ଭୁବନେଶ୍ୱର, ୧।୩(ସୁନିତ୍ ମିଶ୍ର): ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ହେବାକୁ ଥିବା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ବିଜେଡି ପକ୍ଷରୁ ଶନିବାର ରାଜ୍ୟ ସଭା ପାଇଁ ୨ ଜଣ ପ୍ରାର୍ଥୀଙ୍କ ନାଁ ଦଳର ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ନବୀନ କହିଛନ୍ତି, ଦଳ ୨ ଜଣ ପ୍ରାର୍ଥୀ ଦେବାକୁ ସ୍ଥିର କରିଛି। ୩ୟ ଆସନ ଲାଗି ସଂତୃପ୍ତ ମିଶ୍ର ଏବଂ ୪ର୍ଥ ଆସନ ଲାଗି ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାମ ସେ ଘୋଷଣା କରିଛନ୍ତି। ସେ କହିଛନ୍ତି, ଦତ୍ତେଶ୍ୱର ହୋତା ହେଉଛନ୍ତି କମନ୍ (ମିଳିତ)ପ୍ରାର୍ଥୀ। ସବୁ ଦଳ ତାଙ୍କୁ ସମର୍ଥନ କରନ୍ତୁ ବୋଲି ନବୀନ କହିଛନ୍ତି। ବିଗତ ଦିନର ଅନେକ ରାଜନୈତିକ ଘଟଣାକ୍ରମକୁ ଦେଖିଥିବା ବହୁ ବ୍ୟକ୍ତିବିଶେଷ ଚିନ୍ତା କରୁଥିଲେ ବିଜେଡି ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଭାଜପାକୁ ସମର୍ଥନ କରିପାରେ। ହେଲେ ବିଜେଡି ୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ଏହାକୁ କେତେଜଣ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍ ବୋଲି କହୁଛନ୍ତି। ନବୀନ ପ୍ରାର୍ଥୀଙ୍କ ନଁା ଘୋଷଣା କରିବା ପରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ବିଜେଡି ଉଚିତ ନିଷ୍ପତ୍ତି ନେଇଥିବା କହିଛନ୍ତି। ତାଙ୍କ ଦଳ ମଧ୍ୟ ଦତ୍ତେଶ୍ୱରଙ୍କୁ ସମର୍ଥନ କରିବ ବୋଲି ଭକ୍ତ ଶନିବାର ଗଣମାଧ୍ୟମକୁ ଜଣାଇ ଦେଇଛନ୍ତି। ମାତ୍ର ନବୀନ ଦତ୍ତେଶ୍ୱରଙ୍କ ରାଜ୍ୟ ସଭା ପାଇଁ ଯେଉଁଭଳି ଢଙ୍ଗରେ ଘୋଷଣା କରିଛନ୍ତି, ତାକୁ ନେଇ ଏବେ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି। ଏଠାରେ ଏଭଳି ୨ ପ୍ରକାର କଥା ନବୀନ ଉଲ୍ଲେଖ କରିଛନ୍ତି, ଯାହାକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି। ପ୍ରଥମେ ସେ କହିଲେ, ବିଜେଡି ୨ଜଣ ପ୍ରାର୍ଥୀ ଦେବ। ତା’ପରେ କହିଲେ, ଦତ୍ତେଶ୍ୱର ହେଉଛନ୍ତି କମନ୍ ପ୍ରାର୍ଥୀ। ରାଜ୍ୟ ସଭା ପ୍ରାର୍ଥୀ ହେବା ପାଇଁ ନାମାଙ୍କନ ପତ୍ରରେ ୧୦ ଜଣ ବିଧାୟକ ପ୍ରସ୍ତାବକ ରହିବା ଜରୁରୀ। ଅର୍ଥାତ୍ ଦତ୍ତେଶ୍ୱର ଯଦି କମନ୍ ପ୍ରାର୍ଥୀ ହୁଅନ୍ତି, ତେବେ ତାଙ୍କ ସମର୍ଥନରେ ବିଜେଡି, କଂଗ୍ରେସ, ସିପିଆଇ(ଏମ୍) ଏବଂ ଭାଜପାର ୧୦ ଜଣ ବିଧାୟକ ଏକାଠି ହେଇ ପ୍ରସ୍ତାବକ ପଡ଼ିବେ। ମାତ୍ର ଏଯାଏଁ ଭାଜପା ତା’ର ନିଷ୍ପତ୍ତି କ’ଣ ହେଲା ସେକଥା ଜଣାଇ ନାହିଁ। ଯେପର୍ଯ୍ୟନ୍ତ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନାହିଁ, ସେତେବେଳ ପର୍ଯ୍ୟନ୍ତ ଅନେକ ଦିଗ ବିଷୟରେ ଆକଳନ କରିବା କଷ୍ଟକର। ଯଦି ନବୀନଙ୍କ ପ୍ରସ୍ତାବରେ ଭାଜପା ମଧ୍ୟ କଂଗ୍ରେସ ଭଳି ସମର୍ଥନ ଦେଇଦେବ, ତେବେ ଏହା ରାଜ୍ୟ ନୁହେଁ, ଦେଶର ଏକ ବିରଳ ରାଜନୈତିକ ଘଟଣାକ୍ରମ ମଧ୍ୟରେ ସ୍ଥାନ ପାଇବ। କାରଣ କମନ୍ ପ୍ରାର୍ଥୀ ନାଁରେ ନବୀନ ଏଠାରେ ବିଜେଡି ଏବଂ ଭାଜପାକୁ ଏକାଠି ହେବାର ପ୍ରସ୍ତାବ ଦେଇଛନ୍ତି।
ଏଠାରେ ଆଉ ଗୋଟିଏ କଥା ଉଲ୍ଲେଖ କରାଯାଇପାରେ, ଭକ୍ତ ଦାସ ରାଜ୍ୟ ସଭା ନିର୍ବାଚନ ନେଇ ହାଇକମାଣ୍ଡଙ୍କ ସହ ଆଲୋଚନାକରି ଜଣାଇବେ ବୋଲି ଶୁକ୍ରବାର ଗଣମାଧ୍ୟମକୁ କହିଥିଲେ। ଏହି ଅବସରରେ ସେ ଆହୁରି କହିଥିଲେ, ରାଜ୍ୟ ସଭା ବାବଦରେ ଆଲୋଚନା କରିବା ପାଇଁ ନବୀନଙ୍କୁ ଦେଖାହେବାକୁ ସମୟ ମାଗିଛନ୍ତି, ହେଲେ ତାଙ୍କୁ ଏ ବାବଦରେ କିଛି ଉତ୍ତର ମିଳିନାହିଁ। ମାତ୍ର ନବୀନ ଶନିବାର ପ୍ରାର୍ଥୀ ଘୋଷଣା କରିବା ପରେ ଭକ୍ତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ କହିଛନ୍ତି, ଗତ ସୋମବାର କୁଆଡ଼େ ସେ ନବୀନଙ୍କ ସହ ସାକ୍ଷାତ କରିଛନ୍ତି। ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି, ରାଜ୍ୟର କଂଗ୍ରେସ ମୁଖିଆ ଭାବେ ଭକ୍ତ ଏଭଳି ୨ ପ୍ରକାର କଥା କହିବା ପରେ ଏହାକୁ ଗୋଟିଏ ବଡ଼ ରାଜନୈତିକ ଗୋଟିଚାଳନା ବୋଲି ଧରାଯିବ ନାହିଁ। ସେହିପରି ନବୀନଙ୍କ କମନ୍ ପ୍ରାର୍ଥୀ କଥାକୁ ମଧ୍ୟ ଭକ୍ତ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, ଯଦି ମିଳିତ ଭାବେ ୨ ଦଳ ପ୍ରାର୍ଥୀଙ୍କ ନଁା ଘୋଷଣା କରିଥିଲେ, ତେବେ ତାକୁ କମନ୍ ପ୍ରାର୍ଥୀ ବୋଲି କୁହାଯାଇଥାଆନ୍ତା। ଅର୍ଥାତ୍ ଭକ୍ତଙ୍କ ଭାଷାରେ ଦତ୍ତେଶ୍ୱର କମନ୍ ପ୍ରାର୍ଥୀ ନୁହନ୍ତି। ତେବେ ଏଠାରେ ଗୋଟିଏ କଥା ବୁଝିନେବାକୁ ହେବ, ବିଜେଡି ପ୍ରାର୍ଥୀଙ୍କୁ କଂଗ୍ରେସ ଭୋଟ ଦେବ ବୋଲି ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ କଂଗ୍ରେସ ଏମ୍ପି କେ.ସି. ବେଣୁଗୋପାଳ କୁଆଡ଼େ ନିକଟରେ ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ ସହ କଥା ହେବାପରେ ଏଭଳି ନିଷ୍ପତ୍ତି ହୋଇଛି।
ରାଜ୍ୟ ସଭା ନିର୍ବାଚନ ନେଇ ଆଉ ଗୋଟିଏ କଥା ଏଠାରେ ସୂଚାଇ ଦିଆଯାଇପାରେ, ଓଡ଼ିଶାରେ ଭାଜପା ସରକାର ଆସିବା ପରେ ତାଙ୍କ ଦଳର ଥିବା ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଜଣେ କ୍ଷମତାଶାଳୀ ନେତା ଭାବେ ଖୁବ୍ ପରିଚିତ। ଶାସକ ଦଳ ପକ୍ଷରୁ ନିକଟରେ ତୋମାର ୨ଟି କଥା ଉଲ୍ଲେଖ କରିଥିଲେ। ଗୁରୁବାର ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ସେଦିନ ରାତି କିମ୍ବା ଶୁକ୍ରବାର ସୁଦ୍ଧା ତାଙ୍କ ଦଳର ପ୍ରାର୍ଥୀ ଘୋଷଣା ହେବ। ଏହାର କିଛିଦିନ ତଳେ ତୋମାର ଏବଂ ରାଜ୍ୟର ବରିଷ୍ଠ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ, ଭାଜପା ୪ରୁ ୩ଟି ଆସନରେ ନିଶ୍ଚିତ ବିଜୟୀ ହେବ। ଏନେଇ ତାଙ୍କ ଦଳର ସବୁ ପ୍ରକାର ରଣନୀତି ସ୍ଥିର ହେଇସାରିଛି। ଜଣେ ବରିଷ୍ଠ ମନ୍ତ୍ରୀ ଏବଂ ଶାସକ ଦଳର ପ୍ରଭାରୀ ନିଜ କଥାକୁ କେବେହେଲେ ରାଜ୍ୟବାସୀଙ୍କ ଆଗରେ ଭୁଲ୍ ପ୍ରମାଣିତ ହେବାକୁ ଦେଇ ନ ପାରନ୍ତି। ଅର୍ଥାତ୍ ଭାଜପା ନେତାମାନେ ଯେଉଁ ଦୃଢ଼ୋକ୍ତି ଦେଖାଇ ଗଣମାଧ୍ୟମରେ କହିଛନ୍ତି, ସେହି ବିବୃତିର ଯଦି ମର୍ଯ୍ୟାଦା ରଖିବେ ତା’ହେଲେ ଭାଜପା ୩ୟ ପ୍ରାର୍ଥୀ ନିଶ୍ଚିତ ଦେବବୋଲି ଅନୁମାନ କରିହେବ । ହେଲେ ବିଧାନସଭାର ସଂଖ୍ୟା ଯାହା କହୁଛି, କଂଗ୍ରେସ ଯଦି ବିଜେଡିର ୪ର୍ଥ ପ୍ରାର୍ଥୀକୁ ସମର୍ଥନ ଦିଏ ତା’ହେଲେ ସଂଖ୍ୟାଦୃଷ୍ଟିରୁ ଶାସକ ଦଳଠାରୁ ଆଗରେ ରହିବ। ଏଣେ ଭାଜପା ଯଦି ପ୍ରାର୍ଥୀ ଦିଏ, ତା’ହେଲେ ଉଭୟ ବିଜେଡି ଏବଂ କଂଗ୍ରେସ ବିଧାୟକମାନଙ୍କୁ ତାଙ୍କ ଦଳର ନେତୃତ୍ୱ ନିର୍ବାଚନ ଶେଷ ପର୍ଯ୍ୟନ୍ତ କେମିତି ଏକାଠି ନେଉଛନ୍ତି ତାକୁ ଦେଖିବା ପାଇଁ ସମସ୍ତଙ୍କ ଅପେକ୍ଷା ରହିବ।
ସୂଚନାଯୋଗ୍ୟ, ବିଧାନସଭାରେ ଭାଜପାର ୭୯ ବିଧାୟକ ଏବଂ ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ରହିଛି। ଅର୍ଥାତ୍ ଶାସକ ଭାଜପା ପାଖରେ ସଂଖ୍ୟା ୮୨ ଅଛି। ବିଜେଡି ପାଖରେ ୪୮, କଂଗ୍ରେସର ୧୪ ଏବଂ ଜଣେ ସିପିଆଇ(ଏମ୍) ବିଧାୟକ ଅଛନ୍ତି। ୨ ଜଣ ବିଧାୟକ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରିବା ପରେ ସେମାନେ ସ୍ବାଧୀନ ସଦସ୍ୟ ଭାବେ ବିଧାନସଭାରେ ଅଛନ୍ତି। ଜଣେ ରାଜ୍ୟ ସଭା ପ୍ରାର୍ଥୀ ନିର୍ବାଚିତ ହେବା ଲାଗି ଅଙ୍କ ଦୃଷ୍ଟିରୁ ୩୦ ଖଣ୍ଡ ଭୋଟ ପାଇବା ଦରକାର। ସଂଖ୍ୟା ଦେଖିଲେ ୨ଟି ଆସନରେ ଭାଜପା ଏବଂ ଗୋଟିଏ ଆସନରେ ବିଜେଡି ନିଶ୍ଚିତ ବିଜୟୀ ହୋଇଯିବ। ୪ର୍ଥ ଆସନ ଲାଗି ଭାଜପା ପାଖରେ ୨୨, ବିଜେଡି ପାଖରେ ୧୮ ଏବଂ କଂଗ୍ରେସ ଓ ସିପିଆଇ(ଏମ୍) ପାଖରେ ୧୫ ଭୋଟ ରହିବ। ବିଜେଡି ଏବଂ କଂଗ୍ରେସ ଓ ସିପିଆଇ(ଏମ୍) ଏକାଠି ହେଲେ ସେମାନଙ୍କ ସଂଖ୍ୟା ୩୩ରେ ପହଞ୍ଚିବ। ଭାଜପାର ୩ୟ ପ୍ରାର୍ଥୀ ସମ୍ପର୍କିତ ନିଷ୍ପତ୍ତି ବହୁତ କିଛି ସ୍ପଷ୍ଟ କରିବ।

