ଭୁବନେଶ୍ୱର,୧୧ା୩(ସୁନିତ୍ ମିଶ୍ର):ରାଜ୍ୟ ରାଜନୀତିରେ ରାଜ୍ୟ ସଭା ନିର୍ବାଚନ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ସବୁ ଦଳର ବିଧାୟକମାନେ ସେମାନଙ୍କ ପାର୍ଟିରୁ ରାଜ୍ୟ ସଭା ପାଇଁ ଯିଏ ପ୍ରାର୍ଥୀ ହୋଇଛନ୍ତି ସେମାନେ ଖର୍ଚ୍ଚ ବାବଦକୁ କେତେ ଟଙ୍କା ଦେବେ ତାକୁ ନେଇ ବିଶେଷ ଆଲୋଚନା କରୁଛନ୍ତି। ଶାସକ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ବହୁ ଟଙ୍କା ଦେବେ ବୋଲି ଗୁଜବ ହେଉଛି। ମାତ୍ର ବିଜେଡି ଏବଂ କଂଗ୍ରେସ ମଧ୍ୟ ସେମାନଙ୍କ ବିଧାୟକମାନଙ୍କୁ ଖର୍ଚ୍ଚ ପ୍ରଦାନ କରିବା କ୍ଷେତ୍ରରେ ପଛରେ ପଡିବାକୁ ଆଉ ଚାହୁଁନାହାନ୍ତି। ଉଭୟ ବିରୋଧୀ ବିଜେଡି ଏବଂ କଂଗ୍ରେସ ଭିତରେ ଭୋଟ ଦେବା ଲାଗି ସେମାନଙ୍କ ପ୍ରାର୍ଥୀମାନଙ୍କୁ ବିଧିବଦ୍ଧ ଭାବେ ଖର୍ଚ୍ଚ ପହଞ୍ଚାଯିବ ବୋଲି ଏକ ପ୍ରକାର ଚୂଡ଼ାନ୍ତ ହୋଇସାରିଥିବା ଶୁଣିବାକୁ ମିଳୁଛି। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡିର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ବାଲେଶ୍ୱର ଏମ୍ପି ରବୀନ୍ଦ୍ର ଜେନା ମଙ୍ଗଳବାର ବିଧିବଦ୍ଧ ଭାବେ ଦଳ ଛାଡ଼ିଛନ୍ତି। ଗତ ୨ ଦିନ ତଳୁ ରବୀନ୍ଦ୍ର ଭାଜପାର ବରିଷ୍ଠ ନେତାଙ୍କୁ ଆସି ଭେଟିଥିବା ନିର୍ଦ୍ଦିଷ୍ଟ କେତେଜଣ ବରିଷ୍ଠ ବିଜେଡି ଉଚ୍ଚନେତା ଜାଣିସାରିଥିଲେ। ରବୀନ୍ଦ୍ରଙ୍କ ସ୍ତ୍ରୀ ସୁବାସିନୀ ଜେନା ବର୍ତ୍ତମାନ ବିଜେଡି ଟିକେଟରୁ ବସ୍ତା ବିଧାୟିକା ଅଛନ୍ତି। ଅର୍ଥାତ୍ ରବୀନ୍ଦ୍ରଙ୍କ ସ୍ତ୍ରୀଙ୍କ ପାଖରେ ରହିଥିବା ଭୋଟ୍ ଆଉ ବିଜେଡିକୁ ନ ମିଳିପାରେ ବୋଲି ଆଲୋଚନା ହେଉଛି। ଏହା ସହ ଅନେକ ସ୍ଥାନରେ କଂଗ୍ରେସର ପ୍ରତିଦ୍ୱନ୍ଦ୍ୱିତା ଯୋଗୁ ବିଜେଡି ବିଧାୟକମାନେ ଜିଣିପାରିଥିଲେ। ଏବେ ବିଜେଡି କଂଗ୍ରେସର ନିକଟତର ହେବା ହେତୁ ସେହିସବୁ ନିର୍ବାଚନମଣ୍ଡଳୀରେ ଭାଜପା ଏକମାତ୍ର ଶକ୍ତିଶାଳୀ ବିରୋଧୀ ପାଲଟିଯାଉଛି।
ରବୀନ୍ଦ୍ର ଜେନା ଦଳ ଛାଡିବା କଥା ପୂର୍ବରୁ ଜାଣିପାରି ବିଜେଡି ବିଧାୟକମାନଙ୍କୁ ପାଖାପାଖି ୨ କୋଟି ଟଙ୍କା ପର୍ଯ୍ୟନ୍ତ ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଜେଡିର କେତେଜଣ ବିଧାୟକ ମଧ୍ୟ ଖର୍ଚ୍ଚ ମିଳିବା ଦରକାର ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ କହୁଛନ୍ତି। ଅନ୍ୟପଟେ ବିଜେଡିର ବହୁ ବିଧାୟକ ମଙ୍ଗଳବାରଠାରୁ ଅଧିକ ଏପଟସେପଟ ହେବା ଆରମ୍ଭ କରିଦେଲେଣି ବୋଲି କେତେଜଣଙ୍କ ସୂତ୍ରରୁ ଶୁଣିବାକୁ ମିଳୁଛି। ସେମାନେ ଖର୍ଚ୍ଚ ପାଇବା ଲାଗି ବାହାନା ଆରମ୍ଭ କରିଦେଇଥିବା କଥା ଜାଣିପାରି ବିଜେଡି ମଧ୍ୟ ଏହାର ସମାଧାନ କରିବାକୁ ପ୍ରସ୍ତୁତ ହେଲାଣି ବୋଲି କୁହାଯାଉଛି। ପଶ୍ଚିମ ଓଡ଼ିଶାର ଜଣେ ବିଧାୟକ ଏକ ରୋଚକ ତଥ୍ୟ ରଖିଛନ୍ତି। ତାଙ୍କ କହିବାନୁଯାୟୀ, ରାଜ୍ୟରୁ ଦୁଇଥର ରାଜ୍ୟ ସଭା ଯାଇଥିବା ଜଣେ ଆର୍ଥିକ ସ୍ବଚ୍ଛଳ ନେତା ଭୋଟ ପାଇଁ ସେହି ସମୟରେ ବିଧାୟକମାନଙ୍କୁ ମାତ୍ର ୫ ଲକ୍ଷ ଟଙ୍କା ଲେଖାଏ ଦେଇଥିଲେ। ଅଧିକାଂଶ ବିଧାୟକ ମଧ୍ୟ ସେହି ଟଙ୍କା ଗ୍ରହଣ କରିନେଇଥିଲେ। ଅବଶ୍ୟ ଏହି କଥାର କେତେ ବାସ୍ତବତା ରହିଛି ସେକଥା ଯେଉଁମାନେ ସେହି ସମୟରେ ବିଧାୟକ ରହିଥିବେ ସେମାନେ ବିଚାର କରିପାରିବେ।
ସେହିପରି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ତାଙ୍କ ଦଳର ବିଧାୟକମାନଙ୍କୁ ନେଇ ବାରମ୍ବାର ବୈଠକ କରିବା ସତ୍ତ୍ୱେ ସବୁ ସଦସ୍ୟ ଏକାଠି ହେଉନାହାନ୍ତି। କେତେଜଣ ବୈଠକଠାରୁ ଦଳ ଆୟୋଜନ କରୁଥିବା ଖାଇବା ପିଇବା କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସବୁଠାରୁ ଦୂରେଇ ରହୁଛନ୍ତି। ଅନ୍ୟମାନଙ୍କ ଜରିଆରେ କଂଗ୍ରେସର ମଧ୍ୟ କେତେଜଣ ବିଧାୟକ କହୁଛନ୍ତି, ଅତିକମ୍ରେ ୧ରୁ ୨ କୋଟି ଟଙ୍କା ସେମାନଙ୍କୁ ଦରକାର। ସେଥିଲାଗି ଭକ୍ତ ମଧ୍ୟ କେତେଜଣ ଆଗରେ ମୁହଁ ଖୋଲି କହିଲେଣି ବିଧାୟକମାନଙ୍କୁ ଟଙ୍କା ନ ଦେଲେ ହେବନାହିଁ। ଏଥିଲାଗି ଦତ୍ତେଶ୍ୱରଙ୍କ ସହ ପିସିସି ସଭାପତି ଦେଖା ହେବାକୁ ଚେଷ୍ଟାକରି ଅସଫଳ ହେଉଥିବା କଥା ତାଙ୍କ ନିକଟତମ ଲୋକେ କହୁଛନ୍ତି; ଯେଉଁଥିଲାଗି ବିଧାୟକମାନଙ୍କ ପାଇଁ କିଭଳି କିଛି ଖର୍ଚ୍ଚର ସୁବିଧା କରାଯାଇପାରିବ ସେ ବିଷୟରେ ଆଲୋଚନା କରିବା ପାଇଁ ପିସିସି ସଭାପତି ୨ ଦିନ ଭିତରେ ବିଜେଡି ସଭାପତିଙ୍କୁ ଭେଟିବେ ବୋଲି ଶୁଣିବାକୁ ମିଳୁଛି। କଂଗ୍ରେସ ଭିତରେ ଯାହା ଚୂଡ଼ାନ୍ତ ହୋଇଛି ଅତିକମ୍ରେ ୧ରୁ ଦେଢ କୋଟି ପର୍ଯ୍ୟନ୍ତ ସେମାନଙ୍କ ବିଧାୟକଙ୍କୁ ଦିଆଯିବ। ବିଜେଡି ଏବଂ କଂଗ୍ରେସରୁ ନେତାମାନେ ନିର୍ବାଚନ ପୂର୍ବରୁ ଖସିଯିବେ ବୋଲି ବହୁ ଆଗରୁ ସର୍ବସାଧାରଣରେ ଆଲୋଚନା ହେଉଥିଲା। ଯେଉଁସବୁ ବିଧାୟକ କିମ୍ବା ତାଙ୍କ ପାରିବାରିକ ଲୋକ କୌଣସି ବେଆଇନ କାର୍ଯ୍ୟରେ ଲିପ୍ତ ଥିବେ ସେମାନେ ରାଜ୍ୟ ସଭା ଭୋଟ ସମୟରେ କିଛି ଭୁଲ୍ କରିବା ପରିବର୍ତ୍ତେ ଆଗୁଆ ଦଳବଦଳ କରିଦେବାକୁ ଆଗ୍ରହ ଦେଖାଇବେ ବୋଲି କୁହାଯାଉଥିଲା। ସେଭଳି ଲୋକଙ୍କୁ ଅଟକାଇବା ପାଇଁ ଦଳ ଅସଫଳ ହୋଇପାରନ୍ତି। ଏହି ଧାରାରେ ବ୍ରେକ୍ ଲଗାଇବା ପାଇଁ ବିଜେଡି ବିଧାୟକମାନଙ୍କୁ ନେଇ ନବୀନ ନିବାସରେ ଆସନ୍ତା ଶନିବାର କିମ୍ବା ରବିବାର ଚା’ ପାର୍ଟି ହେବ ବୋଲି ଶୁଣିବାକୁ ମିଳୁଛି।
ଏଠାରେ ଉଲ୍ଲେଖଯୋଗ୍ୟ, ଗୋଟିଏ ପଟେ ବିରୋଧୀଙ୍କ ଭୋଟ ହ୍ରାସ ହେବା ସମ୍ଭାବନା ସୃଷ୍ଟି ହେଇସାରିଥିବା ବେଳେ ବିଜେଡିରୁ ଯିଏ ପ୍ରାର୍ଥୀ ହୋଇଛନ୍ତି ସନ୍ତୃପ୍ତ ମିଶ୍ରଙ୍କ ନିର୍ବାଚନ ସମ୍ପୃକ୍ତ ସମ୍ପତ୍ତି ତାଲିକା ଘୋଷଣାରେ ନିଜର ୫୧୨ କୋଟି ୯୦ ଲକ୍ଷ ୭୧ ହଜାର ଟଙ୍କାର ଏବଂ ତାଙ୍କ ସ୍ତ୍ରୀଙ୍କ ପାଖରେ ୨୦ କୋଟି ୪୮ ଲକ୍ଷ ୭୩ ହଜାର ୬୯୬ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ସେହିପରି ସନ୍ତୃପ୍ତଙ୍କ ପାଖରେ ୫୩ କୋଟି ୬ ଲକ୍ଷ ଟଙ୍କାର ଏବଂ ତାଙ୍କ ସ୍ତ୍ରୀଙ୍କର ୮ କୋଟି ୬୮ ଲକ୍ଷ ୫୦ ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି ବୋଲି ଦର୍ଶାଇଛନ୍ତି। ଏହାକୁ ଦେଖି ବିଜେଡିର ଅନେକ ବିଧାୟକ ତାଙ୍କଠାରୁ ମଧ୍ୟ ଆର୍ଥିକ ସାହାଯ୍ୟ ପାଇଁ ଆଶାବାନ୍ଧି ବସିଛନ୍ତି। ସେମାନଙ୍କ କହିବାନୁଯାୟୀ, ସନ୍ତୃପ୍ତ ମିଶ୍ର କେବଳ ପାଣ୍ଡିଆନ୍ଙ୍କୁ ଧରି ଟିକେଟ ନେଇଥିବା ବେଳେ ଦଳୀୟ ବିଧାୟକମାନଙ୍କ ସହ ହସଖୁସିର ସମ୍ପର୍କ ଗଢୁଛନ୍ତି। ଏହିଭଳି ଉପରଠାଉରିଆ ଉଦ୍ୟମ କରି ବିନା ଖର୍ଚ୍ଚରେ ସନ୍ତୃପ୍ତ ରାଜ୍ୟ ସଭା ପହଞ୍ଚିପାରିବେ ନାହିଁ ବୋଲି ବିଧାୟକମାନେ କହିବା ଆରମ୍ଭ କଲେଣି।