ଭୁବନେଶ୍ୱର, ୨୮ା୬ (ବନ୍ଦନା ସେଠୀ) – ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଶ୍ରୀକ୍ଷେତ୍ର ସମେତ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡିଛି। ରଥାରୁଢ ଦିଅଁଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁମାନେ ପୁରୀରେ ଡେରା ପକାଇଛନ୍ତି। ଏଭଳି ସମୟରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସହିତ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ରଥଯାତ୍ରାକୁ ତୁଳନା କରି ଅଡୁଆରେ ପଡିଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସର୍ଦେଶାଇ। ଅଭିନେତା ସବ୍ୟସାଚୀ ମିଶ୍ର ରାଜଦୀପଙ୍କ ଏଭଳି ପୋଷ୍ଟକୁ ନିନ୍ଦା କରିବା ସହିତ ଏହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ଦାବି କରିଥିଲେ। କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ଟୁଇଟ୍ ଓ୍ବାର୍ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ସବ୍ୟସାଚୀଙ୍କ ସମର୍ଥନରେ ଅନେକ ଶ୍ରଦ୍ଧାଳୁ ବାହାରିବା ପରେ ଶେଷରେ ରାଜଦୀପ ଏନେଇ କ୍ଷମା ପ୍ରାର୍ଥନା କରିଛନ୍ତି।
ରାଜଦୀପ ଶୁକ୍ରବାର ରାତିରେ ତାଙ୍କ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଥିଲେ, ଜଗନ୍ନାଥଙ୍କ ରଥଯାତ୍ରାର ଏବେ ଦୁଇଟି ଠିକଣା। ମୂଳ ରଥଯାତ୍ରା ପୁରୀରେ ହେଉଥିବାବେଳେ ପଶ୍ଚିମବଙ୍ଗ ଦୀଘା ମଧ୍ୟ ଏବେ ରଥଯାତ୍ରାର ନୂତନ ଠିକଣା ପାଲଟିଛି। ତେବେ ସବ୍ୟସାଚୀ ଏହାକୁ ରିଟୁଇଟ୍ କରିବା ସହିତ ଦୃଢ ଭାବରେ ନିନ୍ଦା କରିଥିଲେ। ରାଜଦୀପ୍ଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ କୋଟି କୋଟି ଓଡ଼ିଆ ତଥା ଜଗନ୍ନାଥ ଭକ୍ତଙ୍କୁ ଆଘାତ ଦେଇଥିବାରୁ ସେ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।
ସବ୍ୟସାଚୀଙ୍କ ଟୁଇଟ୍କୁ ଲୋକଙ୍କ ସମର୍ଥନ ମିଳିବା ଦେଖି ରାଜଦୀପ୍ ପୁନର୍ବାର ଆଉ ଏକ ପୋଷ୍ଟ କରିଥିଲେ। ଏଥିରେ ପୁରୀ ଜଗନ୍ନାଥ ଯାତ୍ରାର କୌଣସି ତୁଳନା ନାହିଁ ଏବଂ ଏହା ସର୍ବଦା ରଥଯାତ୍ରାର ମୂଳ କେନ୍ଦ୍ର ହୋଇ ରହିବ ବୋଲି ଉଲ୍ଲେଖ କରିଥିଲେ। ସେହିପରି ଦୀଘାରେ ହେଉଥିବା ରଥଯାତ୍ରାକୁ ସ୍ବାଗତ କରିବା ଉଚିତ ବୋଲି ପୋଷ୍ଟ କରିଥିଲେ। କିଛି ସମୟ ପର୍ଯ୍ୟନ୍ତ ଏଭଳି ଟୁଇଟ୍ ଓ୍ବାର ଚାଲିବା ପରେ ରାଜଦୀପ ନିଜର ମନ୍ତବ୍ୟ ନେଇ କ୍ଷମା ପ୍ରାର୍ଥନା ସହିତ ଆଉ ଏକ ପୋଷ୍ଟ କରିଥିଲେ।
ଏନେଇ ସବ୍ୟସାଚୀ କହିଛନ୍ତି, ତାଙ୍କଭଳି ସାମ୍ବାଦିକଙ୍କ ପାଖରୁ ଏଭଳି କଥା ଆଶା କରାଯାଏନି। ଏହା କେବଳ ଏକ ପୋଷ୍ଟ ନୁହେଁ, ବରଂ ଜାତୀୟସ୍ତରରେ ଏକ ପ୍ରୋପାଗଣ୍ଡା ତିଆରି କରିବାକୁ ଚେଷ୍ଟା କରାଯାଇଛି। ତେଣୁ ଏହାକୁ ଦୃଢତାର ସହ ବିରୋଧ କରିବା ଦରକାର। ରଥଯାତ୍ରା ସମୟରେ ହଜାର ହଜାର ସ୍ଥାନରେ ଏଭଳି ରଥଯାତ୍ରା ଅନୁଷ୍ଠିତ ହେଉଛି। ମାତ୍ର କେହି ବି ପୁରୀ ରଥଯାତ୍ରା ସହିତ ଏଭଳି ତୁଳନା କରିବାକୁ ଦୁଃସାହସ କରିନାହାନ୍ତି। ଧୀରେ ଧୀରେ ମୋ ପୋଷ୍ଟକୁ ସମର୍ଥନ ମିଳିବା ଦେଖି ଶେଷରେ ସେ ଜଗନ୍ନାଥପ୍ରେମୀଙ୍କ ଆଗରେ ମୁଣ୍ଡ ନୁଅଁାଇଛନ୍ତି ବୋଲି ସବ୍ୟସାଚୀ କହିଛନ୍ତି।