ଧରାକୋଟ,୨୭ା୯(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ବାପା ପେଶାରେ ଜଣେ ରାଜମିସ୍ତ୍ରୀ, ମା’ ସୁଗୃହିଣୀ। ମାତ୍ର ପୁଅ ରଖି ଦେଲେ ନାଁ। ନିକଟରେ ପ୍ରକାଶ ପାଇଥିବା ଓପିଏସସିରେ ୨୩୩ ନମ୍ବର ର଼୍ୟାଙ୍କ ରଖିଛନ୍ତି ଗଞ୍ଜାମ ଜିଲା ଧରାକୋଟ ବ୍ଲକ ମୁଣ୍ଡମରାଇ ଗାଁର କୈଳାସ ଚନ୍ଦ୍ର ସାହୁ ଓ ସୁଷମା ସାହୁଙ୍କ ପୁଅ ରୂପକ।
ରୂପକ ହେଉଛନ୍ତି ପରିବାରର ଚତୁର୍ଥ ସନ୍ତାନ। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ସେ ଗାଁରେ ଦେଓ ପାଟଣା ବିଦ୍ୟାଳୟରେ ପାଠ ପଢିବା ପରେ ସୁରଙ୍ଗୀସ୍ଥିତ ଜବହାର ନବୋଦୟ ବିଦ୍ୟାଳୟ ଷଷ୍ଠରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢିଥିଲେ। ପରେ ରୂପକ ହିଞ୍ଜିଳି ବିଜ୍ଞାନ ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଶେଷ କରି କିଛି ମାସ ଡାକ ବିଭାଗରେ କାମ କରିଥିଲେ। ପରିବାର ଲୋକ ଓ ନିଜର ସହପାଠୀ ବନ୍ଧୁ ଧର୍ମଗଡର ଅତିରିକ୍ତ ଜିଲାପାଳ ଚୋଡଗଙ୍ଗ ପ୍ରଧାନଙ୍କ ପ୍ରେରଣାରେ ଓପିଏସସି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ।
ଗୁରୁ ସନ୍ତୋଷ ପାତ୍ର ଓ ଗଣେଶ ଚନ୍ଦ୍ର ପାତ୍ର ତାଙ୍କୁ ମାର୍ଗଦର୍ଶନ ଦେଇ ଉତ୍ସାହିତ କରିଥିଲେ। ଏହି ସଫଳତା ପାଇଁ ସେ ପରିବାରର ସମସ୍ତଙ୍କୁ ଏବଂ ଦୁଇ ଗୁରୁ ଓ ବନ୍ଧୁଙ୍କୁ ଶ୍ରେୟ ଦେଇଛନ୍ତି। ସମାଜର ସବୁବର୍ଗର ଲୋକଙ୍କ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବି ବୋଲି ରୂପକ ନିଜ ପ୍ରତିକ୍ରିୟାରେ କହିଛନ୍ତି।


