ଭୁବନେଶ୍ୱର,୨୦।୩(ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟର ବୋରିଗୁମ୍ମାଠାରେ ସର୍ବାଧିକ ୫୭.୪ ମି.ମି. ବର୍ଷା ରେକର୍ଡ ହୋଇଥିବାବେଳେ ସମ୍ବଲପୁର କୁଚିଣ୍ଡାଠାରେ ୪୪ ମି.ମି., ନବରଙ୍ଗପୁର ଡାବୁଗଁାଠାରେ ୪୩.୨ ମି.ମି., କୋରାପୁଟ ଲମତାପୁଟଠାରେ ୩୪ ମି.ମି., କଳାହାଣ୍ଡିର କଲମାପୁରରେ ୨୬.୨ ମି.ମି. ବର୍ଷା ହୋଇଛି। ଅନ୍ୟପକ୍ଷରେ ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ ଓ ପାର୍ଶ୍ୱବର୍ତ୍ତୀ ୟାନମ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆଗାମୀ ୭ ଦିନ ଅର୍ଥାତ୍ ୨୬ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।
ଶୁକ୍ରବାରଠାରୁ ୩ଦିନ ଯାଏ ପ୍ରବଳ ଝଡ଼ପବନ ସହ କୁଆପଥର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ବିଶେଷକରି ଶୁକ୍ରବାର ରାଜ୍ୟର ୨୫ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡା, ବରଗଡ଼ ଓ ସମ୍ବଲପୁରରେ ବିଜୁଳି ଘଡ଼ଘଡ଼ି ସହ ୫୦ରୁ ୬୦ କି.ମି. ବେଗରେ ଝଡ଼ପବନ ଓ କୁଆପଥର ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି।
ସେହିପରି ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କି.ମି. ବେଗରେ ଝଡ଼ ପବନର ସମ୍ଭାବନା ଥିବାରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା ସମୟରେ ସତର୍କତା ଅବଲମ୍ବନ ସହ ଘରୁ ନ ବାହାରିବା ପାଇଁ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସତର୍କ କରିଛନ୍ତି।