ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି । ସର୍ବାଧିକ ଭୋଟ ସହ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ କୁମାର ମଧ୍ୟ ବିଜୟୀ ହୋଇଛନ୍ତି। ସେହିପରି ବିଜେଡିର ସଂତୃପ୍ତ ମିଶ୍ର ଜିତିଛନ୍ତି। ନିର୍ବାଚନରେ ଭାଜପା ଦିଲ୍ଲୀପ ରାୟଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲା । ନିର୍ବାଚନରେ ବିଜେଡି କଂଗ୍ରେସର କମନ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ପରାସ୍ତ ହୋଇଛନ୍ତି ।
ସେପଟେ ରାଜ୍ୟ ସଭା ନିର୍ବାଚନରେ ବିଜୟ ପରେ ମନମୋହନ ସାମଲ ଓ ସୁଜିତ୍ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଇତିହାସରେ ସ୍ମରଣୀୟ ଦିନ । ଭାଜପା ଓ ଭାଜପା ସମର୍ଥିତ ପ୍ରାର୍ଥୀଙ୍କ ପ୍ରଚଣ୍ଡ ବିଜୟ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗଦର୍ଶନର ପ୍ରତିଫଳନ ହୋଇଛି।
ରେଜଲ୍ଟ ଆସିବା ପୂର୍ବରୁ ଦିଲ୍ଲୀପ ରାୟଙ୍କ ସମର୍ଥକଙ୍କ ଭିତରେ ସେଲିବ୍ରେଶନ ଆରମ୍ଭ ହୋଇଯାଇଥିଲା। ସେ ଜିତିବେ ବୋଲି ଏକ ପ୍ରକାର ନିଶ୍ଚିତ ଥିଲେ । ଅନ୍ୟପଟେ, ବିଜେଡିରୁ ୮ କ୍ରସ୍ ଭୋଟିଂ ହୋଇଥିବା କହିଛନ୍ତି ପ୍ରତାପ ଦେବ। ଚକ୍ରମଣି, ସୁବାସିନୀ, ସୌଭିକ, ନବ ମଲ୍ଲିକ କ୍ରସ୍ ଭୋଟିଂ କରିଛନ୍ତି। ସେହିପରି ରମାକାନ୍ତ ଭୋଇ, ଦେବୀରଞ୍ଜନ ତ୍ରିପାଠୀ, ନିଲମ୍ବିତ ସନା ମହାକୁଡ଼, ଅରବିନ୍ଦ ମହାପାତ୍ର ମଧ୍ୟ କ୍ରସ୍ ଭୋଟିଂ କରିଥିବା ନେଇ ସେ ଗଣମାଧ୍ୟମ ଆଗରେ କହିଛନ୍ତି। ଦଳ ଭିତରେ ଜଣଙ୍କ ପରେ ଜଣେ ବିଧାୟକ କ୍ରସ୍ ଭୋଟିଂ କରିବେ, ଏକଥା ସୁପ୍ରିମୋ ନବୀନଙ୍କ ଧାରଣା ବାହାରେ ଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଭୋଟ ଦେବା ପରେ ଖୋଲାଖୋଲି କ୍ରସଭୋଟିଂ କଥା ସ୍ବୀକାର କରିଥିଲେ ଦୁଇ ଯୁବ ବିଧାୟକ ସୌଭିକ ବିଶ୍ବାଳ ଓ ଦେବୀରଞ୍ଜନ ତ୍ରିପାଠୀ ।

