ବିଜେଡିକୁ ବଡ଼ ଝଟ୍‌କା! ଭାଜପା ପୋଷ୍ଟରରେ ଜୟ ଢୋଲକିଆ

ଭୁବନେଶ୍ୱର,୧୧।୧୦: ନୂଆପଡ଼ା ଉପ-ନିର୍ବାଚନକୁ ନେଇ ରାଜନୀତି ସରଗରମ। ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଛି ବଡ଼ ଟ୍ବିଷ୍ଟ। ସ୍ବର୍ଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଭାଜପାରେ ଯୋଗ ଦେବାକୁ ଯାଉଛନ୍ତି। ଜୟଙ୍କୁ ସ୍ବାଗତ କରିବାକୁ ଭାଜପା କାର୍ଯ୍ୟାଳୟ ମଧ୍ୟ ପ୍ରସ୍ତୁତି ଆରମ୍ଭ କଲାଣି। ବର୍ତ୍ତମାନ ଜୟଙ୍କ ଭାଜପା ଯୋଗ ଦେବାର ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ରାଜ୍ୟ ଭାଜପା ମୁଖ୍ୟାଳୟରେ ଶୀଘ୍ର ଆନୁଷ୍ଠାନିକ ଯୋଗଦାନ ହୋଇପାରେ ବୋଲି କୁହାଯାଉଛି। ଯାହା ବିଜେଡିକୁ ଏକ ଶକ୍ତ ଝଟ୍‌କା ବୋଲି କୁହାଯାଉଛି।  କୁହାଯାଉଛି ଯେ ଜୟ ଭାଜପାର କେନ୍ଦ୍ରୀୟ ନେତୃତ୍ବଙ୍କୁ ବି ଭେଟିସାରିଲେଣି। ଆଜି ସେ ରାଜ୍ୟ କାର୍ଯ୍ୟାଳୟକୁ ଆସି ପଦ୍ମ ଧରିପାରନ୍ତି ବୋଲି କୁହାଯାଉଛି । କାରଣ ଢୋଲକିଆଙ୍କ ପରେ ଜୟଙ୍କୁ ବିଜେଡି ପ୍ରାର୍ଥୀ କରିବା ନେଇ ବିଜେଡି ନେତା ଦେବୀ ମିଶ୍ର କିଛିଦିନ ପୂର୍ବରୁ ସଙ୍କେତ ଦେଇଥିଲେ। କିନ୍ତୁ ଜୟ ଦଳ ଛାଡିଲେ ବିଜେଡିକୁ ଏହା ଶକ୍ତ ଝଟ୍‌କା ଦେଇପାରେ।

ଜୟଙ୍କ ବାପା ବିଜେଡରେ ଥିବାରୁ ସେ ମଧ୍ୟ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା। ଯାହାଦ୍ୱାରା ବିଜେଡିକୁ ସିମ୍ପାଥି ଭୋଟ ମଧ୍ୟ ମିଳିଥାଆନ୍ତା। କିନ୍ତୁ ଗତକାଲି ନବୀନ ଦିଲ୍ଲୀରୁ ଫେରୁ ଫେରୁ ଜୟଙ୍କ ପଦ୍ମ ଧରିବା କିଛି ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି। ଯଦି ଭାଜପା ପକ୍ଷରୁ ଜୟ ପ୍ରାର୍ଥୀ ହୁଅନ୍ତି ତେବେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ସବୁଠାରୁ ବଡ଼ କଥା ହେଲା ଯେ ବିଜେଡିର ପଦଯାତ୍ରାରେ ଜୟଙ୍କୁ ଦେଖିବାକୁ ମିଳିନଥିଲା। ସେବେଠାରୁ ଏକ ପ୍ରକାର ନିଶ୍ଚିତ ହୋଇଥିଲା ଯେ ଜୟ ଢୋଲକିଆ ଭାଜପା ଆଡ଼କୁ ଢଳୁଛନ୍ତି। ନୂଆଦିଲ୍ଲୀରେ ଭାଜପାର କେନ୍ଦ୍ରୀୟ ନେତୃତ୍ବଙ୍କୁ ଦେଖା କରିଥିବା କୁହାଯାଉଛି। ତାଙ୍କୁ ଭାଜପା ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଜୟ ଭାଜପା ପ୍ରାର୍ଥୀ ହେଲେ ନୂଆପଡ଼ାର ଅଙ୍କ ଓଲଟପାଲଟ ହୋଇଯିବ ଏବଂ ଭାଜପାର ବିଜୟ ସହଜସାଧ୍ୟ ହୋଇଯିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।  ତେଣେ ଏହା ବିଜେଡି ଲାଗି ମୁଣ୍ଡବ୍ୟଥାର କାରଣ ବି ହେବ।

୨୦୨୪ ସାଧାରଣ ନିର୍ବାଚନରେ ଏହି ଆସନ ବିଜେଡି ହାତରେ ରହିଥିଲା। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ବିଜୟୀ ହୋଇଥିଲେ। ସ୍ବାଧୀନ ପ୍ରାର୍ଥୀ ଭାବେ ଘାସିରାମ ମାଝୀ ଦ୍ୱିତୀୟ ସ୍ଥାନରେ ଥିଲେ। ବର୍ତ୍ତମାନ କଂଗ୍ରେସ ଏହି ଉପନିର୍ବାଚନ ଲାଗି ଘାସିରାମଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି। ଭାଜପା ପକ୍ଷରୁ ପୂର୍ବତନ ଏମପି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ତୃତୀୟ ସ୍ଥାନରେ ରହିଥିଲେ। କିନ୍ତୁ ଏବେ ଜୟ ଢୋଲକିଆଙ୍କୁ ଭାଜପା ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଗତ ମାସ ୮ ତାରିଖରେ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ସୂଚନା ମୁତାବକ, ଜୟଙ୍କୁ ଖୁବଶୀଘ୍ର ଭାଜପାରେ ଯୋଗ ଦେବାର ଥିବାବେଳେ ବିଜେଡିକୁ ଏବେ ବଡ଼ ଝଟ୍‌କା ଲାଗିଛି।

Dharitri – Odisha’s No.1 Trusted Odia Daily

 

Share