ଖସୁଛି ପାରଦ, ବଢୁଛି ଶୀତ କଳାହାଣ୍ଡିରେ ଘନ କୁହୁଡି

ଭବାନୀପାଟଣା,୩ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ପାରଦ ଖସୁଥିବାବେଳେ ଶୀତର ପ୍ରକୋପ ବଢୁଛି। ସୁଲୁସୁଲିଆ ପବନ ସାଙ୍ଗକୁ ଘନ କୁହୁଡିର ଆସ୍ତରଣ ଘୋଡ଼େଇ ହୋଇଛି। ବଦଳି ଯାଇଛି କଳାହାଣ୍ଡିର ରୂପ। ଚାରିଆଡେ ଘନ କୁହୁଡି। ମଙ୍ଗଳବାର ସକାଳୁ ସହରରେ ଘନ କୁହୁଡିର ଚିତ୍ର ଦେଖିବାକୁ ମିଳିଥିଲା। ଏଥିଯୋଗୁ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଅନ୍ୟପକ୍ଷେ ଶୀତୁଆ ସକାଳେ କିଏ ବ୍ୟାୟମ କରି ତ ଆଉ କିଏ ପ୍ରକୃତି କୋଳରେ ବୁଲି ଘନ କୁହୁଡିର ମଜା ଉଠାଉଛନ୍ତି। ହେଲେ ଖଟିଖିଆ ଲୋକଙ୍କୁ କଷ୍ଟ ଦେଇଛି ଜାଡ। ଗତ କିଛିଦିନ ହେବ ଜିଲାରେ ପାରଦ ୧୫ ଡିଗ୍ରୀ ତଳେ ରହୁଛି। ଫଳରେ ଜିଲାରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି। ସକାଳ ହେଉ ବା ସାର ଜାଡ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଥୁଆମୂଳ ରାମପୁରରେ ତାପମାତ୍ରା ୧୦ଡିଗ୍ରୀ ରହିଥିବାବେଳେ କାଲୁଆ ପବନ ସାଙ୍ଗକୁ କାକର ତୁଷାରପାତର ଭ୍ରମ ସୃଷ୍ଟି କରୁଛି। ତେଣୁ ସକାଳ ହେଲେ ଲୋକେ ମର୍ନିଂ ଓ୍ବାକ୍‌ରେ ବାହାରି ପଡୁଥିବା ବେଳେ ଖୋଲାସ୍ଥାନରେ ବ୍ୟାୟାମ କରି ଶୀତୁଆ ସକାଳର ମଜା ନେଉଛନ୍ତି। କିଏ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ପରିଧାନ କରୁଛି ତ ଆଉ କିଏ ଗାଁ ଦାଣ୍ଡରେ ନିଆଁ ଲଗାଇ ପୋଇଁ ହେଉଛନ୍ତି। ଭବାନୀପାଟଣା ସହରରେ ସକାଳ ହେବା ମାତ୍ରେ ଶୀତର ମଜା ନେଉଛନ୍ତି ଲୋକେ। ଘନ କୁହୁଡିରେ ବିଭିନ୍ନ ସ୍ଥାନ ଢାଙ୍କି ହୋଇ ରହୁଛି। ଜରୁରୀ କାମ ଥିଲେ ହିଁ ଲୋକେ ଘରୁ ପଦାକୁ ଆସୁଛନ୍ତି। ଏ ନେଇ ଭବାନୀପାଟଣା ବାସିନ୍ଦା ସୁବାସ ପ୍ରଧାନ କହିଛନ୍ତି, ସକାଳୁ ଘନ କୁହୁଡି ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ହେଲେ ପାଗରେ ପରିବର୍ତ୍ତନ ହୋଇଥିବାରୁ ବହୁତ ଖୁସି ଲାଗୁଛି। ଏ ପରିବେଶ ସବୁବେଳେ ଦେଖିବାକୁ ମିଳେ ନାହିଁ। ପ୍ରବଳ ଶୀତ ସାଙ୍ଗକୁ କାକର ବିନ୍ଦୁ ପଡୁଥିବାରୁ ଭଲ ଲାଗୁଛି ବୋଲି ସେ କହିଛନ୍ତି। ଅନ୍ୟଜଣେ ବାସିନ୍ଦା ଛବିଲାଲ ନିଆଳ କହିଛନ୍ତି ଯେ, ସକାଳେ ଘନ କୁହୁଡି ଆସ୍ତରଣ ଭିତରେ ଭବାନୀପାଟଣା ସହର ରହୁଛି। ଏତେ ସମୟ ଧରି କୁହୁଡି ସହରରେ କେବେ ଦେଖିବାକୁ ମିଳି ନ ଥିଲା। ଆଜି ଯେଉଁ କୁହୁଡି ହୋଇଛି ଅତ୍ୟନ୍ତ ମନୋରମ। ଏହା ଦାରିଙ୍ଗବାଡିର ଭ୍ରମ ସୃଷ୍ଟି କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share