ଗଢି ତୋଳିବା ଲାଗି ନିଜର ସବୁ ସୁଖକୁ ସେ ଭୁଲି ଯାଇଛନ୍ତି।

ଭଉଣୀ ଭାଇଙ୍କ ସଂସାର ନାଆ ବାହି ଚାଲିଛନ୍ତି ଓଙ୍କା ଚିଟ୍ଟାମା: ପାରାଦୀପ ଷଣ୍ଢକୁଦ ନୋଳିଆସାହିର ମହିଳା ଓଙ୍କା ଚିଟ୍ଟାମା। ବୟସ ପାଖାପାଖି ୫୦ ହେଲାଣି। ତଥାପି ସେ ଅବିବାହିତ ଅଛନ୍ତି। ଆଉ ଭୋର ୪ଟାରୁ ସା ପର୍ଯ୍ୟନ୍ତ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। କାରଣ ତାଙ୍କ ଉପରେ ଅଛି ୧୩ ଜଣଙ୍କ ଭରଣ ପୋଷଣ ଦାୟିତ୍ୱ। ତାଙ୍କର ବୃତ୍ତି ହେଉଛି ଶୁଖୁଆ ବ୍ୟବସାୟ। ପାରାଦୀପ ମାଛଧରାବନ୍ଦରରୁ ମାଛ କିଣି ଆଣି ତାକୁ ଶୁଖୁଆ କରନ୍ତି। ଆଉ ଶୁଖୁଆକୁ ଓଡ଼ିଶାର ରମ୍ଭା, ବ୍ରଜରାଜନଗର ଓ ଅନ୍ୟ ରାଜ୍ୟକୁ ନେଇ ବେପାର କରୁଛନ୍ତି। ୩ ଭଉଣୀ ଓ ୩ ଭାଇ ମିଶି ସେମାନେ ହେଉଛନ୍ତି ୬ ଜଣ। ଚିଟ୍ଟାମା ହେଉଛନ୍ତି ବଡ଼। ତେବେ ତାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ତାଙ୍କ ବାପା ଓଙ୍କା ଅଭିଙ୍କର ଅକାଳ ମୃତ୍ୟୁ ହୋଇଥିଲା। ଅଧିକ ନିଶା ସେବନ ଯୋଗୁ ଅସୁସ୍ଥ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଏଭଳି ସମୟରେ ଚିଟ୍ଟାମା ପରିବାରର ଦାୟିତ୍ୱ ନେଇଥିଲେ। ମା’ ଓ ସାନ ୫ ଭଉଣୀ ଭାଇଙ୍କୁ ଚଳାଇବା ପାଇଁ ଘରୁ ଗୋଡ଼ କାଢ଼ିଥିଲେ। ସେତେବେଳେ ନୋଳିଆମାନଙ୍କ ମୁଖ୍ୟ ବେଉସା ଥିଲା ସମୁଦ୍ରରେ ମାଛ ଧରିବା। ସେ ଏକ ଡଙ୍ଗା ଯୋଗାଡ଼ କରି ନିଜେ ସମୁଦ୍ରରେ ମାଛଧରା ଆରମ୍ଭ କରିଥିଲେ। ଏଥିରେ ସାନଭାଇମାନେ ବି ସହଯୋଗ କଲେ। ଯାହା ରୋଜଗାର ହେଲା ସେଥିରେ ପରିବାର ଚଳିଲା। କିଛି ଟଙ୍କା ସଞ୍ଚୟ କରି ପରେ ନିଜେ ଦୁଇଟି ଡଙ୍ଗା କିଣିଲେ। ଦୁଇପଇସା ଭଲ ରୋଜଗାର ହେଲା। ସେଥିରେ ସାନ ଭଉଣୀ ଦୁଇଜଣଙ୍କ ବିବାହ କରାଇଲେ। ଏହାପରେ ଗୋଟିଏ ଭାଇର ମଧ୍ୟ ବିବାହ କରାଇଲେ। ସବୁଠିକ୍‌ ଚାଲିଥାଏ ହଠାତ୍‌ କିଛିବର୍ଷ ପରେ ଆଉ ଏକ ଦୁଃଖଦ ଘଟଣା ତାଙ୍କ ସହ ଘଟିଲା। ବିବାହିତ ଭାଇଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଗଲା। ଭାଉଜ ଓ ପିଲାଙ୍କ କଥା ସେ ବୁଝିଲେ। ଏଣେ ମଝିଆ ସାନଭାଇର ଶରୀର ଅସୁସ୍ଥ ହେଲା। ତା’ ପିଛା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କଲାପରେ ମଧ୍ୟ ସେ ସୁସ୍ଥ ହୋଇ ପାରିନାହାନ୍ତି। ଏବେ ସେ ସାମାନ୍ୟ ମାନସିକ ଭାରସାମ୍ୟ ହରାଇଛନ୍ତି। କୌଣସି କାମଧନ୍ଦା କରିପାରୁ ନାହାନ୍ତି। ସବା ସାନଭାଇର ବିବାହ କରାଇଛନ୍ତି। ଏହାବାଦ ଦୁଇ ଭଉଣୀର ଦୁଇ ପିଲାଙ୍କୁ ଆଣି ପାଖରେ ରଖିଛନ୍ତି। ବିଧବା ବୃଦ୍ଧା ମା, ଭାଉଜ ଓ ସେମାନଙ୍କ ପିଲାଙ୍କୁ ମିଶାଇ ଘରେ ୧୩ ଜଣ ଅଛନ୍ତି। ଦିନସାରା ଖଟି ପଇସା ରୋଜଗାର କରୁଛନ୍ତି। ତଥାପି ଅଭାବ ପୂରଣ ହୋଇପାରୁ ନାହିଁ। ଭାଇର ଚିକିତ୍ସା ପାଇଁ ଡଙ୍ଗା ବି ବିକ୍ରି ହୋଇ ଯାଇଛି। ତେଣୁ ଶୁଖୁଆ ବ୍ୟବସାୟ କରି ପରିବାର ଚଳାଉଛନ୍ତି। ସମସ୍ତଙ୍କ ସୁଖଦୁଃଖ ବୁଝିବା ଭିତରେ ସେ ନିଖ ସୁଖ ଭୁଲି ଯାଇଛନ୍ତି। ନିଜେ ବିବାହ କରି ନାହାନ୍ତି। ଭାଇ ଭଉଣୀଙ୍କ ସଂସାର କଥା ବୁଝିବାରେ ଦିନ ଯାଇ ରାତି ସରି ଯାଉଛି। ତାଙ୍କର ଏଭଳି ତ୍ୟାଗ ସମ୍ପର୍କରେ ପୂର୍ବତନ କାଉନସିଲର ଜଗନ୍ନାଥ ରାଓ, ନୋଳିଆସାହି ମୁରବି ସୁବା ରାଓ, ପଡ଼ୋଶୀ ଟି ବି ରାବଣା ପ୍ରମୁଖ କୁହନ୍ତି ଯେ, ଚିଟ୍ଟାମାଙ୍କ ତ୍ୟାଗ ଅନନ୍ୟ। ସେ ଯେଉଁଭଳି ଭାବେ କର୍ତ୍ତବ୍ୟ କରି ଚାଲିଛନ୍ତି ହୁଏତ ଆଉ କେହି କରିପାରିବେ ନାହିଁ। ନିରକ୍ଷର ହେଲେ ବି ସେ ସମ୍ପର୍କର ମହତ୍ତ୍ୱକୁ ବୁଝିଛନ୍ତି; ଯାହା କି ଅନେକ ଉଚ୍ଚ ଶିକ୍ଷିତଙ୍କଠାରେ ଦେଖିବାକୁ ମିଳେ ନାହିଁ।

ପାଗଳୀ ଭଉଣୀଙ୍କ ସେବାରେ ଭାଇ : ଭଉଣୀ ନିଜ ଭାଇ ହାତରେ ରାଖୀ ବାନ୍ଧି ଭାଇଠାରୁ ସୁରକ୍ଷାର ପ୍ରତିଶ୍ରୁତି ନିଏ। ସାରା ଜୀବନ ସୁଖରେ ଦୁଃଖରେ ଯେମିତି ଭାଇ ଠିଆ ହେଉ ଚାହେଁ। ରାୟଗଡ଼ା ସଦର ରାମା ଟକିଜ ପଛରେ ରହୁଛନ୍ତି ଏମିତି ଜଣେ ଭାଇ, ଯେ କି ରକ୍ଷା ବନ୍ଧନର ସେଇ ପ୍ରତିଶ୍ରୁତିକୁ ରଖି ବର୍ଷ ବର୍ଷ ଧରି ଭଉଣୀମାନଙ୍କୁ ଦେଇ ଆସୁଛନ୍ତି ସୁରକ୍ଷା ଓ ତୁଲାଇ ଆସୁଛନ୍ତି ବଡ଼ ଭାଇର କର୍ତ୍ତବ୍ୟ। ହେଲେ ବଦଳରେ କେବେ କିଛି ଚାହିଁ ନାହାନ୍ତି। ସେ ହେଉଛନ୍ତି ରାମ ଚନ୍ଦ୍ର କର। ମାନସିକ ଭାରସାମ୍ୟ ହରାଇ ବସିଥିବା ଦୁଇ ଭଉଣୀଙ୍କର ସେବା ଯତ୍ନ ସହ ବଡ଼ ଭଉଣୀର ମାନସିକ ବିକାରଗ୍ରସ୍ତ ଭାଣେଜୀ କଥା ବୁଝୁଛନ୍ତି। ସାନ ଭଉଣୀର ଦୁଇ ଝିଅଙ୍କୁ ସ୍କୁଲ ଟ୍ୟୁଶନ୍‌ ନେବା ଆଣିବା କରିବା ସହ ସେମାନଙ୍କର ସବୁ ଅସୁବିଧା ପୂରଣ ବି କରୁଛନ୍ତି। ଏମିତିରେ ତାଙ୍କୁ ଫୁରୁସତ୍‌ ନାହିଁ ନିଜ କଥା ଭାବିବାକୁ। ଏମିତି କି ସେ ବିବାହ ବି କରି ନାହାନ୍ତି। କାଳେ ବିବାହ ପରେ ସ୍ତ୍ରୀ ଭଉଣୀମାନଙ୍କ କଥା ବୁଝିବନି, ଘରେ ଅଶାନ୍ତି ସୃଷ୍ଟି ହେବ ସେଥିପାଇଁ ନିଜେ ଘର ସଂସାର କରିଲେ ନାହିଁ। ରାମଚନ୍ଦ୍ର କହନ୍ତି, ‘ମତେ ଯେତେବେଳେ ୨ ବର୍ଷ ବୟସ ସେତେବେଳେ ବାପା ଚାଲିଗଲେ ଆରପାରିକୁ l ବାପା ଥିଲେ ଜଣେ ଜେଲ ୱlର୍ଡନ। ତାଙ୍କ ମୃତ୍ୟୁପରେ ମା’ଙ୍କୁ ତାଙ୍କ ଚାକିରି ମିଳିଲା। ସେ ପୁଣି ୧୨ ବର୍ଷ ପରେ। ବହୁ କଷ୍ଟରେ ଚଳୁଥିଲୁ ସେତେବେଳେ। ଯଦିଓ ପରେ ପ୍ରମୋଶନ ହୋଇ ମା’ ହେଡ୍‌ ଜେଲ ୱାର୍ଡନ ହୋଇଥିଲେ। ମା’, ବଡ଼ ଭଉଣୀ ନଳିନୀ ମହାନ୍ତି, ସାନ ଭଉଣୀ ସରୋଜିନୀ ପାଢ଼ୀ ଓ ମୁଁ ବେଶ୍‌ ହସ ଖୁସିରେ ଚଳୁଥିଲୁ। ବଡ଼ ଭଉଣୀକୁ ୨୦୦୨ ମସିହାରେ ବ୍ରହ୍ମପୁରର ପାତ୍ରପୁର ବ୍ଲକର ଚିକିଟିରେ ବିବାହ କରାଯାଇଥିଲା। ହେଲେ ଶାଶୁଘର ଲୋକେ ଯୌତୁକ ନିର୍ଯାତନା ଦେବା ସହ ଅନେକ ମାରପିଟ୍‌ କଲେ। ବଡ଼ ଭଉଣୀ ଦ୍ୱିତୀୟ ଗର୍ଭଧାରଣ କରିଥିବା ସମୟରେ ହିଁ ତା’ର ପାଗଳାମି ଆରମ୍ଭ ହୋଇଥିଲା। ତେଣୁ ଗର୍ଭରେ ଥିବା ଶିଶୁ କନ୍ୟା ମଧ୍ୟ ପାଗଳାମିର ଶିକାର ହେବା ସହ ବିକଳାଙ୍ଗ ହୋଇ ଜନ୍ମ ହେଲା। ତେଣୁ ଭଉଣୀକୁ ତା’ର ଝିଅ ସହ ଶାଶୁଘର ଲୋକେ ଘରୁ ତଡ଼ିଦେଲେ। ଦୁହିଁଙ୍କୁ ଘରେ ଆଣି ରଖିଲୁ। ସାନ ଭଉଣୀର ମଧ୍ୟ ସମାନ ଅବସ୍ଥା ହେଲା। ତାକୁ ବି ସ୍ବାମୀ ଛାଡି ଦେବାରୁ ସେ ମାନସିକ ଭାରସାମ୍ୟ ହରାଇ ବସିଲା।’ ଏବେ ଦୁଇ ପାଗଳ ଭଉଣୀଙ୍କ ସହ ମାନସିକ ବିକାରଗ୍ରସ୍ତ ଭାଣେଜୀର ସେବା ଶୁଶ୍ରୂଷା କରୁଛନ୍ତି ରାମଚନ୍ଦ୍ର। ତା’ସହ ସାନ ଭଉଣୀର ୨ ଝିଅର ସବୁ ଦାୟିତ୍ୱ ବି ବହନ କରୁଛନ୍ତି l ବାହାରକୁ ଯାଇ ପଢ଼ିବା ଓ ବିବାହ କରିବାକୁ ରାମଚନ୍ଦ୍ରଙ୍କର ଇଚ୍ଛା ଥିଲା। ହେଲେ ସେସବୁ ଇଚ୍ଛାକୁ ସେ ନିଜ ଭିତରେ ଚାପି ରଖିଲେ। ଏହା ଭିତରେ ଥରେ ମାର୍କେଟିଂ କାମରେ ଶିମିଳିଗୁଡାରୁ ଏସକଟା ଆନ୍ଧ୍ର ପ୍ରଦେଶ ଯିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଗୋଡରେ ଆଘାତ ଲାଗିଥିଲା। ଆଉ ଅପରେଶନ୍‌ ପରେ ତାଙ୍କ ଗୋଡ ୩ ଇଞ୍ଚ ଛୋଟ ହୋଇଗଲା। ଚଲାବୁଲାରେ ଅସୁବିଧା ହେଲା। ତଥାପି ସେ ନିଜ କର୍ତ୍ତବ୍ୟରେ ଅବହେଳା କରି ନାହାନ୍ତି। ଭଉଣୀ ଓ ଭାଣେଜୀମାନଙ୍କ କଥା ବୁଝିବା ସହ ଛୋଟମୋଟ କାମ କରି ଅଳ୍ପ କିଛି ରୋଜଗାର କରୁଛନ୍ତି। ପାଗଳ ଭଉଣୀମାନେ ଅନେକ ସମୟରେ ଘରଛାଡି କେଉଁଆଡେ ଚାଲି ଯାଆନ୍ତି। ତାଙ୍କୁ ଖୋଜି ଆଣନ୍ତି ରାମଚନ୍ଦ୍ର। ବୟସ ହୋଇଯାଇଥିବାରୁ ମା’ ଭଉଣୀମାନଙ୍କ କଥା ବିଶେଷ ବୁଝିପାରୁ ନାହାନ୍ତି। ତେଣୁ ସେମାନଙ୍କୁ ଦେଖାରଖା କରିବା ପାଇଁ ସେ ଚାକିରି ବି କରିପାରିଲେନି। ତଥାପି ରାମଚନ୍ଦ୍ରଙ୍କ ମନରେ ନା ଅଛି କଷ୍ଟ ନା ଦେଖିବାକୁ ମିଳେ ଅବସୋସର ଛାଇ।

ଭାଇମାନଙ୍କ ପାଇଁ ରହିଗଲେ ଅବିବାହିତ: ସ୍ବୟଂପ୍ରଭା ଦାଶ। ଘର କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମରେ। ଏବେ ଏହି ବ୍ଲକ ଅନ୍ତର୍ଗତ କଞ୍ଚେଦେଶ୍ୱର ବାଳିକା ହାଇସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ। ଜଣେ ଆଦର୍ଶ ଶିକ୍ଷୟିତ୍ରୀଭାବେ ଯେମିତି ତାଙ୍କର ଯଥେଷ୍ଟ ଗାରିମା ରହିଛି। ସେହିଭଳି ଜଣେ ଆଦର୍ଶ ଭଉଣୀଭାବେ ବି ଆଖପାଖରେ ସେ ବେଶ୍‌ ପରିଚିତା। ଆଜିର ଅର୍ଥ ସର୍ବସ୍ବ ଦୁନିଆରେ ଯେତେବେଳେ ସବୁ ସମ୍ପର୍କ ଧୀରେ ଧୀରେ ଦୂରେଇ ଦୂରେଇ ଯାଉଛି। ସେହି ସମୟରେ ସ୍ବୟଂପ୍ରଭା ନିଜ କଥା ନ ଭାବି ଭାବିଛନ୍ତି ଖାଲି ତାଙ୍କ ଭାଈମାନଙ୍କ କଥା। ତାଙ୍କ ପାଇଁ ସାନ ତିନି ଭାଇ ହିଁ ତାଙ୍କର ଦୁନିଆ। ସେମାନଙ୍କୁ ଦୁନିଆ ବଡ଼ ଦାଣ୍ଡରେ ମଣିଷଟିଏ ପରି ମଣିଷ କରି ଗଢି ତୋଳିବାକୁ ସେ ନିଜ ଜୀବନର ବ୍ରତ କରିଥିଲେ। ତେଣୁ ସେ ବିବାହ ବି କଲେ ନାହିଁ। ବାପାମା’ ଯେତେ ବୁଝାଇଲେ ମଧ୍ୟ ସେ ବିବାହ କରିବାକୁ ସଫା ସଫା ମନା କରି ଦେଇଥିଲେ। କାରଣ ଭାଇମାନଙ୍କ କଥା ବୁଝିବାରେ ହିଁ ତାଙ୍କୁ ମିଳେ ଖୁସି। ତେଣୁ ତାଙ୍କୁ ଛୋଟରୁ ବଡ଼ କରିବା ସହ ସେମାନଙ୍କ ପାଠପଢା କଥା ବୁଝିଛନ୍ତି। ସେମାନେ କେମିତି ରୋଜଗାରକ୍ଷମ ହୋଇପାରିବେ ସେ କଥା ବି ଦେଖିଛନ୍ତି। ଆଉ ବିବାହ ବୟସରେ ହାତକୁ ଦି’ ହାତ କରିଛନ୍ତି। ଏବେ ଭାଇମାନଙ୍କ ପୁଅ ଝିଅଙ୍କର କଥା ବି ବୁଝୁଛନ୍ତି। ସେମାନଙ୍କ ଭଲ ମନ୍ଦ ବୁଝନ୍ତି। ପାଠପଢା ଖର୍ଚ୍ଚ ବି ବହନ କରୁଛନ୍ତି। ଏବେ ଝିଆରି ମାନେ ଭଲ ଚାକିରି କଲେଣି। ବିବାହ ନ କଲେ ବି ସେ ଏକ ସୁଖର ସଂସାରରେ ରହୁଛନ୍ତି। ସମସ୍ତଙ୍କର ପ୍ରିୟ ଓ ଆଦରଣୀୟ ସେ।

ଶିବାନୀ ମହାନ୍ତି
-ଦୁର୍ଯ୍ୟୋଧନ ପାତ୍ର, ଶରତ କୁମାର ରାଉତ,
ଭାଗ୍ୟଶ୍ରୀ ମିଶ୍ର, ଭାସ୍କର ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri